କୋରାପୁଟ: ଦୂଷିତ ପାଣି ଯୋଗୁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍‌ ସୁବାଇ ପଞ୍ଚାୟତ ସହର ଗୌଡ଼ସାହିରେ ଝାଡ଼ାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ୩୮ଜଣ ଆକ୍ରାନ୍ତ ହୋଇଛନ୍ତି। ଏପରିକି ସ୍ଥାନୀୟ ଆଶାକର୍ମୀ ବି ବାଦ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ରହିଛନ୍ତି। ତେଣୁ ପାଣି ବିଶୋଧନ ନହେବା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ସ୍ଥିତି ବିଗିଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି। ଗୌଡ଼ସାହିରେ ଗୋଟିଏ ନଳକୂପ ଓ ଗୋଟିଏ କୂଅ ରହିଛି। ତେବେ ନଳକୂପରୁ ପର୍ଯ୍ୟାପ୍ତ ପାଣି ମିଳୁନଥିବାରୁ ଅଧିକାଂଶ କୂଅ ପାଣିକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ତେବେ ବହୁ ପୁରୁଣା ଏହି କୂଅକୁ ନିୟମିତ ବ୍ୟବଧାନରେ ବି‌ଶୋଧନ କରାଯାଉନି। ଯାହାଫଳରେ ପାଣି ସଂପୂର୍ଣ୍ଣ ଦୂଷିତ ହୋଇଛି। ଏପରିକି କୂଅ ଚାରିପଟ ଆବର୍ଜନାରେ ଭର୍ତ୍ତି ହୋଇଛି। ଦୂଷିତ କୂଅ ପାଣିକୁ ବ୍ୟବହାର କରିବା ପରେ ଆଶାକର୍ମୀ ପଦ୍ମିନୀ ଖାଲପାଡ଼ିଆଙ୍କ ସମେତ ୧୯ ପରିବାରର ମୋଟ ୩୮ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ବିଲେଇଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ୬ଜଣଙ୍କୁ ଆଜି ସଂଧ୍ୟାରେ ଘରକୁ ପଠାଇ ଦିଆଯାଇଛି।

Advertisment

ଗତକାଲି ରାତିରେ ସ୍ବାସ୍ଥ୍ୟ ବିଭାଗ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ପାଇଥିଲା। ଏହାପରେ ଏଡିଏମ୍‌ଓ (ଏଫ୍‌ଡବ୍ଲୁ) ଡା. ନୀଳମାଧବ ଶତପଥୀଙ୍କ ସହ ୬ ଜଣିଆ ଟିମ୍‌ ଗାଁରେ ପହଞ୍ଚିଥିଲେ। ପରିସ୍ଥିତି ଅନୁଧ୍ୟାନ କରିବା ସହ ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜିଥିଲେ। ସମସ୍ତ ଆକ୍ରାନ୍ତ କୂଅ ପାଣି ବ୍ୟବହାର କରିଥିବା ଜାଣିବା ପରେ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷା ପାଇଁ ନମୁନା ଭୁବନେଶ୍ବର ଯାଇଛି, ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ କୁମାର ଗିରି କହିଛନ୍ତି। ଯେଉଁ ପାଣି ଲୋକେ ବ୍ୟବହାର କରୁଛନ୍ତି ତାହା ଦୂଷିତ ହୋଇସାରିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ୍ରେନ୍‌ରେ ବ୍ଲିଚିଂ ପାଉଡ଼ର ପଡ଼ିଛି। କୂଅ ପାଣି ବ୍ୟବହାର ନ କରିବା ଲାଗି ସଚେତନ କରାଯାଇଛି। ଆକ୍ରାନ୍ତ ଧୀରେଧୀରେ ସୁସ୍ଥ ହେଉଥିବା ସିଡିଏମ୍‌ଓ ପ୍ରକାଶ କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ନ ବଢ଼େ ସେଥିପ୍ରତି ଗୁରୁତ୍ବ ଦେଇ ନଳକୂଅ ପାଣି ଫୁଟାଇ ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ଖବର ପାଇ ଆଜି ସକାଳେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିମଳ ବ୍ୟବସ୍ଥା ଦେଖି ଘୋର ଅସନ୍ତୋଷ ପ୍ରକାଶ କରିଥିଲେ।