ଭୁବନେଶ୍ବର : ଘନ ଘନ ବିଦ୍ୟୁତ୍ କାଟ୍କୁ ନେଇ ସାରା ରାଜ୍ୟରେ ଆବଣ୍ଟନ କଂପାନିଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଠିକ୍ ଏମିତି ସମୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନେ ନିରବଚ୍ଛିନ୍ନ ବା ଗୁଣାତ୍ମକ ବିଦ୍ୟୁତ୍ ସେବା ତ ପାଉନାହାନ୍ତି, ବରଂ ମହାରାଷ୍ଟ୍ର, ଆସାମ ଓ ମିଜୋରାମକୁ ଛାଡ଼ିଦେଲେ ସବୁଠାରୁ ମହଙ୍ଗା ବିଦ୍ୟୁତ୍ ମୂଲ୍ୟ ପୈଠ କରିଆସୁଛନ୍ତି। ଭାରତର ଉପଭୋକ୍ତାମାନେ ପୈଠ କରୁଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟ ଠାରୁ ୟୁନିଟ୍ ପିଛା ୯୦ ପଇସା ଅଧିକ।
ଏକଥା ଆମେ କହୁନାହୁଁ, ସଦ୍ୟ ପ୍ରକାଶିତ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାୱାର ଫିନାନ୍ସ କର୍ପୋରେସନ (ପିଏଫ୍ସି) ୨୦୨୧-୨୨ ବର୍ଷ ରିପୋର୍ଟରୁ ଏହା ଜଣାପଡ଼ିଛି। ଅର୍ଥାତ୍ ଓଡ଼ିଶାର ଉପଭୋକ୍ତା ସୁଲଭ ମୂଲ୍ୟରେ ବିଦ୍ୟୁତ୍ ପାଇବା ପାଇଁ ୧୯୯୫ ମସିହାରେ ଯେଉଁ ସଂସ୍କାର ଅଣାଯାଇଥିଲା, ତାହା ଫେଲ୍ ମାରିଛି। ଓଲଟା ଘରୋଇକରଣ ଯନ୍ତ୍ରଣା ଅସହ୍ୟ ହେଲାଣି। ଅଧିକ ମୂଲ୍ୟ ଦେଇ ଖରାପ ସେବା ପାଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ରିପୋର୍ଟ ଉପରେ ସରକାର କିମ୍ବା ଓଇଆର୍ସି (ଓଡ଼ିଶା ବିଦ୍ୟୁତ୍ ନିୟମ ଆୟୋଗ) ତନାଘନା କରୁନାହାନ୍ତି କି କାହିଁକି ଉପଭୋକ୍ତା ଅଧିକ ବିଲ୍ ପୈଠ କରିବେ ସେ ସଂକ୍ରାନ୍ତ କାରଣ ଖୋଜିବା ଲାଗି ଉଦ୍ୟମ ହୋଇନାହିଁ।
ବିଦ୍ୟୁତ୍ ସଂସ୍କାର ଫେଲ୍; ଘନଘନ ବିଦ୍ୟୁତ୍ କାଟ ଓ ଗୁଣାତ୍ମକ ବିଜୁଳି ବି ନାହିଁ
/sambad/media/post_attachments/wp-content/uploads/2022/03/electricity-ad-750x430.jpg)
ଅନ୍ୟପଟରେ ଏହି ରିପୋର୍ଟ ଆଧାରରେ ଶକ୍ତି ସମୀକ୍ଷକ ଅନ୍ୟ ଯେଉଁ ପ୍ରସଙ୍ଗଟି ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି, ତାହା ହେଲା- ଓଡ଼ିଶାରେ ଆୟୋଗ ବିଜ୍ଞପିତ କରୁଥିବା ଖୁଚୁରା ବିଦ୍ୟୁତ୍ ମୂଲ୍ୟ ସହିତ ଟାରିଫ୍ ଆଦେଶରେ ଅନୁମୋଦିତ ହେଉଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟର କୌଣସି ସଂପର୍କ ନାହିଁ। ଅର୍ଥାତ୍ ଫି ବର୍ଷ ବିଦ୍ୟୁତ୍ ମୂଲ୍ୟ ନିର୍ଧାରଣ ଲାଗି ଆୟୋଗ ଯେଉଁ ୧୨୦ ଦିନର ଶୁଣାଣି କରୁଛନ୍ତି ତାହା ପ୍ରହସନ ବୋଲି ଏହି ମହଲର ମତ।
ପୂର୍ବରୁ ୨୦୧୯-୨୦ ବର୍ଷ ଲାଗି ପିଏଫ୍ସି ରିପୋର୍ଟ ପ୍ରକାଶିତ ହୋଇଥିଲା। ୨୦୨୦-୨୧ ଥିଲା କରୋନା ବର୍ଷ। ଏଣୁ ଏହି ବର୍ଷ ପ୍ରକାଶିତ ରିପୋର୍ଟଟି ଅନ୍ୟ ସାଧାରଣ ବର୍ଷର ରିପୋର୍ଟ ସହିତ ତୁଳନୀୟ ନୁହେଁ। ଏଣୁ ୨୦୨୧-୨୨ ବର୍ଷ ପାଇଁ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ୍ ଆବଣ୍ଟନ ସଂସ୍ଥାର କାର୍ଯ୍ୟଦକ୍ଷତା ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି।
୨୦୧୯-୨୦ବର୍ଷ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନେ ଭାରତବର୍ଷର ଅନ୍ୟ ୨୦ଟି ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଅଧିକ ମୂଲ୍ୟ ପୈଠ କରୁଛନ୍ତି। ୨୦୨୧-୨୨ ରିପୋର୍ଟ କହୁଛି ଯେ ମହାରାଷ୍ଟ୍ର, ଆସାମ ଓ ମିଜୋରାମରେ ବିଦ୍ୟୁତ୍ ମୂଲ୍ୟ ଯଥାକ୍ରମେ ୟୁନିଟ୍ ପିଛା ୬ଟଙ୍କା ୬୬ ପଇସା, ୬ଟଙ୍କା ୨୭ ଓ ୬ ଟଙ୍କା ୬୭ ପଇସା ରହିଥିଲା। ସେବର୍ଷ ଓଡ଼ିଶାର ଉପଭୋକ୍ତା ୟୁନିଟ୍ ପିଛା ୫ ଟଙ୍କା ୯୮ ପଇସା ହିସାବରେ ଦେୟ ପ୍ରଦାନ କରିଥିଲେ। ଏଠାରେ ସ୍ମରଣଥାଉକି ଏହି ସମୟରେ ଭାରତର ବିଦ୍ୟୁତ୍ ଉପଭୋକ୍ତାମାନେ ପୈଠ କରୁଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟ ଥିଲା ୫ ଟଙ୍କା ୮ ପଇସା।
/sambad/media/post_attachments/wp-content/uploads/2020/08/Electricity-750x430.jpg)
ସେହିଭଳି ଘରୋଇକରଣ ହୋଇଥିବା ଅଞ୍ଚଳର ବିଦ୍ୟୁତ୍ ଚିତ୍ର ସଂପର୍କରେ ତର୍ଜମା କରିବା ବେଳେ ଆଉ ଏକ ଚିତ୍ର ସାମ୍ନାକୁ ଆସୁଛି। ତାହା ହେଲା- ଭାରତର ଅନ୍ୟ କୌଣସି ରାଜ୍ୟ ଓଡ଼ିଶା ଭଳି ବିଦ୍ୟୁତ ଆବଣ୍ଟନ ବ୍ୟବସ୍ଥାର ଘରୋଇକରଣ କରିନାହାନ୍ତି। ତିନୋଟି ରାଜ୍ୟ ଯଥା ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟର କିଛି କିଛି ଅଞ୍ଚଳରେ ଘରୋଇକରଣ ହୋଇଛି। ତେବେ ଓଡିଶା ସମେତ ଘରୋଇକରଣ ହୋଇଥିବା ଅନ୍ୟ ରାଜ୍ୟର ଉପୋଭୋକ୍ତାମାନେ ହାରାହାରି ୟୁନିଟ ପିଛା ୬ ଟଙ୍କା ୫୯ ପଇସା ବିଦ୍ୟୁତ ମୂଲ୍ୟ ପଇଠ କରୁଛନ୍ତି; ଯାହା ଜାତୀୟ ହାରାହାରି ମୂଲ୍ୟ ଠାରୁ ୟୁନିଟ ପିଛା ୧ ଟଙ୍କା ୫୧ ପଇସା ଅଧିକ। ଅର୍ଥାତ୍ ସ୍ପଷ୍ଟ ଭାବେ କହିହେବ ଯେ ଘରୋଇକରଣ ହୋଇଥିବା ରାଜ୍ୟର ଉପଭୋକ୍ତାମାନେ ସବୁବେଳେ ଅଧିକ ବିଦ୍ୟୁତ୍ ମୂଲ୍ୟ ଆବଣ୍ଟନ କମ୍ପାନିକୁ ପୈଠ କରୁଛନ୍ତି। ଏ କ୍ଷେତ୍ରରେ ଦେଶର ରାଜଧାନୀ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ମଧ୍ୟ ଉଦାହରଣ ଭାବେ ନିଆଯାଇପାରେ। ସେଠାରେ ଓଡ଼ିଶା ରାଜ୍ୟ ଭଳି ବିଦ୍ୟୁତ୍ କ୍ଷେତ୍ରର ଘରୋଇକରଣ କରାଯାଇଛି। ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମୁକ୍ତ ବିଦ୍ୟୁତ୍ ମିଳୁଛି। ହେଲେ ଦିଲ୍ଲୀର ଉପଭୋକ୍ତା ୟୁନିଟ୍ ପିଛା ୬ ଟଙ୍କା ୫୪ ପଇସାରେ ବିଦ୍ୟୁତ୍ ପାଉଛନ୍ତି।
ଏହି ରିପୋର୍ଟକୁ ଅନୁଶୀଳନ ପରେ ଜଣାପଡ଼ିଛି ଯେ ଓଡ଼ିଶାର ପଡ଼ୋଶୀ ଉପଭୋକ୍ତାମାନେ ଯଥେଷ୍ଟ କମ୍ ମୂଲ୍ୟରେ ବିଦ୍ୟୁତ୍ ଦେୟ ପୈଠ କରୁଛନ୍ତି। ମଧ୍ୟପ୍ରଦେଶ ବିଦ୍ୟୁତ୍ ଉପଭୋକ୍ତା ୟୁନିଟ୍ ପିଛା ୩ଟଙ୍କା ୪୦ ପଇସା ହାରରେ ପୈଠ କରୁଥିବା ବେଳେ ଛତିଶଗଡ଼ର ଉପଭୋକ୍ତା ୩ଟଙ୍କା ୮୨ ପଇସା, ପଶ୍ଚିମବଙ୍ଗ ଉପଭୋକ୍ତା ୫ ଟଙ୍କା ୬୮ ପଇସା, ତେଲେଙ୍ଗାନା ୪ଟଙ୍କା ୬୫ ପଇସା, ଆନ୍ଧ୍ରପ୍ରଦେଶ ୪ଟଙ୍କା ୬୧ ପଇସା ଏବଂ ଝାଡ଼ଖଣ୍ଡର ବିଦ୍ୟୁତ୍ ଉପଭୋକ୍ତା ହାରାହାରି ୪ଟଙ୍କା ୨୭ ପଇସା ହାରରେ ବିଦ୍ୟୁତ୍ ମୂଲ୍ୟ ପୈଠ କରୁଛନ୍ତି। ସେହିଭଳି ରାଜସ୍ଥାନ ଉପଭୋକ୍ତା ୪ଟଙ୍କା ୧୩ ପଇସା, ପଞ୍ଜାବ ଉପଭୋକ୍ତା ୪ଟଙ୍କା ୨୪ ପଇସା ଏବଂ ତାମିଲନାଡ଼ୁ ଉପଭୋକ୍ତା ୪ ଟଙ୍କା ୭୩ ପଇସା ହାରରେ ବିଦ୍ୟୁତ୍ ମୂଲ୍ୟ ପୈଠ କରୁଛନ୍ତି।
ଏହି ରିପୋର୍ଟକୁ ନେଇ ଶକ୍ତି ସମୀକ୍ଷକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତା ପୈଠ କରୁଥିବା ଉଚ୍ଚ ମୂଲ୍ୟର କାରଣ ସଂପର୍କରେ ଏହି ମହଲର କହିବା କଥା ହେଉଛି, ଆୟୋଗ ଯେଉଁ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ଉପୋଭୋକ୍ତାଙ୍କ ପାଇଁ ବିଜ୍ଞପିତ କରୁଛନ୍ତି ତାହାର କୌଣସି ସମ୍ପର୍କ ଆୟୋଗଙ୍କ ଟାରିଫ୍ ଜନଶୁଣାଣି ଓ ନିର୍ଣ୍ଣୟ ପ୍ରଣାଳୀ ସହିତ ନାହିଁ। କାରଣ ଏଠାରେ ବିଦ୍ୟୁତ୍ (ଖୁଚୁରା ବିଦ୍ୟୁତ୍) ମୂଲ୍ୟ ଧାର୍ଯ୍ୟ ପ୍ରଣାଳୀ ଆୟୋଗଙ୍କ ମନମୁଖୀ ଏବଂ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନର ପରିପନ୍ଥୀ। ଫି ବର୍ଷ ବିଦ୍ୟୁତ୍ ଦର ଧାର୍ଯ୍ୟ ବେଳେ ଆୟୋଗ ହାରାହାରି ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ କରୁଛନ୍ତି। ଏଲ୍ଟି, ଏଚ୍ଟି ଏବଂ ଇଏଚ୍ଟି ବର୍ଗର ଉପଭୋକ୍ତାଙ୍କ ପାଇଁ ପୃଥକ୍ ପୃଥକ୍ ତିନୋଟି ହାରାହାରି ମୂଲ୍ୟ ନିର୍ଣ୍ଣୟ କରୁଛନ୍ତି। ହେଲେ ଏହି ମୂଲ୍ୟ କିନ୍ତୁ ବିଭିନ୍ନ ଉପଭୋକ୍ତା ଶ୍ରେଣୀ ଅନୁଯାୟୀ ବିଭକ୍ତିକରଣ ହେଉନାହିଁ। ପରିଣାମ ହେଲା, ଏସବୁ ଶ୍ରେଣୀ ଯେଉଁ ମୂଲ୍ୟ ଦେଉଛନ୍ତି, ତାହାକୁ ମିଶାଇଲେ ଦେଖାଯାଉଛି ଯେ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ବିଦ୍ୟୁତ୍ ମୂଲ୍ୟଠାରୁ ଏହା ଅଧିକ ରହୁଛି।
/sambad/media/post_attachments/wp-content/uploads/2022/04/electricity-750x430.jpg)
ଆଲୋଡ଼ନ ସୃଷ୍ଟି କରିବା ଭଳି ତଥ୍ୟଟି ହେଉଛି, ଆବଣ୍ଟନ କମ୍ପାନି ଗତ ତିନି ବର୍ଷରେ ଏହିଭଳି ଭାବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ୟୁନିଟ୍ ପିଛା ହାରାହାରି ୧ଟଙ୍କା ୨୭ ପଇସା ହିସାବରେ ୨୭୨୭ କୋଟି ଟଙ୍କା ଅଧିକ ଅସୁଲ କରିଛନ୍ତି। ବିଦ୍ୟୁତ୍ ଆଇନର ଧାରା ୬୨(୬) ଅନୁସାରେ ଆବଣ୍ଟନ କମ୍ପାନି ସୁଧ ସହ ଉପୋଭୋକ୍ତାଙ୍କୁ ଏହି ଅର୍ଥ ଫେରସ୍ତ କରିବା କଥା।
ଚଳିତବର୍ଷ ଏହି ପ୍ରସଙ୍ଗ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଆୟୋଗ ଏହାକୁ ଗ୍ରହଣ ମଧ୍ୟ କଲେ। କିନ୍ତୁ ଏତେ ପରିମାଣର ଅର୍ଥ କେମିତି ଓ କାହାକୁ ପୈଠ କରାଯିବ, ସେ ସଂକ୍ରାନ୍ତ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବା ବଦଳରେ ଆୟୋଗ ଆବଣ୍ଟନ କଂପାନିଙ୍କ ଉପରକୁ ଦାୟିତ୍ବ ଠେଲିଦେଲେ। ଅର୍ଥାତ୍ ଉପଭୋକ୍ତା ନିଜ ଆବଣ୍ଟନ କଂପାନିଙ୍କ ପାଖରେ ଆବେଦନ କରିବ ଓ ପୈଠ କରିଥିବା ଅଧିକ ଅର୍ଥ ସୁଧ ସହିତ ସେଠାରୁ ଫେରସ୍ତ ପାଇବ।
ଏେବ ପ୍ରଶ୍ନ ଉଠୁଛି, କେଉଁ ଉପଭୋକ୍ତା କେତେ ଅଧିକ ଅର୍ଥ କେବେ ପୈଠ କରିଛନ୍ତି, ଏକଥା ସେମାନେ ଜାଣିବେ କେମିତି? ନା ଟାରିଫ୍ ଅର୍ଡରରେ ଏ ନେଇ କିଛି ବ୍ୟବସ୍ଥା ଅଛି ନା ଆବଣ୍ଟନ କଂପାନିଙ୍କ ଲେଜର ବହି ସର୍ବସାଧାରଣକୁ ଆସିପାରିବ। ଅର୍ଥାତ୍ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦଳିଚକଟି ଦେଇ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ଲାଗି ଗୋଟିଏ ଷଡ଼ଯନ୍ତ୍ର ଚାଲିଛି, ଏକଥା ଆଉ କାହାକୁ ଅବୁଝା ନାହିଁ।