ପୁରୀ/ବ୍ରହ୍ମଗିରି : ପାରାଦୀପର ବ୍ଲାକ୍ରୋଜ୍ ଭଳି ଚିଲିକାର ରାଜହଂସ ନିକଟରେ ବୁଡ଼ି ରହିଥିବା ମାଲେସିଆ ଜାହାଜ ଜିନବାହା-୩୨ର ବିଶାଳ କଣ୍ଟେନର ଚିଲିକା ପାଇଁ ବିପଦ ସୃଷ୍ଟି କଲାଣି। ଗତ ୪ ମାସ ହେବ ଚିଲିକାର ରାଜହଂସ ନିକଟରେ ବୁଡ଼ି ରହିଥିବା ଏହି କଣ୍ଟେନର୍ ପୋତି ହୋଇଗଲାଣି। ସମୁଦ୍ର ଜୁଆରରେ ଏହି ବିଶାଳ କଣ୍ଟେନର୍ ସମୁଦ୍ର ଗର୍ଭକୁ ଚାଲିଯିବାର ଆଶଙ୍କା ରହିଛି। ଏହା ସମୁଦ୍ରରେ ବୁଡି ରହିବା ଦ୍ବାରା ଚିଲିକାର ଜୈବ ବିବିଧତା ଓ ଜଳଜୀବ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଥିବା ପରିବେଶବିତ୍ମାନେ ଅଭିଯୋଗ କରିଛନ୍ତି। ଚିଲିକା ଉପକୂଳକୁ ଅଣ୍ଡା ଦେବାକୁ ଆସିବାକୁ ଥିବା ବିରଳ ଅଲିଭ୍ରିଡ୍ଲେ କଇଁଛ ଏହା ଦ୍ବାରା ପ୍ରଭାବିତ ହେବେ।
ବୁଡ଼ି ରହିଥିବା ଏହି କଣ୍ଟେନର୍ ଦ୍ବାରା ପ୍ରଭାବିତ ହେବା ସହିତ କଇଁଛ ଉପକୂଳକୁ ଉଠି ପାରିବେ ନାହିଁ ବୋଲି ପରିବେଶବିତ୍ ମତ ରଖିଛନ୍ତି। ସେପଟେ ଡଲଫିନ୍ ଓ ଚିଲିକାକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ବୁଡ଼ି ରହିଥିବା କଣ୍ଟେନର୍ ବିପଦ ସୃଷ୍ଟି କରୁଛି। ପୁରୀ ଜିଲ୍ଲା ପ୍ରଶାସନର ଖାମ୍ଖିଆଲ ମନୋଭାବ ଯୋଗୁଁ ଗତ ୪ ମାସ ହେବ ଚିଲିକା ରାଜହଂସରେ ବୁଡ଼ି ରହିଥିବା ପ୍ରାୟ ୩୦ ହଜାର ଟନ୍ କ୍ଷମତା ବିଶିଷ୍ଟ ଏହି ବିଶାଳକାୟ କଣ୍ଟେନର୍ ଅପସାରଣ କରାଯାଇ ପାରୁନାହିଁ। ଫଳରେ ପାରାଦୀପ ବ୍ଲାକ୍ରୋଜ୍ ଭଳି ଏହି କଣ୍ଟେନର୍ ଚିଲିକା ପାଇଁ ବିପଦ ସୃଷ୍ଟି କରିଛି। କଣ୍ଟେନର୍ ଅପସାରଣ ଦିଗରେ ପ୍ରଶାସନ ତତ୍ପରତା ପ୍ରକାଶ କରୁନଥିବାରୁ ସ୍ଥାନୀୟ ଲୋକ ମଧ୍ୟ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2019/11/ship-300x172.jpg)
ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ଗତ ଅଗଷ୍ଟ ୯ ତାରିଖରେ ଚିଲିକାର ରାଜହଂସ ନିକଟରେ ମାଲେସିଆ ପଣ୍ୟବାହୀ ଜାହଜ ଜିନବାହା-୩୨ ଫସି ଯାଇଥିଲା। ଦୀର୍ଘଦିନ ଧରି ସେଠାରେ ପଡ଼ି ରହିଥିଲା। ତେବେ ଏ ନେଇ ପ୍ରବଳ ଚାପ ପଡ଼ିବା ପରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ମାଲେସିଆ ଜାହାଜ ଅପସାରଣ ହୋଇଥିଲା। ସିଙ୍ଗାପୁରରୁ ଆସିଥିବା ଚିତା ନାମକ ଏକ ଜାହାଜ ଜିନବାହା ଜାହାଜ(ଇଂଜିନ)କୁ ଟାଣି ନେଇ କୋଲକାତା ଯାଇଥିଲା। ସେଠାରେ ଏହା ମରାମତି ହେବା ପରେ ମାଲେସିଆ ଫେରିଯିବାର ଯୋଜନା ଥିଲା। ତେବେ ଜାହାଜ ଯିବା ପରେ କଣ୍ଟେନର୍ଟି ଏଠାରେ ରହିଯାଇଥିଲା। ଏବେ ଏହା ପୋତି ହୋଇପଡିଛି। ପ୍ରଶାସନ ଏହାର ଅପସାରଣ କଥା ଭୁଲିଯାଇଥିବା ଅଭିଯୋଗ ହୋଇଛି। ଏହା ଚିଲିକା ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିଛି। ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇପାରୁ ନାହାନ୍ତି। କଣ୍ଟେନର୍ରେ ମାଡ଼ ହେବାର ସମ୍ଭାବନା ଥିବାରୁ ତୁରନ୍ତ ପ୍ରଶାସନ କଣ୍ଟେନର୍କୁ ଅପସାରଣ କରିବାକୁ ଦାବି ହୋଇଛି।