ବଲାଙ୍ଗୀରରେ କରୋନା, ପୁଣି ଫେରିଲା କଣ୍ଟେନମେଣ୍ଟ

ବଲାଙ୍ଗୀର : କରୋନା କାୟାବିସ୍ତାର କରୁଛି। କେବେ ଦୁଇଶହ ତ ଆଉ କେବେ ତିନିଶହ ପାର୍‌। ଚାରିଶହରୁ ବି ପାର୍‌ ହେଉଛି ଦିନକର ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ନେଉନି। ଶୁକ୍ରବାର ସାଢ଼େ ଚାରିଶହକୁ ଟପିଯାଇଛି ସଂକ୍ରମିତଙ୍କ ସଂଖ୍ୟା। ହୁ ହୁ ହୋଇ ବଢୁଥିବା ସଂକ୍ରମଣକୁ ଦେଖି, ବଲାଙ୍ଗୀରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ସଂକ୍ରମିତ ଇଲାକାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଅନ୍ୟପଟେ ଘର ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଜାରି ରହିଛି ଟେଷ୍ଟିଂ।

ବଲାଙ୍ଗୀର ସହରରେ ବାଉଁଶ ବନ୍ଧା କଣ୍ଟେନମେଣ୍ଟ ଜୋନ୍‌ ଗୁରୁବାରଠାରୁ କରାଗଲାଣି। ପ୍ରଶାସନ ବିଚାର ବିମର୍ଶ ପରେ ପୌରପାଳିକା ୧୫ ନମ୍ବର ୱାର୍ଡ ଓ ୨ନମ୍ବର ୱାର୍ଡର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନେମେଣ୍ଟ ଜୋନ୍‌ ଭାବରେ ଘୋଷଣା କରିଥିଲା। କଣ୍ଟେନମେଣ୍ଟ ଇଲାକାକୁ ଯିବା ଆସିବା ମନା। ଗୁରୁବାର ସଂନ୍ଧ୍ୟାାରେ ଘୋଷଣା ହେଲା ପରେ ଶୁକଅବାର ସକାଳୁ ଏକ୍ସନ ମୋଡରେ ପୌରପାଳିକା ଓ ସ୍ୱାସ୍ଥ୍ୟକର୍ମୀ। ପୂରା ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା। ସକାଳୁ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ ସ୍ୱାସ୍ଥ୍ୟକର୍ମୀ। କିଛି ଲକ୍ଷଣ ଦେଖିଲେ ତୁରନ୍ତ ଟେଷ୍ଟିଂ କରାଯାଇଥିଲା। କେହି ଗୁରୁତର ଥିଲେ ହସପିଟାଲକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍‌। ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ ମୁତୟନ କରାଯାଇ ଟିକିନିକି ଯାଞ୍ଚ କରାଯାଉଛି। ସଂକ୍ରମଣକୁ ଦେଖି ଆଗକୁ ମଧ୍ୟ ସହରର ଆଉ କିଛି ଅଂଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଛି।

ଏକ୍ସନ ମୋଡରେ ସ୍ୱାସ୍ଥ୍ୟକର୍ମୀ
ବଲାଙ୍ଗୀର ଜିଲ୍ଲାରେ ଏକ୍ସନ ମୋଡରେ ସ୍ୱାସ୍ଥ୍ୟକର୍ମୀ। କମ୍ୟୁନିଟି ୱାର୍କର ଆଶାଦିଦି, ଅଂଗନୱାଡ଼ି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ ଜୋନ୍‌ରେ ବିଭକ୍ତ କରାଯାଇଛି। ଏପରିକି ପଞ୍ଚାୟତ ସ୍ତରରେ କିପରି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇପାରିବ ସେନେଇ ବ୍ଲୁପ୍ରିଣ୍ଟ ତିଆରି କରିଛି ଜିଲ୍ଲା ପ୍ରଶାସନ। ଅଧିକାଂଶ ଟିମ୍‌କୁ ସକ୍ରିୟ କରାଯାଉଛି। ଟେଷ୍ଟିଂ ବଢୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ପରିସ୍ଥିତିକୁ ଦେଖି ସଧାରଣ ରୋଗ ପାଇଁ ହସପିଟାଲ ଯିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ। ଏପରିକି ଫୋନ୍‌ ଯୋଗେ ଚିକିତ୍ସା ସୁବିଧା ପାଇବା ପାଇଁ ଟେଲି ମେଡିସିନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ରୋଗ ପାଇଁ ବିଶେଷଜ୍ଞ ଓ ତାଙ୍କ ମୋବାଇଲ ନମ୍ବର ଦିଆଯାଇଛି। ଏପରିକି ଜିଲ୍ଲାରେ କୋଭିଡ ରୋଗୀ ଚିକତ୍ସିତ ହୋଉଥିବା ହସପିଟାଲଗୁଡ଼ିକର ହେଲପଲାଇନ ନମ୍ବର ବି ଜାରି କରିଛି ପ୍ରଶାସନ। ପୂରା ପ୍ରକ୍ରିୟାକୁ ମନିଟର କରିବା ପାଇଁ ବିଭିନ୍ନ କାମରେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
ବଲାଙ୍ଗୀର ଜିଲ୍ଲାରେ ନିଜେ ଜିଲ୍ଲାପାଳ ଓ ଏସ୍‌ପି ଗ୍ରାଉଣ୍ଡ ଜିରୋକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। କେଉଁଠି କଣ ଦରକାର ଓ କଣ ସବୁ ବ୍ୟବସ୍ଥା କରାଯିବ ତାହାର ଟିକିନିକି ତଥ୍ୟ ସଂଗ୍ରହ କରି ପଦକ୍ଷେପ ନେଉଛନ୍ତି। ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କରୋନା ମୁକାବିଲା ନେଇ ପଦକ୍ଷେପମାନ ନେଉଛି। ଜିଲ୍ଲାପାଳ ଓ ଏସ୍‌ପି କହିଛନ୍ତି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କେହି ଖରାପ ବ୍ୟବହାର, ଆକ୍ରମଣ କିଂବା କୋଭିଡ ନେଇ କୌଣସି ଅପପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର