ବାଲେଶ୍ବର: ପଞ୍ଚାୟତ ନିର୍ବାଚନର ଫଳାଫଳ ବାହାରି ସାରିବା ପରେ ଏବେ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର। ଦଳୀୟ ଭିତ୍ତିରେ ଜିଲ୍ଲା ପରିଷଦ ଲଢ଼ା ଯାଉଥିବାରୁ ଏନେଇ ଦଳର ଶୀର୍ଷନେତୃତ୍ବ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତେ ମାନିବାକୁ ବାଧ୍ୟହେବେ। କିନ୍ତୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଅକ୍ତିଆର କରିବା ନେଇ ଏବେ ବିଧାୟକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି।
ଏଥିଲାଗି ଗୋଟିଏ ପଟେ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ସମିତି ଅଧ୍ୟକ୍ଷ ପଦ ଅକ୍ତିଆର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହୋଇପଡ଼ିଛି। ପୁରୀ, ଭୁବନେଶ୍ବର ତଥା ଅନ୍ୟ ସହରରେ ଥିବା ହୋଟେଲ୍, ରିସୋର୍ଟ, ଫାର୍ମ ହାଉସ୍ ଆଦିରେ ନବନିର୍ବାଚିତ ସମିତି ସଦସ୍ୟମାନଙ୍କୁ ନେଇ ରଖାଯାଇଥିବା ଜାଣିବାକୁ ମିଳିଛି।
ଅଜ୍ଞାତବାସରେ ଅଧିକାଂଶ ନିର୍ବାଚିତ
ସମିତିସଭ୍ୟ, ଉଠାଉନାହାନ୍ତି ଫୋନ୍
ଦୀଘା, ଭୁବନେଶ୍ବର, ପୁରୀରେ ଡେରା
ମିଳାମିଶା ଉପରେ କଡ଼ା ନଜର
ଏହି କ୍ରମରେ ବାଲେଶ୍ବର ସଦର ବ୍ଲକ ଅଧ୍ୟକ୍ଷ ପଦ ପ୍ରସଙ୍ଗରେ ଯଦି ଉଲ୍ଲେଖ କରାଯିବ ତାହେଲେ ଚଳିତଥର ଏହି ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବ୍ଲକର ପଞ୍ଚାୟତ ସଂଖ୍ୟା ୩୭ ଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୧୯। ତେବେ କୌଣସି ଦଳ ଏହି ମ୍ୟାଜିକ୍ ସଂଖ୍ୟା ହାସଲ କରିପାରି ନଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ୧୫ଟି ଆସନରେ ଜିତିଥିବା ଦଳ ପକ୍ଷରୁ ଦାବି କରାଯାଇଛି। ସେହିପରି ବିଜେପି ସମର୍ଥିତ ପ୍ରାର୍ଥୀ ୧୪ଟି ଆସନରେ ବିଜୟୀ ହୋଇଥିବା ଜଣାଯାଇଥିବା ବେଳେ ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ୮ଜଣ ପ୍ରାର୍ଥୀ ଜିତିଥିବା ଜଣାପଡ଼ିଛି।
ତେବେ ଚଳିତ ନିର୍ବାଚନ ରସୁଲପୁର, କୁରାଡ଼ିହା, ଛାନୁଆ, ବୁଆଁଳ ଓ ରଣସାହି ପଞ୍ଚାୟତର ସମିତି ସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ରସାଳପୁର, ଶାସଙ୍ଗ, ଓଡ଼ିଙ୍ଗି, ଗୁଡ଼ୁ ଓ ଜୟଦେବକସବା ପଞ୍ଚାୟତର ସମିତିସଭ୍ୟ ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଏବେ ଏହି ସବୁ ଆସନରେ ନିର୍ବାଚିତ ହୋଇଥିବା ମହିଳା ସମିତି ସଦସ୍ୟମାନଙ୍କୁ ନେଇ ଅଧ୍ୟକ୍ଷା ପଦ ପାଇଁ ଅଙ୍କକଷା ଆରମ୍ଭ ହୋଇଛି। ପଞ୍ଚାୟତ ସମିତି ସଦସ୍ୟ ପାଇଁ ଦଳୀୟ ଭିତ୍ତିରେ ନିର୍ବାଚନ ହେଉ ନଥିବାରୁ ସେମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥାନ୍ତି। ଏଥର ପ୍ରତି ରାଜନୈତିକ ଦଳର ଏକାଧିକ ସମର୍ଥକ ଅନେକ ସ୍ଥାନରେ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଥିଲେ।
ବିଶେଷ କରି ଶାସକ ଦଳରେ ବିଧାୟକଙ୍କ ସମର୍ଥନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ବିରୋଧରେ ସେହି ଦଳର କିଛି ଅସନ୍ତୁଷ୍ଟ ନେତାମାନେ ଲଢ଼ି ଜିତି ମଧ୍ୟ ଯାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ସେମାନେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ କାହାକୁ ସମର୍ଥନ କରିବେ? ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚିତ ପ୍ରତିନିଧି ଏବେ କେଉଁଠି ଅଛନ୍ତି ଜଣାପଡ଼ୁନଥିବା ବେଳେ ଫୋନ୍ ଜରିଆରେ ଯୋଗଯୋଗ କଲେ ମଧ୍ୟ ଫୋନ୍ ଉଠାଉନାହାନ୍ତି।
ଶୁଣିବାକୁ ମିଳୁଛି ଯେ , ୨୬ ତାରିଖ ସନ୍ଧ୍ୟାରେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ନିର୍ବାଚିତ ସମିତି ସଦସ୍ୟମାନଙ୍କୁ ଦଳଗୁଡ଼ିକ ଅଜ୍ଞାତବାସରେ ରଖିଛନ୍ତି। ଏଥିପାଇଁ କେତେଜଣଙ୍କୁ ଭୁବନେଶ୍ବର, ପୁରୀ, ଦୀଘା ଓ କୋଲକାତା ନେଇ ତାରକା ହୋଟେଲରେ ରଖାଯାଇଛି ତ ଆଉ କେତେଜଣ ସମିତି ସଭ୍ୟଙ୍କୁ ନେତାଙ୍କ ଫାର୍ମହାଉସ୍ ଏବଂ ଗୋପନୀୟ ସ୍ଥାନରେ ରଖାଯାଇ ଯେପରି ସେମାନେ କାହା ସହିତ ମିଶି ନ ପାରିବେ ସେଥିପାଇଁ କଡ଼ା ନଜର ରଖିବାକୁ ଖାସ୍ ଲୋକଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ୧୨ ତାରିଖରେ ଅଧ୍ୟକ୍ଷ ନିର୍ବାଚନର ପୂର୍ବ ରାତି ଯାଏ ସଦସ୍ୟମାନଙ୍କର ରହିବା ବନ୍ଦୋବସ୍ତ କରାଯାଇଛି। ଏପରିକି ଅଧ୍ୟକ୍ଷ ପଦବି ପାଇଁ ହାଇପ୍ରୋଫାଇଲ୍ ଲଢ଼େଇ ସମ୍ଭାବନା ଥିବା ପଞ୍ଚାୟତ ସମିତିର ସଦସ୍ୟଙ୍କୁ ତାରକା ହୋଟେଲ୍ରେ ରଖାଯାଇଥିବା ଦେଖିବାକୁ ମିଳିଛି। କିଛି ସଦସ୍ୟଙ୍କୁ ରାଜ୍ୟ ବାହାରକୁ ମଧ୍ୟ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Election-Symbol1.jpg)