ହିତାଧିକାରୀଙ୍କୁ ମିଳୁନି ରାସନ କାର୍ଡ

୧୩ ଜିଲ୍ଲାପାଳଙ୍କୁ ଖାଦ୍ୟ ସୁରକ୍ଷା କମିସନଙ୍କ ଚିଠି

ଭୁବନେଶ୍ବର : ୧୩ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ତୁରନ୍ତ ରାସନ କାର୍ଡ ପ୍ରଦାନ କରିବା ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା କମିସନ। ଯେଉଁ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ରାସନ କାର୍ଡ ବଣ୍ଟନ କରାଯାଇ ନାହିଁ ସେସବୁ ଅଞ୍ଚଳଗୁଡ଼ିକୁ ଗୁରୁତ୍ବର ‌ସହ ‌ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓଙ୍କୁ କୁହାଯାଇଛି। ଏପରିକି କମିସନଙ୍କ ପକ୍ଷରୁ ଯେଉଁ ଟିଏସ୍‌ପି ବ୍ଲକ୍‌ଗୁଡ଼ିକ ସଂପର୍କରେ ଉଲ୍ଲେଖ କରାଯାଇଛି ଯଦି ଏହା ଉପରେ କୌଣସି ପଦକ୍ଷେପ ନ ନିଆଯାଏ ତେବେ ସଂପୃକ୍ତ ବିଡିଓ କମିସନଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଚିଠିରେ ଉଲ୍ଲେଖ ରହିଛି।

କମିସନ କହିଛନ୍ତି, ରାଜ୍ୟର ୧୧୯ଟି ଟିଏସ୍‌ପି ବ୍ଲକ୍‌ରେ ଯେଉଁ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଛନ୍ତ ସେମାନଙ୍କ ସଂପର୍କରେ ତଥ୍ୟ ମଗାଯାଇଥିଲା। ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ୧୦ହଜାର ୮୩୮ଟି ଆବେଦନ ହୋଇଥିବା ବେଳେ ସେଥିରୁ ୧୪୪୦ ଆବେଦନପତ୍ର ପଡ଼ି ରହି ରହିଛି। ୫୪୩ ପରିବାର ଡ୍ରାଫଟ ଏଫ୍‌ପିଏଲରେ ସାମିଲ ହୋଇଥିଲେ ହେଁ ସେମାନଙ୍କୁ ରାସନ କାର୍ଡ ମିଳିପାରି ନାହିଁ। ତେଣୁ ଘରକୁ ଘର ସର୍ଭେ କରାଯାଇ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦେଶ ଦିଆଯାଇଛି। ଅଧିକ ସମସ୍ୟା ଥିବା ଦେବଗଡ଼ର ‌ତିଲେଇବେଣି, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କଳାହାଣ୍ଡିର ଥୁଆମୂଳା ରାମପୁର, ସୁନ୍ଦରଗଡ଼, ବାଲେଶ୍ବରର ନୀଳଗିରି, ମାଲାକାନାଗିରିର ସମସ୍ତ ବ୍ଲକ୍, ସମ୍ବଲପୁରର ବାମରା, ଜାମନକିରା, କୁଚିଣ୍ଡା, ବନ୍ଧୁଗାଁ, ବୈପାରୀଗୁଡ଼ା, ଦାସମନ୍ତପୁର, ଜୟପୁର, କୁନ୍ଦ୍ରା, ଲମତାପାଟ, ନନ୍ଦପୁର, ନାରାୟଣପାଟଣା, ସିମିଳିଗୁଡ଼ା, ଝୁମ୍ପୁରା, କେଉଁଝର ସଦର, ପାଟଣା, ସହରପଡ଼ା, ତେଲକୋଇ, ବାରିପଦା, ଗୋପବନ୍ଧୁ ନଗର ଓ କରଞ୍ଜିଆ ବ୍ଲକ୍‌ରେ ତୁରନ୍ତ ହିତାଧିକାରୀଙ୍କୁ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଆସନ୍ତାମାସ ୧୫ତାରିଖ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କମିସନ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର