କଣ୍ଟେନର ଜବତ, ୪୫ ଗୋରୁ ଉଦ୍ଧାର

ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା ବ୍ରାହ୍ମଣୀ ବ୍ରିଜ୍ ନିକଟରୁ ଗୋରକ୍ଷକ ସଂଗଠନ ଧରିଥିବା ଏକ ଗୋରୁ ବୋଝେଇ କଣ୍ଟେନରକୁ ପୁଲିସ ଜବତ କରିଛି। ଚାଲାଣ ହେଉଥିବା ୪୫ ଗୋରୁଙ୍କୁ ଉଦ୍ଧାର କରି ପୁଲିସ୍‌ ସ୍ଥାନୀୟ ଗ୍ରାମବାସୀଙ୍କ ଜିମା ଦେଇଛି। ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଅଞ୍ଚଳରୁ ଓଆର-୦୨ଏପି-୭୨୮୪ କଣ୍ଟେନରରେ ୪୫ଟି ଗୋରୁ ବୋଝେଇ ହୋଇ କୋଲକାତା ଯାଉଥିଲା।

ଖବରପାଇ ଭୁବନେଶ୍ବର ଗୋରକ୍ଷକ ସଂଗଠନର ସଦସ୍ୟମାନେ କଣ୍ଟେନରର ପିଛା କରିଥିଲେ। ରାତି ପ୍ରାୟ ୨ଟାରେ ଜାରକା ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଗାଡ଼ିକୁ ଅଟକାଇ ଥିଲେ। କଣ୍ଟେନର ସହିତ ଯାଇଥିବା ଏକ ବୋଲେରୋରୁ କିଛି ଯୁବକ ବାହାରି ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ରାସ୍ତା ଉପରେ ଗୋଚାଲାଣକୁ ନେଇ ଝଗଡ଼ା ହେଉଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚିବା ଦେଖି କଣ୍ଟେନର ଡ୍ରାଇଭର, ହେଲପର ସମେତ ଯୁବକମାନେ ବୋଲେରୋ ନେଇ ଚମ୍ପଟ ମାରିଥିଲେ। ପୁଲିସ୍‌ ଏକ ହାଇଡ୍ରା ଗାଡ଼ି ସହାୟତାରେ କଣ୍ଟେନରକୁ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁକୁ ନେଇଥିଲା। ଗୋରୁଗୁଡ଼ିକୁ ବାହାର କରାଇ ସ୍ଥାନୀୟ ଲୋକଙ୍କ ଜିମା ଦେଇଥିଲା। ଗୋରୁଙ୍କ ମୁହଁ ବନ୍ଧାଯାଇ କଣ୍ଟେନରରେ ଚାଲାଣ କରାଯାଉଥିଲା। ଅଧିକାଂଶ ଗୋରୁଙ୍କ ଦେହରୁ ରକ୍ତତ୍ସାବ ହେଉଥିଲା। ପୁଲିସ୍‌ ୫୨୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।।

ସମ୍ବନ୍ଧିତ ଖବର