ରାଜହଂସ ନିକଟରେ ଚିଲିକା ସଂଲଗ୍ନ ବେଳାଭୂମିରୁ ଉଠିଲାନି କଣ୍ଟେନର୍‌, ବାଲିବନ୍ଧ ପ୍ରତି ବଢୁଛି ବିପଦ

ଖୋଲିପାରେ ନୂଆ ମୁହାଣ

ବ୍ରହ୍ମଗିରି : ପାଖାପାଖି ବର୍ଷେ ଧରି କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ରାଜହଂସ ନିକଟରେ ଚିଲିକା ସଂଲଗ୍ନ ବେଳାଭୂମିରେ ଏକ ଜାହାଜର କଣ୍ଟେନର୍‌ଟି ପଡ଼ି ରହିଛି। ଆଜି ପର୍ଯ୍ୟନ୍ତ ଏହି କଣ୍ଟେନର୍‌ଟିକୁ ଉଠା ଯାଇ ପାରି ନଥିବାରୁ ଜନବସତି ପାଇଁ ବଡ଼ ବିପଦ ଥିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। କୃଷ୍ଣପ୍ରସାଦ ବ୍ଲକ୍ ରାଜହଂସ ନିକଟରେ ଗତ ବର୍ଷ ଅଗଷ୍ଟ ୯ ତାରିଖରେ ମାଲେସିଆ ପଣ୍ୟବାହୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ଲାଗିଥିଲା। ଏହି ଜାହାଜରେ ଥିବା ବିଦେଶୀ ନାଗରିକମାନଙ୍କୁ ସ୍ଥାନୀୟ ଖିରିସାହି ବାତ୍ୟା ଆଶ୍ରୟସ୍ଥଳୀରେ ରଖା ଯାଇଥିଲା। ପରେ ସେମାନଙ୍କୁ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିଲା। ଜାହାଜରେ ଥିବା ଡିଜେଲ ସହିତ ଅନ୍ୟ ତେଲ ଚିଲିକା ପାଇଁ ବିପଦ ଥିବା ନେଇ ଭାରତୀୟ ତଟରକ୍ଷୀ ବାହିନୀ ଆଶଙ୍କା ପ୍ରକାଶ କରି ସରକାରଙ୍କୁ ଚିଠି ଲେଖିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିଲା। ସମ୍ପୃକ୍ତ ଜାହାଜର କମ୍ପାନି ତେଲ କାଢିଥିଲା। ପରେ ସିଙ୍ଗାପୁରର ଆଉ ଏକ ଜାହାଜ ଆସି ଉପକୂଳରେ ଫସିଥିବା ଜାହାଜ ଜିନହ୍ବାକୁ କୋଲକାତା ନେଇଥିଲା। କିନ୍ତୁ ୩୦ ହଜାର ଟନ କ୍ଷମତା ବିଶିଷ୍ଟ ଏହାର କେଣ୍ଟନର୍‌ଟି ଏବେବି ସେଠାରେ ପଡି ରହିଛି।
କେଣ୍ଟନରଟି ଉପକୂଳ ବାଲିରେ ପୋତି ହୋଇ ପଡିଥିବାରୁ ଏହା ଉଠିବା ସମ୍ଭବ ହୋଇ ନାହିଁ। ଫଳରେ ଏହାକୁ ଖଣ୍ତ ଖଣ୍ତ କରି କାଟି ସାତପଡା ଉପକୂଳକୁ କିଛି ଅଂଶ ସମ୍ପୃକ୍ତ ଜାହାଜ କମ୍ପାନି ଆଣିଛି। କିନ୍ତୁ ଏହା ମାତ୍ର ୧୦ ପ୍ରତିଶତ କଟା ଯାଇଛି। ବାକି ୯୦ ପ୍ରତିଶତ ବେଳାଭୂମି ଉପକୂଳ ବାଲିରେ ପୋତି ହୋଇ ରହିଛି। ଏହାକୁ ଉଠା ଯାଇ ପାରି ନାହିଁ। ଫଳରେ ସମୁଦ୍ରର ଢେଉ କେଣ୍ଟନରରେ ମାଡ ହୋଇ ସମୁଦ୍ର ଓ ଚିଲିକା ମଧ୍ୟରେ ଥିବା ବାଲିବନ୍ଧ ଧୋଇବାରେ ଲାଗିଛି। ଏମିତିକି ସମୁଦ୍ରର ବାଲିବନ୍ଧ ଡେଇଁ ପାଣି ଆସି ଚିଲିକାରେ ମିଶିଛି। ଫଳରେ ଏଠାରେ ଆଉ ଏକ ପ୍ରାକୃତିକ ମୁହାଣ ମେଲିବାର ସମ୍ଭାବନା ଦେଖା ଦେଇଛି। ଏହା ଚିଲିକାର ହନିମୁନ ଆଇଲ୍ୟାଣ୍ତ ଭାବରେ ପରିଚିତ ରାଜହଂସ ପ୍ରତି ବିପଦ ଆଣିଛି।

ତିନି ମାସ ପୂର୍ବେ ଏହି ଇଲାକାକୁ ବନ ବିଭାଗର ବରିଷ୍ଠ ଅଧିକାରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରି ସାରିଛନ୍ତି। ଏବେ ସମୁଦ୍ରର ଢେଉ କେଣ୍ଟନର୍‌ରେ ମାଡ଼ ହୋଇ ଆହୁରି ବାଲିବନ୍ଧ ଖାଇବାରେ ଲାଗିଛି। ଆଉ ମାତ୍ର ୫୦ ଫୁଟ ବାଲିବନ୍ଧ ରହିଛି। କେତେବେଳେ ଲଘୁଚାପ କିମ୍ବା ବାତ୍ୟା ଆସିଲେ ଏହାକୁ ଧୋଇ ନେଇ ଚିଲିକା-ସମୁଦ୍ରକୁ ଏକାକାର କରି ଦେବ। ଏହି ଇଲାକାରେ ପ୍ରାକୃତିକ ମୁହାଣ ମେଲିଲେ କୃଷ୍ଣପ୍ରସାଦ ବ୍ଲକ୍ ଇଲାକାର ୧୪ ପଞ୍ଚାୟତରେ ଥିବା ଚିଲିକା ଉପକୂଳ ଗାଁ ପ୍ରତି ବିପଦ ଆଶଙ୍କା ଆଣିଦେବାର ଆଶଙ୍କା ରହିଛି। ଅନ୍ୟପଟେ ପୂର୍ବରୁ କୃଷ୍ଣପ୍ରସାଦ ବ୍ଲକ୍‌ର ସିପକୁଦା, ଗବକୁଣ୍ତ, ସାନପାଟଣା, ଅରଖକୁଦା ପ୍ରଭୃତି ଗାଁ ସାମନାରେ ଚିଲିକାରେ ୬ଟି ପ୍ରାକୃତିକ ମୁହାଣ ମେଲି ସାରିଛି। ଯାହାକି ଉପକୂଳ ଇଲାକାରେ ଥିବା ୧୫ଟି ଜନବସତି ଉପରେ ବିପଦ ଆଣି ସାରିଛି। ଫାଇଲିନ୍‌ ବାତ୍ୟା ବେଳେ ଅରଖକୁଦାରର ୨ଟି ସାହି ଏବଂ ସାନପାଟଣା ଗାଁର ୨ଟି ସାହିକୁ ଚିଲିକା ଭିତରକୁ ଚାଲିଯାଇଛି। ଏବେ ପ୍ରତି ଅମାବାସ୍ୟା ଓ ପୂର୍ଣ୍ଣମୀରେ ସମୁଦ୍ରର ଢେଉ ଜନବସତିରେ ମୁଣ୍ତ ପିଟୁଛି। ପ୍ରତି ମୁହୁର୍ତ୍ତରେ ଧନଜୀବନ ପ୍ରତି ଆଶଙ୍କା ଦେଖା ଦେଉଛି। ଏବେ କେଣ୍ଟନର ଥିବା ସ୍ଥାନରେ ବିପଦ ବଢିଛି। ତୁରନ୍ତ କେଣ୍ଟନରକୁ ଉଠା ନ ଗଲେ ପୁଣି ଥରେ ନୂଆ ଜନବସତି ଉପରକୁ ବିପଦ ଆଶଙ୍କା ଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର