ସମ୍ବଲପୁର: ବୁର୍ଲାସ୍ଥିତ ଭିସୁଟ୍ ପରିସରରୁ କଣ୍ଟେନ୍ମେଣ୍ଟ କଟକଣା ହଟିଛି। ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ କଟକଣା ଉଠାଇଛି। କିନ୍ତୁ ପ୍ରଶାସନ କହିଛି ଯେ, କଣ୍ଟେନମେଣ୍ଟ କଟକଣା ହଟିବା ପରେ ବି ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ। ଭିସୁଟ୍ ପରିସରରୁ କଣ୍ଟେନମେଣ୍ଟ କଟକଣା ଉଠିବା ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ୧୧ଟି ଛାତ୍ରାବାସ/ଛାତ୍ରୀନିବାସକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଥିଲେ। ପୁଲହ, ପୁଲସ୍ତ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମାରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ଏହି ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ରେ ରହିଥିଲା। ସେହିପରି ପୁଲହ ଛାତ୍ରାବାସର ଆଖପାଖ ଅଂଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା।
ଭିସୁଟର ୨୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶତାଧିକ ଛାତ୍ରଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଠ୍ୟକ୍ରମର ଦ୍ବିତୀୟ, ଚତୁର୍ଥ, ଷଷ୍ଠ, ଅଷ୍ଟମ ଓ ଦଶମ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ପାଇଁ ଆସନ୍ତା ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଏକାଡେମିକ୍ କ୍ୟାମ୍ପସକୁ ଆସିବାକୁ ବାରଣ କରାଯାଇଛି। ସେମାନେ ଛାତ୍ରବାସ/ଛାତ୍ରୀନିବାସରେ ଅନ୍ଲାଇନ୍ କ୍ଲାସ୍ କରିବେ।