ଭୁବନେଶ୍ବର / ନୟାଗଡ଼ / ବାରିପଦା: ଓଡ଼ିଶାର ୭ ଉତ୍ପାଦକୁ ଆଜି ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବ ବୋଲି ତାଲିକାଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା, ଓଡ଼ିଶା ଖଜୁରି ଗୁଡ଼, ଢେଙ୍କାନାଳ ମଗଜି ଲଡ଼ୁ, ଶିମିଳିପାଳ କାଇଚଟଣି, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧଙ୍କ ହାତବୁଣା ଚଦର, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର(ଇଡିତାଲ)। ଆସନ୍ତା ୩ ମାସ ମଧ୍ୟରେ ଏସବୁ ଉତ୍ପାଦ ଉପରେ କୌଣସି ଆପତ୍ତି ଅଭିଯୋଗ ନ ଆସିଲେ, ଏଗୁଡ଼ିକୁ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଟ୍ୟାଗ୍‌ ମିଳିବ ବୋଲି ଜଣାଯାଇଛି। ଅପରପକ୍ଷେ, କେନ୍ଦ୍ରାପଡ଼ାର ରସାବଳିକୁ ଗତ ମେ’ ୩୧ ତାରିଖରୁ ଜିଆଇ ମିଳିବା ନେଇ ତାଲିକାଭୁକ୍ତ କରାଯାଇଛି। ଏହାକୁ ଖୁବ୍‌ଶୀଘ୍ର ଜିଆଇ ଟ୍ୟାଗ୍‌ ମିଳିବ ବୋଲି ଜଣାଯାଇଛି।

Advertisment

ଖଣ୍ଡପଡ଼ା ବ୍ଲକ୍‌ କଣ୍ଟିଲୋ ଅଞ୍ଚଳର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ୨୦୨୧ ଫେବ୍ରୁଆରି‌ରେ ଭୌଗୋଳିକ ମାନ୍ୟତା ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ଟ୍ୟାଗ୍‌ କର୍ତ୍ତୃପକ୍ଷ ଚେନ୍ନାଇଙ୍କୁ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ନୀଳମାଧବ କୃଷି ସଂଗଠନ ବାଣପୁର, ସିଧାମୂଳା ଜିଆଇ ମାନ୍ୟତା ନିମନ୍ତେ ଆବେଦନ କରିଥି‌ଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଏଥିରେ ସହଯୋଗ କରିଥିଲା। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି। କଣ୍ଟେଇମୁଣ୍ଡି ବାଇଗଣ ଖଣ୍ଡପଡ଼ା ବ୍ଲକ୍‌ର ବଡ଼ବାଣପୁର, ରତନପୁର ସମେତ ଭାପୁର ବ୍ଲକ୍‌ର ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ ଅଞ୍ଚଳରେ ପ୍ରଥମେ ଚାଷ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା ଚାଷ ହେଉଛି। ଉକ୍ତ ବାଇଗଣଟି ଶହେ ବର୍ଷରୁ ଅଧିକ ସମୟ ହେବ ଚାଷ ହୋଇଆସୁଛି।

ସ୍ଥାନୀୟ ଚାଷୀମାନେ ନୀଳମାଧବ ପୀଠ କଣ୍ଟିଲୋର ନାମ ଅନୁସାରେ ଏହାକୁ କଣ୍ଟେଇମୁଣ୍ଡି ବାଇଗଣ ଭାବେ ନାମିତ କରିଥିଲେ। ଉଭୟ ଖରିଫ୍‌ ଓ ରବି ଋତୁ‌ରେ ଏହା ଚାଷ କରାଯାଏ। ଅନ୍ୟ ବାଇଗଣ ତୁଳନାରେ ବେଶ୍‌ ଛୋଟ ହୋଇଥିବା ବେଳେ ଏହାର ଡେମ୍ଫଠାରୁ ଆରମ୍ଭ କରି ଗଛ‌ କଣ୍ଟା‌ରେ ଭର୍ତ୍ତି ହୋଇଥାଏ। ଏହି ବାଇଗଣର ଓଜନ ୨୫ ଗ୍ରାମ୍‌ଠାରୁ ଆରମ୍ଭ କରି ୫୦ ଗ୍ରାମ୍‌ ମଧ୍ୟରେ ହୋଇଥାଏ। ବାଇଗଣ ମଧ୍ୟରେ ଅତ୍ୟଧିକ ମଞ୍ଜି ଏହାକୁ ବେଶ୍‌ ସ୍ବାଦିଷ୍ଟ କରିଥାଏ। ଅମଳ ପରେ ଏହାକୁ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖି ହୁଏ। ୬୧ରୁ ୬୫ ସେମି ମଧ୍ୟରେ ଉକ୍ତ ଗଛର ଉଚ୍ଚତା ରହୁଥିବା ବେ‌ଳେ ଗୋଟିଏ ଗଛରେ ୮ରୁ ୧୦ଟି ବାଇଗଣ ଫଳିଥାଏ। ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁଙ୍କ ସମେତ ଜିଲ୍ଲା ଉଦ୍ୟାନ କୃଷି, ରାଜସ୍ବ ବିଭାଗ ଆଦି ଉକ୍ତ ବାଇଗଣକୁ ଜିଆଇ ମାନ୍ୟତା ନେଇ ବି‌ଶେଷ ସହଯୋଗ କରିଥିଲେ। ଜିଆଇ ମାନ୍ୟତା ମିଳିବ ବୋଲି ଖବର ପରେ ଚାଷୀଙ୍କ ମଧ୍ୟରେ ବେଶ୍‌ ଖୁସି ପ୍ରକାଶ ପାଇଛି। ‌‌‌ସେହିପରି ମୟୂରଭଞ୍ଜର କାଇ ଚଟଣି ଖାଦ୍ୟ ଉପଯୋଗୀ ଓ ଏଥିରେ ଔଷଧୀୟ ଗୁଣ ଭରି ରହିଛି ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ମୟୂରଭଞ୍ଜର କାଇ ପିମ୍ପୁଡ଼ି ଚଟଣିକୁ ଜିଆଇ ଟ୍ୟାଗ୍‌ ଦେବା ପାଇଁ ବହୁବର୍ଷ ହେଲା ଦାବି ହୋଇ ଆସୁଥିଲା। ଗତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓୟୁଏଟିର ବୈଜ୍ଞାନିକମାନେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟକୁ ଏ ସଂପର୍କରେ ଚିଠି ଲେଖି‌ଥିଲେ। ପରେ କାଇ ପିମ୍ପୁଡ଼ିର ପ୍ରସ୍ତୁତି ଓ ତା’ର ଉପକାରିତା ନେଇ ଏକ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା। ଜିଲ୍ଲାପାଳ ନିଜ ରିପୋର୍ଟ ସହ କାଇ ପିମ୍ପୁଡ଼ିକୁ ମୟୂରଭଞ୍ଜର ବୋଲି ମାନ୍ୟତା ଦେବାକୁ ସୁପାରିସ୍ କରିଥିଲେ। ଆଜି ଏହି ଦାବି ପୂରଣ ହେବା ନେଇ ଆଶା ଉଜ୍ଜୀବିତ ହୋଇଥିବାରୁ କାଇ ସୋସାଇଟିର ମୁଖ୍ୟ ତଥା ‌ଗବେଷକ ଇଂ. ନୟାଧର ପଢ଼ିଆଲ।