ଖାଉଟି କମିସନରେ ମେ’ ୩ ପର୍ଯ୍ୟନ୍ତ ସ୍ବାଭାବିକ କାର୍ଯ୍ୟ ବନ୍ଦ

କଟକ : ‘କରୋନା’ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଫୋରମ (ଖାଉଟି ଅଦାଲତ) ଗୁଡିକରେ ମେ ୩ ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ କାର୍ଯ୍ୟ ବନ୍ଦ ରହିବ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନେଇ ଜାରି କରାଯାଇଥିବା ବିଜ୍ଞପ୍ତି ସହିତ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଉଟି କମିସନ ତରଫରୁ ଏ ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ମେ ୩ ତାରିଖ ପର୍ଯ୍ୟନ୍ତ ଖାଉଟି କମିସନ୍‌ରେ ସ୍ବାଭାବିକ୍ କାର୍ଯ୍ୟ ହେବନାହିଁ। ଏହି ସମୟରେ କିଭଳି ଭାବେ ଖାଉଟି କମିସନରେ କାର୍ଯ୍ୟ ହେବ ଓ ଜରୁରୀ ମାମଲା ଶୁଣାଣି ହେବ ସେ ନେଇ ପୂର୍ବରୁ ଜାରି କରାଯାଇଥିବା ନିୟମାବଳୀ ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀଙ୍କ ନିର୍ଦ୍ଦେଶରେ କରୋନା ପ୍ରତିଷେଧକ ବ୍ୟବସ୍ଥା ସଂପର୍କିତ ଖାଉଟି କମିସନଙ୍କ ସାନି ବିଜ୍ଞପ୍ତିରେ ଏଭଳି ନିଷ୍ପତ୍ତି ସଂପର୍କରେ ଉଲ୍ଲେଖ କରାଯାଇଛି।

ସୂଚନା ଅନୁସାରେ, ଜରୁରୀ ମାମଲା ‌କ୍ଷେତ୍ରରେ ମାମଲା ନମ୍ବର, ଅନ୍ତରୀଣ ପିଟିସନ୍, ମେମୋ, ମିସ୍‌କେସ୍ ପିଟିସନ୍, ଜରୁରୀ ମାମଲାର କାରଣ, ମୋକଦ୍ଦମାର ସଂକ୍ଷିପ୍ତ ସୂଚନା, ନଥିପତ୍ରର ସ୍କାନ କପି, କମିସନଙ୍କ ମାଧ୍ୟମରେ ମାମଲାରେ ଦାବି କରାଯାଉଥିବା ପ୍ରତିକାର(ପ୍ରାର୍ଥନା) ସଂପର୍କରେ ଇ-ମେଲ୍ ମାଧ୍ୟମରେ କମିସନଙ୍କୁ ଅବଗତ କରାଯିବ। ଜରୁରୀ କ୍ଷେତ୍ରରେ ନୂଆ ମାମଲା ଇ-ଫାଇଲିଂ ମାଧ୍ୟମରେ ଦାଖଲ ହେବ।

ସମ୍ବନ୍ଧିତ ଖବର