ସାମାଜିକ ଗଣମାଧ୍ୟମରେ ଅମରଙ୍କ ‘ନବୀନଙ୍କ ଦମ୍‌’ ପୋଷ୍ଟର ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ବିରୋଧୀ

ବିଫଳତାର ହିସାବ ଦେଲା ବିଜେପି

ଭୁବନେଶ୍ବର: ବିଜେଡି ସାଂସଦ ଅମର ପଟ୍ଟନାୟକ ବୁଧବାର ଟ୍ବିଟର ଓ ଫେସବୁକ୍‌ରେ ‘ନବୀନଙ୍କ ଦମ୍‌’ ଲେଖାଥିବା ଏବଂ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଥିବା ଏକ ପୋଷ୍ଟର ପୋଷ୍ଟ କରି ୨୦୦୦ ମସିହା ଓ ୨୦୨୩ରେ ସରକାରଙ୍କ ସଫଳତାର ଏକ ତୁଳନାତ୍ମକ ଚିତ୍ର ବଖାଣିଥିଲେ। ଏହାପରେ ଏହାକୁ ନେଇ ବି‌େରାଧୀ ଶାସକ ଦଳକୁ ଘେରିଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ଜଣେ ସାଂସଦ ଜଣେ ଅଫିସରଙ୍କ ଫଟୋ ଲଗାଇ ସରକାରୀ ଯୋଜନାର ପ୍ରଚାର କରିବା ନିନ୍ଦନୀୟ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

ସେହିପରି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ଆଜି ଫେସବୁକ୍‌ରେ ସାଂସଦଙ୍କୁ ଜବାବ୍ ଦେଇ ଲେଖିଛନ୍ତି ଯେ ୨୦୦୦ ମସିହାରେ ଓଡ଼ିଶାରେ ଗଣତନ୍ତ୍ର ଥିଲା, ଏବେ ବାବୁତନ୍ତ୍ର, ଅଣ ଓଡ଼ିଆ ବ୍ୟବସାୟୀ ତନ୍ତ୍ର ଚାଲିଛି। ସେତେବେଳେ ଲୋକ ପ୍ରତିନିଧିମାନେ ଲୋକଙ୍କ ପାଖକୁ ଯାଉଥିଲେ, ଏବେ ସେମାନେ ସଚିବଙ୍କ ଗୁଣଗାନ କରୁଛନ୍ତି। ୨୦୦୦ ମସିହାରେ ମଦ ବିକ୍ରି ଟିକସ ଥିଲା ୧୯୭କୋଟି, ଏବେ ତାହା ୧୦ହଜାର କୋଟି, ୨୦୦୦ ମସିହାରେ ଓଡ଼ିଶାରେ ୪୭ଟି ସରକାରୀ ଶୀତଳ ଭଣ୍ଡାର ଥିଲା, ଆଜି ସବୁ ତାଲା ପଡ଼ିଛି। ୨୦୦୦ ମସିହାରେ ଓଡ଼ିଶାର ଗରିବ ହାର, ମୁଣ୍ଡପିଛା ଆୟ ଦେଶରେ ତଳ ଆଡ଼ୁ ତିନି ନମ୍ବର ଥିଲା, ଆଜି ଆହୁରି ତଳକୁ ଖସି ଦୁଇ ନମ୍ବର ହୋଇଛି। ୨୦୦୦ ମସିହାରେ ଓଡ଼ିଶାର ଚାଷୀଙ୍କ ଆୟ ତଳ ଆଡ଼ୁ ଦୁଇ ନମ୍ବରରେ ଥିଲା, ଆଜି ତଳ ଆଡ଼ୁ ଏକ ନମ୍ବର ହୋଇଛି। ୨୦୦୦ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ଦେଶରେ ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ତାଲିକାରେ ୧୭ତମ ସ୍ଥାନରେ ଥିଲା, ଆଜି ଖସିକି ୮୮ରେ ପହଞ୍ଚିଛି।

ସେହିପରି ୨୦୦୦ରୁ ୨୦୨୩ ମଧ୍ୟରେ ୨୩ ବର୍ଷରେ ହୋଇଥିବା ୧୨ଟି ମେଡିକାଲ କଲେଜରୁ ୯ଟି କେନ୍ଦ୍ର ସରକାରଙ୍କର, ୩ଟି ଘରୋଇ ହସ୍ପିଟାଲ। ରାଜ୍ୟ ସରକାର କ’ଣ କରିଛନ୍ତି? ସେତେବେଳେ ଓଡ଼ିଶା ଲୋକ ଦାଦନ ଯାଉଥିଲେ, ଆଜି ବି ଦାଦନ ଯାଉଛନ୍ତି। ୨୦୦୦ ମସିହାରେ ଓଡ଼ିଶାରେ କୃଷି ଭିତ୍ତିକ ଶିଳ୍ପ ଯଥା ଚିନି କଳ, ସୂତା କଳ, କାଗଜ କଳ ଆଦି ଥିଲା। ଆଜି ସେସବୁ ବନ୍ଦ। ୨୦୦୦ ମସିହାରେ ଓଡ଼ିଶାରେ ଓଡ଼ିଆ ଠିକାଦାରମାନେ କାମ ପାଉଥିଲେ, ଏବେ ଅଣଓଡ଼ିଆ ଠିକାଦାର କାମ ପାଉଛନ୍ତି। ଶେଷରେ ଏତିକି କହିବି ଯେ, ବିଜେଡି ସରକାର ଓଡ଼ିଶାର ଗରିବ ଲୋକଙ୍କ ପାଇଁ କରିଛି କ’ଣ? ଚାଉଳ ମୋଦୀ ସରକାର ଦେଲେ, ଜଳ ଜୀବନ ମିସନରେ ପିଇବା ପାଣି ସୁବିଧା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର, ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ସବୁ କେନ୍ଦ୍ର ସରକାର କଲେ, ରାଜ୍ୟ ସରକାର କ’ଣ କଲେ?

ସମ୍ବନ୍ଧିତ ଖବର