କଣ୍ଟେନମେଣ୍ଟ ‌ଜୋନର କଟକଣା, ସଢ଼ିଗଲାଣି ଟନ୍‌ ଟନ୍‌ ଅତ୍ୟାବଶ୍ୟକ ଜିନିଷ

ରାଉରକେଲା : ସହରରେ କରୋନା ପଜିଟିଭି ଚିହ୍ନଟ ପରେ ପ୍ଲାଣ୍ଟସାଇଟ୍‌ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ଏହା ସଂଲଗ୍ନ ଅଞ୍ଚଳକୁ ବଫର ଜୋନ୍‌ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ଆସୁଥିବା ଶତାଧିକ ହୋଲ୍‌ସେଲ୍‌ ଗୋଦାମରେ ଏବେ ତାଲା ଝୁଲୁଛି। ଏଥି ମଧ୍ୟରେ ରହିଛି ୬ରୁ ଅଧିକ ଆଳୁ ଓ ପିଆଜ ଗୋଦାମ। ୨୦ରୁ ଅଧିକ ଡାଲି, ସୁଜି, ମଇଦା, ଅଟା ଓ ମସଲା ଜାତୀୟ ଗୋଦାମ ଓ ଅନ୍ୟାନ୍ୟ ହୋଲ୍‌ସେଲ୍‌ ଦୋକାନ। କେଉଁ ଗୋଦାମରେ ଟନ୍‌ ଟନ୍‌ ଆଳୁ ପିଆଜ ସଢ଼ିଗଲାଣି ତ ପୁଣି ସୁଜି, ମଇଦା, ଡାଲି ପ୍ୟାକେଟ୍‌ରେ ପୋକ ଲାଗିଗଲାଣି। ପ୍ରାୟ ୨୦୦ ଟନ୍‌ରୁ ଅଧିକ ଆଳୁ ପିଆଜ ପ୍ୟାକେଟ୍‌ରୁ ୪୦% ପଚିସଢ଼ି ନଷ୍ଟ ହୋଇଯାଇଛି। ଏଥିପାଇଁ ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିବ। ୨/୩ ଦିନ ମଧ୍ୟରେ ଗଚ୍ଛିତ ଥିବା ଏସବୁ ଅତ୍ୟାବଶ୍ୟକ ଜିନିଷ ବାହାର କରିବାକୁ ଅନୁମତି ନ ମିଳିଲେ ସହରରେ କଳାବଜାରୀ ବଢ଼ିବ ଯିବାର ସମ୍ଭାବନା ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଅନ୍ୟପଟେ ପାୱାର ହାଉସ୍‌ ନିକଟରେ ହୋଲ୍‌ସେଲ୍‌ ବଜାର ଖୋଲୁଥିବାରୁ ଦୈନିକ ହାଉଯାଉ ଭିଡ ହେଉଛି। ସାମାଜିକ ଦୂରତା ନିୟମ ଆଦୌ ପାଳନ କରାଯାଉଛି। ଜିନିଷ କିଣିବାକୁ ଖୁଚୁରା ବେପାରୀମାନେ ପରସ୍ପର ମଧ୍ୟରେ ଠେଲାପେଲା ହେଉଛନ୍ତି।

ସକାଳ ୬ଟାରୁ ଦିନ ପ୍ରାୟ ୮ଟା ପର୍ଯ୍ୟନ୍ତ ଶହ ଶହ ଖୁଚୁରା ବେପାରୀଙ୍କ ଅସମ୍ଭବ ଭିଡ ଥିବାରୁ ସଂକ୍ରମଣ ଭୟ ମଧ୍ୟ ରହିଛି। ସାମାଜିକ ଦୂରତା ଓ ସଂକ୍ରମଣ ଏଡାଇବାକୁ ପାୱାର ହାଉସ୍‌ ରୋଡ୍‌ ପରିବର୍ତ୍ତେ ପାନପୋଷ ବାଲୁଘାଟରେ ପ୍ରସ୍ତାବିତ ୧୩ ଏକର ହୋଲ୍‌ସେଲ୍‌ କୃଷକ ବଜାର ପଡିଆକୁ ହୋଲସେଲ୍‌ ବଜାର ଖୋଳିବାକୁ ବ୍ୟବସାୟୀଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଛି। ଅଦ୍ୟାବଧି କିନ୍ତୁ ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସହରବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ହୋଲ୍‌ସେଲ୍‌ ବ୍ୟବସାୟୀ ଖେମ୍‌ଚାନ୍ଦ ଅଗ୍ରୱାଲ କହିଛନ୍ତି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ପରଠାରୁ ଗୋଦାମରେ ଗଚ୍ଛିତ ଟନ୍‌ ଟନ୍‌ ଅତ୍ୟାବଶ୍ୟକ ବାହାର କରିବାକୁ ଅନୁମତି ମିଳୁ ନାହିଁ। ଗତ ଦୁଇ ଦିନ ତଳେ ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗଙ୍କ ନେତୃତ୍ବରେ ପ୍ରତିନିଧି କମିଶନରଙ୍କୁ ଭେଟିବା ପରେ କିଛି ବ୍ୟବସାୟୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦିନକୁ ମାତ୍ର ୨/୩ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କୁ ଗଚ୍ଛିତ ଅତ୍ୟାବଶ୍ୟକ ସାମଗ୍ରୀ ବାହାର କରିବାକୁ ଅନୁମତି ମିଳିଛି। ଡାଲି, ସୁଜିତ, ମଇଦା, ଆଳୁ, ପିଆଜ, ମସଲା ଜାତୀୟ ପଦାର୍ଥଗୁଡ଼ିକୁ ଦିନେ ଦୁଇ ଦିନ ଭିତରେ ବାହାର କରିବାକୁ ଅନୁମତି ନ ମିଳିଲେ ସେଗୁଡ଼ିକ ନଷ୍ଟ ହୋଇଛି। ୬ରୁ ଅଧିକ ଗୋଦାମରେ ଗଚ୍ଛିତ ଆଳୁ, ପିଆଜ ମଧ୍ୟରୁ ୪୦% ଗରମରେ ସଢ଼ିଗଲାଣି।

ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସାୟୀ କ୍ଷତି ସହୁଥିଲେ ହେଁ ବାହାରୁ ଆଳୁ, ପିଆଜ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଉଛନ୍ତି। ଅନ୍ୟ ଜଣେ ଆଳୁ ବ୍ୟବସାୟୀ କମଲ, ନିତେଶ ଜୈନ ସେହି ସମାନ କଥା କହିଛନ୍ତି। ବ୍ୟବସାୟୀ ଓ ସହରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟି‌ରେ ରଖି କଣ୍ଟେନମେଣ୍ଟ ଜୋନ୍‌ ଏରିଆ ଥିବା ପ୍ଲାଣ୍ଟସାଇଟ୍‌, ଡେଲିମାର୍କେଟ, ପୁରୁଣା ପୋଷ୍ଟ ଅଫିସ୍‌ ଗଳି, ମାଡୁମହାରାଜ ଗଳି, ଡିଙ୍ଗୋଡେନା ହୋଟେଲ ଗଳିରେ ଥିବା ହୋଲ୍‌ସେଲ୍‌ ଗୋଦାମରୁ ଅତ୍ୟାବଶ୍ୟକ ସାମଗ୍ରୀ ବାହାର କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବାର ଆବଶ୍ୟକତା ରହିଛି। ମାର୍ଚ୍ଚ ୨୨ ଲକ୍‌ଡାଉନ୍‌ ପରେ ସହରରେ ଆବଶ୍ୟକ ପରିମାଣରେ ଖାଦ୍ୟ ପଦାର୍ଥ ଗଚ୍ଛିତ ରଖିବାକୁ ବଣିକ ସଂଘ ସହରର ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ସେହି ଅନୁଯାୟୀ ହୋଲ୍‌ସେଲ୍‌ ବ୍ୟବସାୟୀମାନେ ଆଳୁ, ପିଆଜ, ଅଟା, ତେଲ, ସୁଜି, ମଇଦା ଆଦି ଟନ୍‌ ଟନ୍‌ ଅତ୍ୟାବଶ୍ୟକ ସାମଗ୍ରୀ ନିଜ ନିଜ ଗୋଦାମରେ ଗଚ୍ଛିତ ରଖିଥିଲେ। ଏପ୍ରିଲ ୨୬ରେ ପ୍ଲାଣ୍ଟସାଇଟ୍‌, ଡେଲିମା‌ର୍କେଟ ସମେତ ସହର ମୁଖ୍ୟରାସ୍ତାର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ରହିଥିବା ପ୍ରାୟ ୧୫୦ରୁ ଅଧିକ ହୋଲ୍‌ସେଲ୍‌ ବ୍ୟବସାୟୀ ଗୋଦାମରୁ ମହଜୁଦ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ବାହାର କରି ପାରି ନଥିଲେ।

ସମ୍ବନ୍ଧିତ ଖବର