କୋଭିଡ୍‌ ସତ୍ତ୍ବେ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼

ରାଜନଗର: କରୋନା କଟକଣା ସତ୍ତ୍ବେ ବିଶ୍ବ ପ୍ରସିଦ୍ଧ ଭିତରକନିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକଣା ମଧ୍ୟରେ ୭ମାସ ବନ୍ଦ ରହିବା ପରେ ଅକ୍ଟୋବର ୧ତାରିଖରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏବେ ପିକନିକ୍‌ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମି ଏବେ ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟି ଯାଇଛି। ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ବିଦେଶୀ ପକ୍ଷୀଙ୍କ ସହିତ ଦେଶୀୟ ପକ୍ଷୀଙ୍କ କାକଳିରେ ପର୍ଯ୍ୟଟକ ବିମୋହିତ ହୋଇ ପଡୁଛନ୍ତି। ଭିତରକନିକାରେ ଥିବା ବଉଳା କୁମ୍ଭୀର, ହଜାର ହଜାର ସଂଖ୍ୟାରେ ହରିଣ, ବାର୍‌ହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିସହ ହେନ୍ତାଳ ବଣ, ସୁନ୍ଦରୀ, ଶିଶୁମାର, କେରୁଅଁ, ରାଇ, ବଣି, ଗରଣି, ପାଣିଆମ୍ବ, ସିଙ୍ଗଡା, ପୀତାମ୍ବରୀ, ପୀତକୋରୁଅ ଭଳି ବିରଳ ଲୁଣା ଉଦ୍ଭିଦ ସହିତ ପ୍ରକୃତି ଓ ପରିବେଶ ପର୍ଯ୍ୟଟକଙ୍କ ମନକୁ କିଣି ନେଇଛି।

ଭିତରକନିକାରେ ନୌକା ଭ୍ରମଣ ସମୟରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଈପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ମିଳନର ଦୃଶ୍ୟ ଭିତରକନିକାକୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଏଥିସହ ଧଳା କୁମ୍ଭୀର ଗୋରୀ ଓ ଶଙ୍ଖୁଆକୁ ଦେଖିବାକୁ ପର୍ଯ୍ୟଟକମାନେ ଭିଡ଼ ଜମାଉଛନ୍ତି। କରୋନା କଟକଣା ମଧ୍ୟରେ ଭିତରକନିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକ୍ଟୋବରରେ ଭିତରକନିକା ମୁଖ୍ୟ ଫାଟକ ଦେଇ ୧୦୪୩, ବୋଟ ଯୋଗେ ଖୋଳା ପ୍ରବେଶସ୍ଥାନ(ଏଣ୍ଟ୍ରି ପଏଣ୍ଟ୍‌) ଦେଇ ୪୮୮, ଚାନ୍ଦବାଲିରୁ ୧୫୮ ଓ ଗୁପ୍ତି ଏଣ୍ଟ୍ରି ପଏଣ୍ଟ୍‌ରୁ ୧୦୧ ମୋଟ ୧୭୯୦ ପର୍ଯ୍ୟଟକ ଆସିଥିଲେ। ନଭେମ୍ବରରେ ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ୍‌ ଦେଇ ୩୩୬୫, ଖୋଳାରୁ ବୋଟ ଯୋଗେ ୧୭୨୧, ଚାନ୍ଦବାଲିରୁ ବୋଟ ଯୋଗେ ୪୧୦, ଗୁପ୍ତିରୁ ବୋଟ ଯୋଗେ ୫୪୯ ମୋଟ ୬୦୪୫ ପର୍ଯ୍ୟଟକ ଆସିଥିଲେ।

ଚଳିତ ଡିସେମ୍ବର ମାସରେ ୭ ତାରିଖ ସୁଦ୍ଧା ଭିତରକନିକାକୁ ୨୬୯୦ ପର୍ଯ୍ୟଟକ ଆସିଛନ୍ତି। ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ୍‌ ଦେଇ ୭୮୩ ପର୍ଯ୍ୟଟକ ଆସିଥିବାବେଳେ ଖୋଳାରୁ ବୋଟ୍‌ ଯୋଗେ ୭୮୪, ଚାନ୍ଦବାଲିରୁ ବୋଟ ଯୋଗେ ୧୭୪, ଗୁପ୍ତିରୁ ବୋଟ ଯୋଗେ ୯୪୯ ପର୍ଯ୍ୟଟକ ଭିତରକନିକାକୁ ଆସିଛନ୍ତି। କୋଭିଡ୍‌ ପାଇଁ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବେସରକାରୀ ଓ ସରକାରୀ ବୋଟ୍‌ ଧାରଣକ୍ଷମତାର ୫୦ ପ୍ରତିଶତ ପର୍ଯ୍ୟଟକଙ୍କୁ ଜଳପଥରେ ଭିତରକନିକା ବୁଲାଉଛନ୍ତି।

ସମ୍ବନ୍ଧିତ ଖବର