ଭୁବନେଶ୍ୱର: ଏବେ ତାତିରୁ ନିସ୍ତାର ମିଳିବନି। ଆହୁରି ୪୮ ଘଣ୍ଟା ଯାଏ ଆକାଶରୁ ନିଆଁ ବର୍ଷା ହେବ। ଅର୍ଧାଧିକ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ଆଜି ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି। ଏପଟେ ଉପକୂଳ ଓଡ଼ିଶାରେ ଆଜିି ବି ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା। ଭୁବନେଶ୍ୱର ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଗତକାଲି ଏଠାରେ ୪୨.୨ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଆଜି ସର୍ବୋଚ୍ଚ ତାପମାତ୍ରା ୪୨.୩ ଡିଗ୍ରିରେ ପହଞ୍ଚିଥିଲା। ଅପରାହ୍ନ ଗୋଟାଏ ବେଳକୁ ଏଠାକାର ତାପମାତ୍ରା ସର୍ବୋଚ୍ଚ ରେକର୍ଡ ଛୁଇଁଯାଇଥିଲା। ଆଶ୍ୱାସନା ମିଳିଛି ଯେ ଜୁନ୍ ୨୨ ପରେ ତାତି କମିପାରେ। ୨୩ରୁ ୨୫ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରୁଛିି ଭାରତୀୟ ପାଣିପାଗ ବିଭାଗ। କୁହାଯାଇଛି ଯେ ୨୪ ତାରିଖ ବେଳକୁ ମୌସୁମୀ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ରହିଛି। ପୂର୍ବ ଭାରତ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ପବନର ଦିଗ ପରିବର୍ତନ ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିବା ଦିଗରେ ଏହା ସହାୟକ ହେବ। ଓଡ଼ିଶା ସମେତ ମହାରାଷ୍ଟ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ ଓ ମଧ୍ୟପ୍ରଦେଶର କିଛି ସ୍ଥାନରେ ଜୁନ୍ ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହୋଇପାରେ। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ସମାନ ଆକଳନ କରିଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୧ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ତାତି ଜାରି ରହିବ। ତାହାକୁ ଦୃଷ୍ଟିରେ ରଖି ହିଟ୍େଓ୍ଵଭ୍ ଜାରି କରାଯାଇଛି। ୨୨ ତାରିଖଠାରୁ ତାପମାତ୍ରା ଟିକିଏ କମିବ। ଅଧିକାଂଶ ସହରର ତାପମାତ୍ରା ପୁଣିଥରେ ୪୦ ଡିଗ୍ରି ତଳକୁ ଖସିିବ। ୨୨ ଓ ୨୩ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। କାଳବୈଶାଖୀର ବି ସମ୍ଭାବନା ରହୁଛି। ୨୪ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଭୁବନେଶ୍ୱରରେ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ୪ଟା ବେଳେ ମାତ୍ର ୨୦ମିନିଟ୍ର ଝଡ଼ ବିଗାଡି ଦେଇଥିଲା ଜୀବନଯାତ୍ରା। ଏହି ସମୟ ମଧ୍ୟରେ ୨୨.୬ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେପଟେ କାଳବୈଶାଖୀ ଯୋଗୁଁ ୫୦ରୁ ଅଧିକ ଗଛ ଭାଙ୍ଗିପଡ଼ିଛି। ଲୋୟର ପିଏମ୍ଜିରେ ଏକ ବିଶାଳ ଗଛ ଭାଙ୍ଗିବା ଦ୍ୱାରା ଧାରଣାରେ ବସିଥିବା ୫ ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ଟିଟିଲାଗଡ଼ରେ ମଧ୍ୟ ୬ ମି.ମି. ବର୍ଷା ହୋଇଥିବା ଜଣାପଡିଛି। ଭୁବନେଶ୍ୱରରେ ୪୨.୩ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ବାରିପଦାରେ ୪୨, ତାଳଚେରରେ ୪୧.୯, ଅନୁଗୁଳରେ ୪୧.୭, ଚାନ୍ଦବାଲିରେ ୪୦.୮, ବାଲେଶ୍ୱର, ଟିଟିଲାଗଡ଼ ଓ ବଲାଙ୍ଗୀରରେ ୪୦.୫, ଢ଼େଙ୍କାନାଳରେ ୪୦.୨, କଟକରେ ୪୦.୧ ଡିଗ୍ରି ରହିଥିଲା।
ଅଂଶୁଘାତରେ ୬ ମୃତ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ତାଉ ଯୋଗୁ ୬ ଜଣ ଅଂଶୁଘାତର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲାରେ ୪ ଜଣ ହୋଇଥିବାବେଳେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୫ ଦିନ ହେଲା ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରିକୁ ଅତିକ୍ରମ କରିଛି। ଯାହାର ପ୍ରଭାବ ଜନଜୀବନ ଉପରେ ପଡ଼ିଛି। ଏବଂ, କେତେକ ସ୍ଥାନରେ ଲୋକମାନେ ଅଂଶୁଘାତର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗ୍ରାମର ଚନ୍ଦ୍ରମଣି ବେହେରା (୫୦) ଓ କଳାଗଡ଼ ଗ୍ରାମର କେଦାର ସେଠୀ (୩୮)। ଚନ୍ଦ୍ରମଣି ବଜାରକୁ ଯାଇଥିଲାବେଳେ ଏବଂ କେଦାର ମେଣ୍ଢା ଚରାଉଥିବାବେଳେ ଅଂଶୁଘାତର ଶିକାର ହୋଇଥିଲେ। ସେହିଭଳି, କଟକ ଜିଲ୍ଲାର ୨ ଜଣ ଅନୁରୂପ ଭାବେ ଅଂଶୁଘାତର ଶିକାର ହୋଇଛନ୍ତି। ଦୁହେଁ ହେଲେ, ଆଠଗଡ଼ ଏନଏସି ୧୪ ନମ୍ବର ୱାର୍ଡ ଶବରସାହିର ଉତରା ନାଏକ(୭୫) ଓ ସାଲେପୁର ବ୍ଲକ୍ ଗୋପିନାଥପୁର ଠାରେ ଶ୍ରମିକ ଭାବେ କାଡ଼ା କାର୍ଯ୍ୟ କରୁଥିବା ଜିଗ୍ନିପୁରର ଭାଗ୍ୟଧର ଲେଙ୍କା (୫୫)। ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଶେରଗଡ଼ ବ୍ଲକ କାଞ୍ଜିଆମ୍ମା ଗ୍ରାମରେ ଅଂଶୁଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି, ଉପେନ୍ଦ୍ର ମହାନ୍ତି (୬୨)। ଉପେନ୍ଦ୍ର ଆଜି ପୂର୍ବାହ୍ନ ୭ଟାରେ ବିଲକୁ ଚାଷ କାମ ପାଇଁ ବାହାରିଥିବାବେଳେ ଅଂଶୁଘାତର ଶିକାର ହୋଇଥିଲେ। ସେହିଭଳି, ବୋଲଗଡ଼ ବ୍ଲକ୍ ଖଙ୍ଗୁରିଆ ପଞ୍ଚାୟତର ସଂପୁର ଗ୍ରାମରେ ଭୁବନେଶ୍ୱର ନିକଟ ବାଳକାଟିର ଜାହାଜ ବେୱା(୬୭)ଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ କୁଣିଆ ଘରକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା।