ରାଜ୍ୟରେ ୧୫ ସଂକ୍ରମଣ ଅବରୋଧ ଅଞ୍ଚଳ; ଭଦ୍ରକରେ ୫, ଖୋର୍ଧାରେ ୩

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୫ଟି ଓ ଖୋର୍ଧାରେ ୩ଟି ସଂକ୍ରମଣ ଅବରୋଧ ଅଞ୍ଚଳ ରହିଛି। ଯେଉଁ ଅଞ୍ଚଳକୁ ସଂକ୍ରମଣ ଅବରୋଧ ଭାବେ ଘୋଷଣା କରାଯାଉଛି, ସେଠାରୁ କୌଣସି ବ୍ୟକ୍ତି ବାହାରକୁ ଓ ବାହାରୁ କୌଣସି ବ୍ୟକ୍ତି ଭିତରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ତେବେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ହିଁ ସଂପୃକ୍ତ ଅଞ୍ଚଳରୁ ସଂକ୍ରମଣ ଅବରୋଧକୁ ହଟାଯିବ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଭଦ୍ରକରେ ଖରିଡ଼ା ବିନାୟକପୁର, ପଦମପୁର, ଲକ୍ଷ୍ମୀଦାଶପୁର, ରାହାଣିଆ ଓ ତେସିଙ୍ଗା ଅଞ୍ଚଳ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷିତ ହୋଇଛି। ରାଜଧାନୀର ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗର ଏହି ନିୟନ୍ତ୍ରିତ ଅଞ୍ଚଳ ଭିତରେ ରହିଛି। ସେହିପରି ବାଲେଶ୍ବରରେ ମିସନ ଫିଲ୍‌ଡ ଗେଟ୍, ଚିଡ଼ିଆପୋଲ ନିକଟସ୍ଥ ନିଳିଆବାଗ ପ୍ରବେଶ, ରାନିପାଟଣା ଛକର ଆପଲ ଟାୱାର, ସୁନ୍ଦରଗଡ଼ର ଡରେଇକେଲା, ପୁରୁଣା ବିଶ୍ରା, ବୁଧେଲାଜପୁର, ସନ୍ତୋଷପୁର, କଳାହାଣ୍ଡିର ‌ବ‌େହେରାଗୁଡ଼ା, ପର୍ଜିଆ, ଖମାର ହଲଦୀରେ ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷିତ ହୋଇଛି। ଯାଜପୁରରେ ରସୁଲପୁରର ବ୍ରହ୍ମବରଦା, ସାନ ତ୍ରିଲୋଚନପୁର, ସାଇପୁର ଓ କେନ୍ଦ୍ରାପଡ଼ାର ରାଧାନଗର, ବଳଭ୍ରଦପୁର, ଶୀତଳେଶ୍ବର, ଶୀଳସ୍ଥମ୍ବ, ନିଆ, ଗୌଡ଼ପାଟଣା, ଭାଟପଡ଼ା, ମେଧାପୁର, କାନ୍ତିପୁର ଗୋପ, ନାଳଦିଆ ଓ କାଟକଣା ଗାଁକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା ହୋଇଛି।

ଅପରପକ୍ଷରେ ରାଜ୍ୟରେ ଖୋର୍ଧା ଜିଲ୍ଲାର ୪୬ଜଣଙ୍କ ମଧ୍ୟରୁ ୧୭ଜଣ ସୁସ୍ଥ ହୋଇଥିବା ବେଳେ ଭଦ୍ରକର ୮ଜଣରୁ ୨ଜଣ, ଯାଜପୁର ଜଣରୁ ଜଣେ, କଳହାଣ୍ଡି ଓ ସୁନ୍ଦରଗଡ଼ାର ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। କଟକ ଓ ପୁରୀର ସବୁ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ତେବେ ବାଲେଶ୍ବର ୩, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାର ଜଣେ ଏବେ ବି ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର