କୂଅରେ ପଡ଼ି ପୁଲିସ କର୍ମଚାରୀଙ୍କ ମୃତ୍ୟୁ, ୩ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ମୃତଦେହ

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତ ହରିପଡ଼ା ଗାଁ’ରେ ରବିବାର ସକାଳେ କୂଅରେ ପଡ଼ି ଜଣେ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ହରିପଡ଼ା ଗାଁ’ର ଇନ୍ଦ୍ରିଆସ ଭୂୟାଁଙ୍କ ପୁଅ ନୁଆସ ଭୂୟାଁ (୪୫) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଥାନାରେ କାର୍ଯ୍ୟରତ ଥିଲେ। ଗତ ୨/୩ ଦିନ ତଳେ ସେ ଛୁଟିରେ ଗାଁ’କୁ ଆସିଥିଲେ। ଆଜି ସକାଳ ପ୍ରାୟ ୯ ଟା ବେଳେ ନୁଆସ ନିଜ ବାଡ଼ି ପଟେ ଥିବା କୂଅରୁ ପାଣି କାଢ଼ିବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ କୂଅ ଭିତରେ ପଡ଼ି ଯାଇଥିଲେ। ପରିବାର ଓ ସାଇପଡ଼ିଶା ଲୋକେ ତାଙ୍କୁ କୂଅରୁ କାଢିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ସୂଚାନ ଦେଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ହେଁ ୩୦ ଫୁଟ ପର୍ଯ୍ୟନ୍ତ ପାଣି ଭର୍ତ୍ତି ଥିବାରୁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥଲା। ବହୁ ଖୋଜାଖୋଜି କରିବା ପରେ ପ୍ରାୟ ଦିନ ୧୨ଟା ବେଳକୁ ନୁଆସଙ୍କୁ କୂଅରୁ ବାହାର କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ଗୋବିନ୍ଦପୁର ଥାନା ପୁଲିସ୍‌ ଶବ ଜବତ କରିବା ସହ ନୁଆସଙ୍କ ପୁତୁରା ହାଲାନ ଭୂୟାଁଙ୍କ ଏତଲାକ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରୀ ଯୋଗେଶ୍ୱର କିଷାନ ସୂଚନା ଦେଇଛନ୍ତି। ନୁଆସଙ୍କ ପତ୍ନୀଙ୍କ ସହ ୩ ନାବାଳକ ପୁଅ ଅଛନ୍ତି। ତୁରନ୍ତ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର