ଯାଜପୁରସଦର: ପବିତ୍ର ବୈତରଣୀ ଏବେ ଅସହାୟ। ବୈତରଣୀ ନଦୀଶଯ୍ୟାକୁ ବାଲି ମାଫିଆ ଖିନ୍ଭିନ୍ କରି ଲୁଟି ଚାଲିଥିବା ବେଳେ ଯାଜପୁରରେ ବିକାଶ ନାମରେ ନଦୀକୁ ପୋତି ପ୍ରକଳ୍ପ ତିଆରି ହେଉଛି। ଫଳରେ, ଏହା ଅନେକ ସ୍ଥାନରେ ଶୁଖିଯାଇ ଚାରଣ ଭୂଇଁ ପାଲଟିଯାଇଛି। ନଦୀଶଯ୍ୟାରେ ଯାଯାବରମାନେ ତମ୍ବୁ ଟାଙ୍ଗି ରହୁଛନ୍ତି। ପାଣି ରହୁନଥିବାରୁ ପାନୀୟଜଳ ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ର ଗୋନାସିକରୁ ବାହାରିଥିବା ବୈତରଣୀ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ବୈତରଣୀକୁ ଦେବୀ ଭାବେ ଯାଜପୁରରେ ପୂଜା କରାଯାଉଛି। ଦଶାଶ୍ୱମେଧ ଘାଟରେ ମା’ ବୈତରଣୀଙ୍କ ଶିଳାମୂର୍ତ୍ତି ପୂଜା ପାଉଛନ୍ତି। ଏହି ସ୍ଥାନରେ ପିଣ୍ଡଦାନ କରାଯାଉଛି। ହେଲେ, ଏହି ଯାଜପୁରରେ ହିଁ ବୈତରଣୀକୁ ମାରିବା ପାଇଁ ଚକ୍ରାନ୍ତ ହୋଇଛି।
ପରିବେଶବିତ୍ଙ୍କ ମତରେ, ଯାଜପୁରରେ ବୈତରଣୀ ନଦୀଶଯ୍ୟାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସହ ବେଆଇନ ବାଲି ଉଠାଣ ଯୋଗୁଁ ନଈର ଅକାଳ ମୃତ୍ୟୁ ହେବ। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନଦୀର ଗତିପଥକୁ ବଦଳାଇ ଦିଆଯାଇଛି। ସେହି ନିକଟରେ ନଦୀଶଯ୍ୟାକୁ ବାଲି ଓ ମାଟି ପକାଇ ପୋତାଯାଇଛି। ବେଆଇନ ଖନନ ଯୋଗୁଁ ନଦୀଶଯ୍ୟାରେ କେଉଁଠି ଗଣ୍ଡ ତ ଆଉ କେଉଁଠି ପଡ଼ିଆରେ ପରିଣତ ହୋଇଛି। ଏଭଳି ସ୍ଥିତିରେ ଭଦ୍ରକ ଧାମନଗରଠାରେ ନିର୍ମାଣ ହେଉଥିବା ଟେକ୍ସଟାଇଲ ଏବଂ ଫୁଡ୍ସ ପାର୍କ ପାଇଁ ବୈତରଣୀର ଆଖୁଆପଦା ବ୍ୟାରେଜ୍ ଡାଉନ୍ଷ୍ଟ୍ରିମ୍ରେ ଇନ୍ଟେକ୍ ୱେଲ୍ ଖୋଲି ଜଳ ଉଠାଇବାକୁ ଯୋଜନା ଅଛି।
ଏ ସଂପର୍କରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଏସ୍.କେ.ପଣ୍ଡା ଗତ ଜାନୁଆରି ୧୦ ତାରିଖରେ ଇଡ୍କୋର ଅଧ୍ୟକ୍ଷଙ୍କୁ ଜଳ ଉତ୍ତୋଳନର ମଞ୍ଜୁରୀ ସଂପର୍କରେ ଅବଗତ କରାଇଛନ୍ତି। ୨୦୨୪ ବର୍ଷରେ ୧.୮୨ କ୍ୟୁସେକ୍, ୨୦୨୫ରେ ୩.୮ କ୍ୟୁସେକ୍ ଏବଂ ୨୦୨୫ରୁ ୨୦୩୦ ପର୍ଯ୍ୟନ୍ତ ୪.୫ କ୍ୟୁସେକ୍ ଜଳ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି। ଇନ୍ଟେକ୍ ୱେଲ୍ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୬ ମାସର ଜଳ ଅଭାବ ସମୟରେ ପାର୍କ ପରିସରରେ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ତେବେ, ବୈତରଣୀ ଉପରମୁଣ୍ଡରେ ସ୍ଲରି ପାଇପ୍ଲାଇନ୍ରେ ଖଣିଜ ପରିବହନ ପାଇଁ ଜଳ ବ୍ୟବହାର ହେଉଥିବା ବେଳେ ଆଖୁଆପଦାରେ ଇନ୍ଟେକ୍ ୱେଲ୍ ହେଲେ ଯାଜପୁରରେ ବୈତରଣୀ ଶୁଖିଲା ପଡ଼ିବ।
ଅନ୍ୟପକ୍ଷରେ, ନଈରେ ପାଣି ନଥିବାରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ସିଦ୍ଧେଶ୍ବରଠାରେ ୧୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃହତ୍ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ୪ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ୨ଟି ଡ୍ୟାମ୍ ନିର୍ମାଣ ହେଉଥିବା ବେଳେ ନଦୀମାଳା ପରିକଳ୍ପନା ଯୋଜନାରେ ଆଖୁଆପଦା ଡ୍ୟାମ୍ର ରୂପାନ୍ତରୀକରଣ ପାଇଁ ଯୋଜନା କରାଯାଇଛି। ସେହିପରି, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ରେ କେନାଲ ଜରିଆରେ ଜଳସେଚନ ସୁବିଧା ପାଇଁ ୨୦୦ କୋଟିର ଆନିକଟ ପାଇଁ ଅର୍ଥ ମଂଜୁର ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ବର୍ଷା ଋତୁକୁ ଛାଡ଼ି ଦେଲେ ଅନ୍ୟ ଦିନରେ ବୈତରଣୀରେ ପାଣି ରହୁନଥିବା ବେଳେ ଏପରି ମାଳମାଳ ପ୍ରକଳ୍ପ ପାଇଁ ଯୋଜନା କରାଯିବାକୁ ନେଇ ପ୍ରଶ୍ନ ଉଠୁଛି।