କଟକ : ‘କରୋନା’ ଭୂତାଣୁ ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନରେ ଜରୁରୀ ମାମଲାର ଶୁଣାଣି ଆଇନଜୀବୀ ଓ ଉପଭୋକ୍ତାଙ୍କ ଅନୁପସ୍ଥିତିରେ ହୋଇଛି। ପକ୍ଷଙ୍କ ତରଫରୁ ଦାଖଲ କରାଯାଇଥିବା ଆବେଦନ ସହିତ ନଥିପତ୍ରରେ ଥିବା ତଥ୍ୟ ଆଧାରରେ କମିସନ୍ ଶୁଣାଣି କରି ମାମଲାରେ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ସଂକ୍ରାନ୍ତରେ ପକ୍ଷଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରାଯାଇଛି।
କମିସନ ସଭାପତି ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀଙ୍କ ଆଦେଶ ଅନୁସାରେ ମାମଲାରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶ ସଂକ୍ରାନ୍ତରେ କମିସନ୍ଙ୍କ ସଚିବ ପକ୍ଷ ଥିବା ଉପଭୋକ୍ତା ଓ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ଇ-ମେଲ ମାଧ୍ୟମରେ ଅବଗତ କରିଛନ୍ତି। ଏଭଳି ପରିସ୍ଥିତିରେ ଉପଭୋକ୍ତା ଓ ଆଇନଜୀବୀମାନେ ଖାଉଟି କମିସନକୁ ବ୍ୟକ୍ତିଗତ ଭାବେ ଆସିବା ଦରକାର ପଡୁନାହିଁ। ସେମାନଙ୍କ ଅନୁପସ୍ଥିତିରେ ମାମଲାର ଶୁଣାଣି କରାଯାଇ ନିର୍ଦ୍ଦେଶ ପ୍ରଦାନ କରାଯାଉଛି ଓ ଘରେ ବସି ଇ-ମେଲ୍ ମାଧ୍ୟମରେ ନିର୍ଦ୍ଦେଶନାମାର କପି ମଧ୍ୟ ମିଳି ପାରୁଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଲକ୍ଡାଉନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଉଟି କମିସନ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ କମିସନ୍ ଓ ସମସ୍ତ ଜିଲ୍ଲା ଫୋରମ୍ରେ ସ୍ବାଭାବିକ କାର୍ଯ୍ୟ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ସମୟରେ କମିସନଙ୍କ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛି। ଆଇନଜୀବୀ ଓ ପକ୍ଷମାନେ ମୁଖ୍ୟ ମାମଲା ନମ୍ବର, ଅନ୍ତରୀଣ ପିଟିସନ୍, ମେମୋ, ମିସ୍ କେସ୍ ପିଟିସନ୍, ଜରୁରୀ ମାମଲାର କାରଣ ଓ ମୋକଦ୍ଦମାର ସଂକ୍ଷିପ୍ତ ସୂଚନା ଓ କମିସନଙ୍କ ମାଧ୍ୟମରେ ମାମଲାରେ ଦାବି କରାଯାଉଥିବା ପ୍ରତିକାର (ପ୍ରାର୍ଥନା) ସଂପର୍କରେ ଇ-ମେଲ୍ ମାଧ୍ୟମରେ କମିସନଙ୍କୁ ଅବଗତ କରୁଛନ୍ତି। ଏହାପରେ କମିସନଙ୍କ ନିକଟରେ ମାମଲାର ଶୁଣାଣି କରାଯାଉଛି। ଆଇନଜୀବୀ ଓ ଉପଭୋକ୍ତାଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ବ୍ୟବସ୍ଥା ସ୍ବାଗତଯୋଗ୍ୟ ବୋଲି କଞ୍ଜ୍ୟୁମର ବାର୍ ଆସୋସିଏସନ୍ ପକ୍ଷରୁ ସଭାପତି ଆଇନଜୀବୀ କରୁଣାକର ଜେନା କହିଛନ୍ତି।