ଜୟପୁର: ସେବା ପ୍ରଦାନକାରୀ ସଂସ୍ଥା ସହ ଖାଉଟିଙ୍କ ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଖାଉଟି ଅଦାଲତରେ ମାମଲା ବର୍ଷ ବର୍ଷ ଧରି ଶୁଣାଣି ହୋଇପାରୁନି। ଅଭିଯୋଗ ଗୁଡ଼ିକର ତ୍ବରିତ୍ ସମାଧାନ ମଧ୍ୟ ହୋଇପାରୁନି। କାରଣ ଖାଉଟି ଅଦାଲତରେ ଶୁଣାଣି ପାଇଁ ନାହାନ୍ତି ସଦସ୍ୟ। ମାମଲାର ଗୁଡ଼ିକର ଶୁଣାଣି ପାଇଁ ଖାଉଟି ଅଦାଲତରେ ସଭାପତିଙ୍କ ସହ ୨ଜଣ ସଦସ୍ୟ ରହିବା କଥା। ତେବେ ସଭାପତି ରହିଥିଲେ ସୁଦ୍ଧା ଦୁଇ ସଦସ୍ୟ ପଦବି ଖାଲି ପଡ଼ିଛି। ଜୟପୁର ସ୍ଥିତ କୋରାପୁଟ ଜିଲ୍ଲା ଖାଉଟି ବିବାଦ ସମାଧାନ ବିଚାର ମଞ୍ଚରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। କୋରାପୁଟ ଜିଲ୍ଲା ସଭାପତିଙ୍କ ସହ ନବରଙ୍ଗପୁର ଜିଲ୍ଲାର ଜଣେ ସଦସ୍ୟ ମାମଲା ଗୁଡ଼ିକର ଶୁଣାଣି କରୁଛନ୍ତି। ତାହା ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଶୁଣାଣି ହୋଇପାରୁନି। ଖାଲି ପଡ଼ିଥିବା ପଦବି ପୂରଣ ହେଉନଥିବାରୁ ଏଭଳି ବିଷମ ସ୍ଥିତି ସୃଷ୍ଟି ହୋଇଛି।
ବହୁ ସମୟରେ ଗ୍ରାହକ ସେବା ପାଇବାରେ କିମ୍ବା ସାମଗ୍ରୀ କିଣିବା ସମୟରେ ଠକାମିର ଶିକାର ହେଉଛନ୍ତି। ଠକାମିକୁ ନେଇ ଖାଉଟି ଅଦଲତର ଦାରସ୍ଥ ହେଉଥିଲେ ସୁଦ୍ଧା ନ୍ୟାୟ ମିଳିବାରେ ବିଳମ୍ବ ହେଉଛି। ଖାଉଟି ବିବାଦର ସମାଧାନ ପାଇଁ ବିଚାର ମଞ୍ଚକୁ ଆସୁଥିବା ମାମଲା ଗୁଡ଼ିକର ମାସ ମାସ ଧରି ଶୁଣାଣି ହୋଇପାରୁନି। ଜୟପୁର ସ୍ଥିତ କୋରାପୁଟ ଜିଲ୍ଲା ଖାଉଟି ବିବାଦ ସମାଧାନ ବିଚାର ମଞ୍ଚରେ ସଭାପତି ପଦବି ପୂରଣ ହୋଇଛି। ତେବେ ୨ବର୍ଷରୁ ଅଧିକ ହେଲାଣି ୨ସଦସ୍ୟ ପଦବି ଖାଲି ପଡିଛି। କେହି ସଦସ୍ୟ ନଥିବା କାରଣରୁ ନବରଙ୍ଗପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ବିଚାର ମଞ୍ଚର ସଦସ୍ୟ କୋରାପୁଟ ଆସିଲେ ମାମଲାର ଶୁଣାଣି ହୋଇପାରୁଛି।
କେବଳ ଏମିତି ଅବସ୍ଥା କୋରାପୁଟ ଜିଲ୍ଲାରେ ନୁହେଁ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାରେ ଜଣେ ସଦସ୍ୟ ହିଁ ରହିଛନ୍ତି। ସଭାପତି ଏବଂ ଗୋଟିଏ ସଦସ୍ୟ ପଦବି ଖାଲି ପଡ଼ିଛି। ସେହିପରି ମାଲକାନଗିରି ଜିଲ୍ଲାରେ ସଭାପତି ଓ ୨ଟି ଯାକ ସଦସ୍ୟ ପଦବି ଖାଲି ପଡିଛି। ଯାହାଫଳରେ କୋରାପୁଟ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ଓ ନବରଙ୍ଗପୁର ଜିଲ୍ଲା ସଦସ୍ୟା ସଲମା ବାନୁଙ୍କୁ ତିନୋଟି ଜିଲ୍ଲାରେ ଦାଖଲ ହେଉଥିବା ମାମଲା ଗୁଡ଼ିକର ଶୁଣାଣି କରିବାକୁ ପଡ଼ୁଛି। ପ୍ରତି ସପ୍ତାହର ସୋମବାର ଓ ମଙ୍ଗବାର ଦିନ କୋରାପୁଟ ଜିଲ୍ଲାରେ ମାମଲାର ଶୁଣାଣି କରୁଛନ୍ତି। ବୁଧବାର ଓ ଗୁରୁବାର ଦିନ ମାଲକାନଗିରି ଜିଲ୍ଲା, ଶୁକ୍ରବାର ଓ ଶନିବାର ଦିନ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି। ପ୍ରତି ସପ୍ତାହରେ ମାତ୍ର ଦୁଇ ଦିନ ପାଇଁ ଗୋଟିଏ ଜିଲ୍ଲାରେ ମାମଲାର ଶୁଣାଣି ହୋଇପାରୁଛି।
କୋରାପୁଟ ଜିଲ୍ଲାରେ ପ୍ରତି ମାସରେ ପାଖାପାଖି ୯ରୁ ୧୦ଟି ମାମଲା ରୁଜୁ ହେଉଛି। କିନ୍ତୁ ଦୁଇ ଦିନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ସମସ୍ତ ମାମଲାର ଶୁଣାଣି ହୋଇପାରୁନି। ଏମିତି ଶୁଣାଣି ନ ହୋଇ ଗତ ଡିସେମ୍ବର ମାସ ସୁଦ୍ଧା କୋରାପୁଟ ଜିଲ୍ଲାରେ ପାଖାପାଖି ୨୧୧ଟି ମାମଲା ପଡ଼ି ରହିଛି। ଅନ୍ୟପକ୍ଷରେ ଅଦାଲତକୁ ଚଲାଇବାକୁ ଅତି କମ୍ରେ ଦୁଇ ଜଣଙ୍କ ଆବଶ୍ୟକତା ରହୁଥିବା ବେଳେ କୌଣସି କାରଣରୁ ଜଣେ ଯଦି ଛୁଟିରେ ଯାଉଛନ୍ତି ତେବେ ଶୁଣାଣି ପ୍ରକ୍ରିୟା ବନ୍ଦ ରହୁଛି। ଏ ନେଇ ସରକାର ଭଲ ରୂପେ ଅବଗତ ରହିଥିଲେ ମଧ୍ୟ ଖାଉଟିଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ ଦେଉନଥିବା ଖାଲି ପଡ଼ିଥିବା ପଦବିରୁ ସ୍ପଷ୍ଟ ହୋଇଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/JPR-Consumer-court-khauti.jpg)