ହାତୀ ପାଇଁ କଣ୍ଟେନର ବ୍ୟବସ୍ଥା, ସୁରକ୍ଷିତ ରହିବ ଗାଁ ଲୋକଙ୍କ ଶସ୍ୟ

କେନ୍ଦୁଝର : ହାତୀ ପାଇଁ ହେବ କଣ୍ଟେନର ବ୍ୟବସ୍ଥା। ହାତୀ ଉପଦ୍ରବ କରୁଥିବା ଗାଁ ଗୁଡ଼ିକରେ ଲୋକଙ୍କ ଧାନ, ମୁଗ ଭଳି ଶସ୍ୟ ସାଇତି ରଖିବା ପାଇଁ ବନ ବିଭାଗ ଏଭଳି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଶସ୍ୟ ଖାଇବାକୁ ଗାଁକୁ ପଶି ଆସି ମଣିଷଙ୍କୁ ଆକ୍ରମଣ କରୁଥିବା ଘଟଣା କମିବ ବୋଲି ଆଶା କରାଯାଉଛି।

ଜିଲ୍ଲାର ଅଧିକାଂଶ ଅଂଚଳରେ ଜଙ୍ଗଲ ପରିପୂର୍ଣ୍ଣ। ସେଥିପାଇଁ ଏହି ଜଙ୍ଗଲ ଅଂଚଳରେ ଥିବା ଜନ ବସିତିର ବାସିନ୍ଦାଙ୍କ ସହିତ ଅଧିକାଂଶ ସମୟରେ ବନ୍ୟ ଜନ୍ତୁ ମୁହାଁ ମୁହିଁ ହୋଇଥାନ୍ତି। ବିଶେଷ କରି ଏଠାରେ ହାତୀ ଆକ୍ରମଣର ମୃତ୍ୟୁ ସଂଖ୍ୟା ଅଧିକ। ଖାଲି ସେତିକି ନୁହେଁ, ଗାଁକୁ ହାତୀ ପଲ ପଶିବା ପରେ ଘର ଭାଙ୍ଗିବା ସହିତ ମଣିଷଙ୍କୁ ଆକ୍ରମଣ, ଫସଲ ନଷ୍ଟ, ବାଡ଼ିବଗିଚା ନଷ୍ଟ କରିଥାନ୍ତି। ସାଧାରଣ ଲୋକଙ୍କୁ ଏହି ହାତୀ ଉପଦ୍ରବରୁ ରକ୍ଷା କରିବାକୁ କେନ୍ଦୁଝର ବନ ବିଭାଗ ଏକ କଣ୍ଟେନର ବ୍ୟବସ୍ଥା କରିବାକୁ ରଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି।

ସାଧାରଣତଃ ଫସଲ ଅମଳ ପରେ ହାତୀପଲ ଜଙ୍ଗଲରେ ଖାଦ୍ୟ ନ ପାଇବାରୁ ଗାଁ’ଗୁଡିକରେ ପଶି ଘର ଭିତରେ ଥିବା ଧାନ ବସ୍ତାରୁ ଧାନ ଖାଇ ଯାଇଥାନ୍ତି। ଗାଁରେ ଘର ଭିତରେ ଥିବା ଶସ୍ୟ ଆକର୍ଷଣରେ ହାତୀପଲ ସବୁ ଗାଁକୁ ପଶିଥାନ୍ତି। ବାଡି ବଗିଚା ନଷ୍ଟ କରବା ଏବଂ ଘରଦ୍ବାର ଭାଙ୍ଗିବା ସହିତ ମଣିଷଙ୍କୁ ଅକ୍ରମଣ କରିଥାନ୍ତି।

The Rising Nepal

ସୂଚନା ଅନୁସାରେ, ୨୦୨୦-୨୧ ମସିହାରେ କେନ୍ଦୁଝର ଜିଲ୍ଲାରେ ମୋଟ ୬ ଜଣଙ୍କ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ୨୦୨୧-୨୨ରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୨-୨୩ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ତିନି ବର୍ଷ ମଧ୍ୟରେ ମୋଟ ୩୧ ଜଣଙ୍କର ମୃତ୍ୟୁ ହୋଇଛି।

ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୋଟ ୩୧ ଜଣଙ୍କର ମୃତ୍ୟୁବରଣ ହୋଇଥିଲେ ବି ତିନି ବର୍ଷରେ ମୋଟ ୧୪ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିମଧ୍ୟରୁ ୨୦୨୦-୨୧ ବର୍ଷରେ ୪୯ ଜଣ ଆହତ ହୋଇଥିବା ବେଳେ ୨୦୨୧-୨୨ ବର୍ଷରେ ୫୩ ଜଣ ଆହତ ହୋଇଛନ୍ତି। ସେହିପରି ୨୦୨୨-୨୩ ବର୍ଷରେ ମୋଟ ୪୨ ଜଣ ବନ୍ୟଜନ୍ତୁଙ୍କ ଆକ୍ରମଣର ଆହତ ‌ହୋଇଛନ୍ତି।

ହାତୀ ପାଇଁ ଗତ ତିନି ବର୍ଷରେ ପ୍ରାୟ ୯ ହଜାରରୁ ଊର୍ଦ୍ଧ୍ବ ଏକର ଜମିର ଫସଲ ନଷ୍ଟ ହୋଇଛି। ୨୦୨୦-୨୧ ବର୍ଷରେ ମୋଟ ୩୬୮୩ ଜଣଙ୍କର ୭୯୮ ଏକର ଜମିର ଫସଲ ନଷ୍ଟ କରିଥିାବ ବେଳେ ୨୦୨୧-୨୨ ବର୍ଷରେ ୨୧୦୭ ଜଣଙ୍କର ୮୦୪୮ ଏକର ଜମିର ଫସଲ ନଷ୍ଟ କରିଛନ୍ତି। ୨୦୨୨-୨୩ ବର୍ଷରେ ୨୭୫୪ ଜଣଙ୍କର ୮୪୭ ଏକର ଫସଲ ନଷ୍ଟ ‌ହୋଇଛି।

ହାତୀ ଆକ୍ରମଣ ପାଇଁ ୨୦୨୦-୨୧ ବର୍ଷରେ ମୋଟ ୧୩୯ ଜଣଙ୍କର ଘର ଭାଙ୍ଗି ଥିବା ବେଳେ ୨୦୨୧-୨୨ ବର୍ଷ‌ରେ ୧୮୫ ଜଣଙ୍କର ଘର ଭାଙ୍ଗିଛି। ୨୦୨୨-୨୩ ବର୍ଷରେ ୨୧୭ ଜଣଙ୍କର ଘର ଭାଙ୍ଗିଛି। ବାରମ୍ବାର ଘର ଭାଙ୍ଗିବା ଏବଂ ଫସଲ ନଷ୍ଟ ହେବା ସହିତ ଜୀବନହାନି କାରଣରୁ ବନ ବିଭାଗ ଏଭଳି ଅଭିନବ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛି।

ବନ ବିଭାଗର ପ୍ରସ୍ତାବ ଅନୁସାରେ, ଜିଲ୍ଲା‌ରେ ପ୍ରଥମ ପର୍ଯ୍ୟାୟରେ ତେଲକୋଇ ଏବଂ ବିଜେପି ରେଂଜରେ ଏହି ‌ଯୋଜନା କାର୍ଯ୍ୟକାରୀ ହେବ। ଏହି ଦୁଇଟି ରେଂଜର ୪୦ଟି ଗାଁରେ କଣ୍ଟେନର ରହିବ। ପ୍ରତ୍ୟେକ କଣ୍ଟେନରର ମୂଲ୍ୟ ୪ ଲକ୍ଷ ୯୦ ହଜାର ଟଙ୍କା।

କଣ୍ଟେନରଗୁଡ଼ିକ ଗାଁ ମୁଣ୍ଡରେ ରହିବ। ସେଠାରେ ଗାଁର ସମସ୍ତଙ୍କ ପାଇଁ ଶସ୍ୟ ରଖିବା ବ୍ୟବସ୍ଥା ହେବ। ସେଠାରେ ଗାଁ ଲୋକ ଶସ୍ୟ ରଖିବେ। ଶସ୍ୟ ରହିଥିବା କଣ୍ଟେନର ଚାରି ପାଖରେ ଟ୍ରେଞ୍ଚ  ଖୋଳା ହେବ। ଯେପରି ହାତୀ ଏହି କଣ୍ଟେନର ପାଖକୁ ଯାଇ ପାରିବେ ନାହିଁ।

ଗାଁର ଶସ୍ୟ କଣ୍ଟେନରରେ ରହିଲେ, ଗାଁ ଭିତରକୁ ଆଉ ହାତୀ ପଲ ଆସି ପାରିବେ ନାହଁ । ଯାହାଦ୍ବାରା ହାତୀ-ମଣିଷ ଲଢ଼େଇ ହେବନି କି ଘର ଦ୍ବାରା ଭାଙ୍ଗିବନି ବୋଲି ବନ ବିଭାଗ ଅନୁମାନ କରୁଛି।

ସମ୍ବନ୍ଧିତ ଖବର