୩ ପଶ୍ଚିମବଙ୍ଗ ଫେରନ୍ତା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କଲା ଜିଲ୍ଲା ପ୍ରଶାସନ, ସରକାରୀ ସଙ୍ଗରୋଧରେ ଥିଲେ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ୧୧ରେ ପହଞ୍ଚିଛି। ଫଳରେ ଏହା ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲାରେ ପରିଣତ ହୋଇଛି। ତେବେ ଭଦ୍ରକ ଜିଲ୍ଲାକୁ କାଳ ହୋଇଛି କ୍ରମଶଃ ବଢ଼ିଚାଲିଥିବା କୋଲକାତା ଫେରନ୍ତାଙ୍କ ସଂଖ୍ୟା। ଆଉ ଆଜି ଚିହ୍ନଟ ହୋଇଥିବା  ୩ ଆକ୍ରାନ୍ତ ବାସୁଦେବପୁର ବ୍ଲକ ଅଞ୍ଚଳର ହୋଇଥିବାରୁ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତେଣେ ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଲୁଙ୍ଗା, ଅଢୁଆଁ ଓ ଲକ୍ଷ୍ମୀଦାସପୁର ପଞ୍ଚାୟତର ବାସିନ୍ଦା । ପୂର୍ବରୁ ଲକ୍ଷ୍ମୀଦାସପୁର କଣ୍ଟେନମେଣ୍ଟ୍ ଜୋନ୍ ହୋଇ ସାରିଥିବା ବେଳେ ଲୁଙ୍ଗା ଓ ଅଢୁଆଁକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଆକ୍ରାନ୍ତମାନେ  ବାସୁଦେବପୁର ହାଇସ୍କୁଲରେ ଥିବା ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ଏବେ ପ୍ରଶାସନ ଓ ପୁଲିସ  ସେଠାରେ ପହଞ୍ଚି  ସେମାନଙ୍କୁ ହସ୍ପିଟାଲକୁ ନେବାକୁ ଯୋଜନା କରୁଛି। ତେଣେ ଏମାନଙ୍କ ସହ କିଏ କିଏ ସମ୍ପର୍କରେ ଆସିଛନ୍ତି ସେମାନଙ୍କ ସହ ଯୋଗାଯୋଗ ଆରମ୍ଭ କରିଛି ପ୍ରଶାସନ। ଜିଲ୍ଲାର ମୋଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୨ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ପ୍ରଥମେ ୩ ପଜିଟିଭ୍ ବାହାରିବ ପରେ ୧୯ ତାରିଖରେ ୫ ଓ  ଆଜି ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୨୨ ତାରିଖ ସକାଳେ ଘୋଷିତ ୩ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଜାରି କରାଯାଇଛି। ଏହି ତିନି ଜଣ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି। ପୂର୍ବରୁ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହ ଏମାନେ ଗୋଟିଏ ଗାଡ଼ିରେ କୋଲକାତାରୁ ଫେରିଥିଲେ। ଏହି ୩ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୦, ୫୫ ଓ ୩୫ ବର୍ଷ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର