୪ଟି ସ୍ଥାନରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌

ଜଟଣୀ: ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ପରିଚାଳନା ବୈଠକ କରିଛନ୍ତି। ଏଥି ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତିଦିନ ୫୦ କରି ମୋଟ ୧୦୦ଜଣଙ୍କ ଆଟିଂଜେନ୍‌ ଟେଷ୍ଟ୍‌ କରିବାକୁ କୁହାଯାଇଛି। ଖୁଦୁପୁର-ପାତ୍ରପଡା ଅଞ୍ଚଳରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ ରହିଛି। ଏଥିରେ ୪୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କରୋନାର ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ସରପଞ୍ଚମାନେ ଜିଲାପାଳ ଦାୟିତ୍ୱ ଗ୍ରହଣ କରି ଗ୍ରାମାଞ୍ଚଳରେ ଜନସାଧାରଣମାନଙ୍କୁ କରୋନା ସଂକ୍ରମଣରୁ ନିବୃତ ରହିବା ଲାଗି ପ୍ରୟାସ କରିଥିଲେ, ସେହିଭଳି ଭାବେ ପୁଣି ସେମାନଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି କହିଛନ୍ତି। ଜଟଣୀର ରେଳପଥ ଗୋଲେଇ ବଜାରରେ ଯେଉଁଭଳି ଜନଗହଳି ଦେଖାଯାଉଛି ସେଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଜଟଣୀରେ ଲୋକମାନେ ସାମାଜିକ ବ୍ୟକ୍ତିଗତ ଦୂରତା ବଜାୟ ରଖିବା ପାଇଁ ଘନଘନ ଚଢ଼ଉ ଓ ପ୍ରଚାର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଯେଉଁମାନେ ସଙ୍ଗରୋଧ ଗୃହରେ ରହିଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ପ୍ରତିଦିନ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ପୈାରପରିଷଦ କର୍ମଚାରୀ, ତହସିଲଦାର, ବିଡିଓ ପ୍ରମୁଖ ଯୋଗାଯୋଗରେ ରହିବେ। ଥଣ୍ଡାଜ୍ୱର, କାଶ ଆଦି ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଆଟିଂଜେନ୍‌ ଟେଷ୍ଟ କରିବା ଲାଗି ସ୍ୱାସ୍ଥ୍ୟବିଭାଗକୁ ଅବଗତ କରିଥିଲେ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଡିଓ ପ୍ରମୁଖ ସଚେତନତା ଜାରି ରଖିବେ । ବିଭିନ୍ନ ସ୍ଥାନରେ ତହସିଲଦାର ଓ ପୈାରନିର୍ବାହୀ ଅଧିକାରୀଙ୍କୁ ପୁଲିସକୁ ସହଯୋଗ କରିବେ। ମାସ୍କ୍‌ ପରିଧାନ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯିବା ଉପରେ ଆଲୋଚନା ହୋଇଥିଲା। ଆଜିର ଏହି ଆଲୋଚନାରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର, ବିଡିଓ ସରୋଜ କୁମାର ରାଉତ, ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ମେଡିକାଲ ସୁପରିଟେଣ୍ଡେଣ୍ଟ ଜୀତେନ୍ଦ୍ର କୁମାର ପଣ୍ଡା, ଜଟଣୀ ଥାନାଧିକାରୀ ବିଶ୍ୱରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ ଜଟଣୀ ରେଳପଥ ଗୋଲେଇ ବଜାରରେ ପରିବା, ଲେମ୍ବୁ ଓ ମାଛ କିଣିବାକୁ ଗହଳି ଲାଗିବାରୁ ପୁଲିସ୍ ପ୍ରଶାସନ ପକ୍ଷରୁ ବଜାର ସିଲ୍ କରାଯାଇଛି। ଏଥିସହିତ ଜଟଣୀ ବିକାଶ ନଗର ଓ ଅନ୍ୟ ୩ଟି ଅଞ୍ଚଳ ସହ ସର୍ଦ୍ଦାର ପଟେଲ୍ ମାର୍ଗ, ବୀଣା ସିନେମା ହଲ୍ ଠାରୁ ପିଏଚ୍‌ଡି ଅଫିସ ଛକ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଯୋଗୁଁ କଣ୍ଟେଟ୍ମେଣ୍ଟ୍ ଜୋନ୍ କରାଯାଇଛି ଏବଂ ବାଉଁଶ ବନ୍ଧା ଯାଇ ସର୍ବସାଧାରଣଙ୍କ ଯାତାୟତ ଉପରେ ପୌର ପ୍ରଶାସନ କଟକଣା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର