ଓଡ଼ିଶା-ଆନ୍ଧ୍ର ସୀମାରୁ ଗୋମାଂସ ବୋଝେଇ କଣ୍ଟେନର୍ ଜବତ

ଗୋଳନ୍ଥରା : ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ପୁସ୍ତପୁର ୧୬ ନମ୍ବର ଜାତୀୟରାଜପଥରେ ଆଜି ଏକ ଗୋମାଂସ ବୋଝେଇ କଣ୍ଟେନର୍ ଜବତ ହୋଇଛି। କଣ୍ଟେନର୍‌ଟି ବିପୁଳ ପରିମାଣର ଗୋମାଂସ ପଶ୍ଚିମବଙ୍ଗରୁ ଚେନ୍ନାଇକୁ ନେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଗୋଳନ୍ଥରା ପୁଲିସକୁ ଖବର ଦେବା ସହ ଏହାର ପିଛା କରି ଅଟକ ରଖିଥିଲେ। ଇଚ୍ଛାପୁର ପୁଲିସ ପହଞ୍ଚି ଏହାକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ଆଜି ସକାଳେ କଣ୍ଟେନର୍‌ଟି ଯାଉଥିବା ସୂଚନା ପାଇ ବଜରଙ୍ଗ ଦଳର କର୍ମୀମାନେ ସଂଗେ ସଂଗେ ଗୋଳନ୍ଥରା ପୁଲିସକୁ ଖବର ଦେବା ସହ ପିଛା କରିଥିଲେ। ଶେଷରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପୁସ୍ତପୁର ଫାଟକ ନିକଟରେ ଏହାକୁ କାବୁ କରାଯାଇଥିଲା। କାହାକୁ ସନ୍ଦେହ ନହେବା ଭଳି ସହସ୍ରାଧିକ ସିମେଣ୍ଟ୍ ବସ୍ତା ଏଥିରେ ରଖାଯାଇଥିଲା। ସେଗୁଡ଼ିକ ଖୋଲି ଦେଖିବା ବେଳକୁ ଗୋମାଂସ ପକେଟ୍ ଭର୍ତ୍ତି ହୋଇ ରହିଥିଲା। ପୁଲିସ ଏହା ଦେଖି ଆଚମ୍ବିତ ହୋଇ ଯାଇଥିଲା। ଇଚ୍ଛାପୁର ପୁଲିସ ପହଞ୍ଚି କଣ୍ଟେନର୍‌କୁ ଜବତ କରିବା ସହ ୨ଜଣଙ୍କୁ ଅଟକ ରଖିଛି। ଇଚ୍ଛାପୁର ପୁଲିସ ସିଆଇ ବିନୋଦ ବାବୁ ଓ ଏସ୍‌ଆଇ ସତ୍ୟନାରାୟଣ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର୍‌କୁ ଜବତ କରିଥିଲେ l ବଜରଙ୍ଗ ଦଳର ରାଜ୍ୟ ସହସଂଯୋଜକ ସୁଶାନ୍ତ ବେହେରା, ଗୋରକ୍ଷା ପ୍ରମୁଖ ଅମ୍ବିକା ଦାସ, ଜିଲ୍ଲା ସଂଯୋଜକ ନୀଳାଚଳ ବିଷୋୟୀ, ଗଣେଶ ସାହୁ, ରାଜୀବ ଦତ୍ତ ଓ ଚିନ୍ମୟ ମହାରାଜ ପ୍ରମୁଖ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୂଚନା ଦେଇଥିଲେ।

୧୬ ନମ୍ବର ଜାତୀୟ ରାଜପଥରେ ଗୋମାଂସ ଚାଲଣ ନୂଆ କଥା ନୁହେଁ । ୨୦୧୭ ଜୁଲାଇ ୨୩ ତାରିଖରେ ଏଭଳି ଏକ କଣ୍ଟେନର୍ ଗୋଳନ୍ଥରାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହାର କିଛି ଘଣ୍ଟା ପରେ କଣ୍ଟେନର୍‌ରୁ ଦୁର୍ଗନ୍ଧ ବାହାରିବା ପରେ ଏଥିରେ ଗୋମାଂସ ରହିଥିବା ଜଣାପଡ଼ିଥିଲା। ପରେ ଉତ୍ତ୍ୟକ୍ତ ଲୋକେ କଣ୍ଟେନର୍‌ରେ ନିଆଁ ଲଗାଇବା ସହ ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର