ବୀରମହାରାଜପୁର: ଅଦିନିଆ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ଫସଲହାନି ହୋଇଥିବା ଦେଖିବାକୁ ମିଳୁଛି। ମଣ୍ଡିରେ ଧାନ ପକାଇ ରଖିଥିବା ଚାଷୀମାନେ ମଧ୍ୟ ହଇରାଣ ହୋଇଛନ୍ତି। ବୀରମହାରାଜପୁର ବ୍ଲକ୍‌ର ବିଭିନ୍ନ ମଣ୍ଡିରେ ଏବେବି ପ୍ରାୟ ୪୦ ହଜାର ପ୍ୟାକେଟ ଧାନ ପଡ଼ିରହିଛି। ଦୁଇଦିନ ହେଲା ଝିପିଝିପି ବର୍ଷା ଯୋଗୁଁ ଧାନ ନେବାକୁ ବିଭିନ୍ନ ମିଲ୍‌ର ଟ୍ରକ ଆସିଥିଲେ ମଧ୍ୟ ଧାନବସ୍ତା ବୋଝେଇ ହୋଇପାରୁ ନାହିଁ। ହିଲୁଙ୍ଗ ୨ ନମ୍ବର ମଣ୍ଡିରେ ପ୍ରାୟ ୩୦ ହଜାର ପ୍ୟାକେଟ ଧାନ ରହିଛି।

Advertisment

ଧାନ ନେବାକୁ ୫ଟି ଟ୍ରକ୍ ଆସିଥିଲେ ମଧ୍ୟ ବର୍ଷା ଯୋଗୁଁ ବୋଝେଇ ହୋଇପାରୁ ନାହିଁ। ସେହିପରି ମୁର୍ଷୁଣ୍ଢୀ ମଣ୍ଡିରେ ୫ ହଜାରରୁ ଅଧିକ ପ୍ୟାକେଟ, ଖଣ୍ଡହଥା ମଣ୍ଡିରେ ୨ ହଜାରରୁ ଅଧିକ ପ୍ୟାକେଟ, ବାଗବର ମଣ୍ଡିରେ ୫ ଶହ ପ୍ୟାକେଟରୁ ଅଧିକ ଧାନ ପଡ଼ିରହିଛି। ବୁଧବାର ସନ୍ଧ୍ୟାରେ ବାଗବର ଓ ଖଣ୍ଡହଥା ମଣ୍ଡିରେ ଟ୍ରକ୍‌ରେ ଧାନ ବୋଝେଇ ହୋଇଥିବା ସୂଚନା ମିଳିଛି। ସବୁଠାରୁ ଅଧିକ ଅବ୍ୟବସ୍ଥା ଦେଖାଦେଇଛି ହିଲୁଙ୍ଗ ମଣ୍ଡିରେ। ଏଠାରେ ଖୋଲା ପଡ଼ିଆରେ ମଣ୍ଡି ଚାଲିଥିବାରୁ ପଲିଥିନ ଢାଙ୍କି ବର୍ଷାରୁ ଧାନକୁ ରକ୍ଷା କରାଯାଇଛି।

publive-image

ପଡ଼ିଆ ଭିଜିଯାଇଥିବାରୁ ମୁଖ୍ୟ ରାସ୍ତାରେ ଟ୍ରକ୍ ରଖି ଧାନ ବୋଝେଇ କରାଯିବ ବୋଲି ପ୍ୟାକ୍ସ ସଭାପତି ତଥା ବଲାଙ୍ଗୀର ସମବାୟ ନିର୍ଦ୍ଦେଶକ ଯୋଗୀନ୍ଦ୍ର ମିର୍ଦ୍ଧା କହିଛନ୍ତି। ଏଣୁ ଏଠାରେ ସ୍ଥାୟୀ ମଣ୍ଡି କରିବାକୁ ଶ୍ରୀ ମିର୍ଦ୍ଧା ଦାବି କରିଛନ୍ତି। ଚାଷୀ ପ୍ରକାଶ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ହିଲୁଙ୍ଗ ମଣ୍ଡିରେ ୩୦ ହଜାରରୁ ଅଧିକ ପ୍ୟାକେଟ ଧାନ ପଡ଼ିରହିଛି ଚାଷୀମାନେ ପଲିଥିନ୍ ଘୋଡ଼ାଇ ଧାନ ଘୋଡ଼ାଇ ଜଗିରହିଛନ୍ତି। ଅନେକ ସ୍ଥାନରେ ତଳପଟରୁ ଧାନବସ୍ତା ଓଦା ହେଲାଣି। ଅନେକ ସ୍ଥାନରେ ଉପରପଟୁ ମଧ୍ୟ ପାଣି ପଶିଛି। ଏଣୁ ସରକାର ଏଠାରେ ସ୍ଥାୟୀ ଧାନ ଗୋଦାମ କଲେ ଚାଷୀ ସେମାନଙ୍କ ଧାନ ଠିକ୍ ଭାବରେ ରଖିବା ସହିତ ଆଉ ବର୍ଷାର ଭୟ ରହିବ ନାହିଁ ବୋଲି କହିଛନ୍ତି।