ମାଲକାନଗିରି (ପ୍ରେମେନ୍ଦ୍ର ପରିଛା): ମାଲକାନଗିରି ଜିଲ୍ଲା ଗଂଜେଇ ଚାଷର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ଜାଗାରେ ଗଂଜେଇ ଚାଷ ହେଉଛି। ବିଶେଷକରି ଚିତ୍ରକୋଣ୍ଡା, ମାଲକାନଗିରି, କୋରକୋଣ୍ଡା, ମାଥିଲି ଏବଂ ଖଇରପୁଟର ଦୁର୍ଗମ ଅଂଚଳରେ ଏହି ଚାଷ ଜୋରସୋରରେ ଚାଲିଛି। ନକ୍ସଲଙ୍କ ଦବଦବା ରହିଥିବାରୁ ଏହି ଚାଷକୁ ଲୋକେ ବେଧଡକ କରିଚାଲିଲେ। ଏବେ ଆଉ ସେହି ଅବସ୍ଥା ନାହିଁ। ନକ୍ସଲ ଜିଲ୍ଲାରୁ ତଡା ଖାଇବା ପରେ ସବୁ ସ୍ବାଭାବିକ ହୋଇଛି। ଲୋକଙ୍କୁ କିପରି ଏହି ବେଆଇନ ଗଂଜେଇ ଚାଷରୁ ବିଚ୍ୟୁତ କରି ନିଜର ପାରଂପାରିକ ଚାଷ ପ୍ରତି ମନବଳାଇବେ ସେନେଇ ପ୍ରଶାସନ ଘନ ଘନ ବୈଠକ କରୁଛି। ଏବେ ପୁଣି ଗଂଜେଇ ଅମଳର ସମୟ ଆସିଛି। ଦୁର୍ଗମ ଅଂଚଳଗୁଡିକରେ ଏବେ ବି ଗଂଜେଇ ଚାଷକୁ ଲୋକେ ଛାଡିପାରି ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗଂଜେଇ ଚାଷରୁ ପ୍ରଚୁର ଲାଭ ପାଉଥିବାରୁ ଚାଷୀ ଏହାକୁ ନିଜର ପିଲା ଭଳି ଯତ୍ନ ନେଉଥିବା ଦେଖିବାକୁ ମିଳିଛି। ତେବେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଗଂଜେଇ ଅମଳ ସମୟ ହୋଇଥିବାରୁ ଲୋକେ ଏବେ ଗଂଜେଇ ଗଛରୁ ଗଂଜେଇ ଅମଳ କରିବେ। ଏହା ପୂର୍ବରୁ ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ଗଛକୁ ନଷ୍ଟ କରିବା ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି। ଏହି ଦୁଇ ବିଭାଗ ମଧ୍ୟରେ ରୁଦ୍ଧ ଦ୍ବାରା ଆଲୋଚନା କରାଯାଇ କିପରି ଗଂଜେଇ ଗଛକୁ ନଷ୍ଟ କରାଯିବ ଏବଂ ଏଥିପାଇଁ ପୁଲିସର କଡା ସୁରକ୍ଷାରେ କରାଯିବ ସେନେଇ ଆଲୋଚନା ସରିଯାଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପୁଲିସ, ବନ ବିଭାଗ ଏବଂ ଅବକାରୀ ବିଭାଗର ମିଳିତ ଚଢାଉରେ ଜିଲ୍ଲାର ଦୁର୍ଗମ ଅଂଚଳଗୁଡିକରେ କରାଯାଉଥିବା ଏହି ବୈଆଇନ ଗଂଜେଇ ଚାଷକୁ ନଷ୍ଟ କରାଯିବ।
ତେବେ ଏହ ବଦଳରେ ଲୋକଙ୍କୁ ସଚେତନ କରାଯିବା ସହ ପାରଂପାରିକ ଚାଷ ପ୍ରତି ସେମାନଙ୍କୁ ଆକୃଷ୍ଟ କରିବା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଧ୍ୟ ବୈଠକ ସରିଛି।ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଏନେଇ ଏକ୍ସନ ପ୍ଲାନ ମଧ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଗଂଜେଇ ବଦଳରେ ହଳଦୀ, ମାଣ୍ଡିଆ, ଧାନ, ସୁଆଁ, ଅଦା, ପନିପରିବା ସହ ଅନ୍ୟ ଚାଷ ପ୍ରତି କିପରି ମନବଳାଇବେ ସେନେଇ ଚାଷୀଙ୍କୁ ସଚେତନ ସହ ସମସ୍ତ ସହଯୋଗ ପ୍ରଦାନ କରିବାକୁ କୁହାଯାଇଥିବା ଜଣାପଡିଛି। ବିଶେଷକରି ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ବେଧଡକ ଗଂଜେଇ ଚାଷ ହେଉଥିବାରୁ ସେଠାରେ ଲୋକଙ୍କୁ ସଚେତନ କରାଯାଇ ଅନ୍ୟ ଚାଷ ପ୍ରତି କିପରି ମନବଳାଇବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି।
ଗଂଜେଇ ଚାଷର ମୂଳତୋତ୍ପାଟନ କରିବା ସହ ଗ୍ରାମରେ ଏବଂ ପଞ୍ଚାୟତରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଲୋକଙ୍କୁ ସଚେତନ କରାଯିବ। ନଚେତ ଏଡିପିଏସ ଆଇନ ଅନୁଯାୟୀ କଠୋର ଦଣ୍ଡର ବ୍ୟବସ୍ଥା ରହିଥିବାରୁ ତାହା ମଧ୍ୟ କରାଯିବ ବୋଲି ଜଣାପଡିଛି। ଧୀରେ ଧୀରେ ସ୍ବାଭିମାନ ଅଂଚଳର ଲୋକେ ନିଜର ଭୁଲ ବୁଝିପାରି ବିଭିନ୍ନ ଚାଷ ପ୍ରତି ମନ ବଳାଉଛନ୍ତି। ତେବେ ପ୍ରଚୁର ଲାଭ ଥିବା ଗଂଜେଇ ଚାଷ ପ୍ରତି ଏବେ ବି ଲୋକଙ୍କର ମୋହ ଛାଡି ନାହିଁ, ଯାହାକୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ହୋଇଛି। ଗତବର୍ଷରୁ ହିଁ ଏହି ପ୍ରୟାସ ଆରମ୍ଭ ହୋଇସାରିଲାଣି।
ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଂଜେଇ ଗଛ ନଷ୍ଟ କରାଯିବା ପାଇଁ ସବୁ ପ୍ରସ୍ତୁତି ସରିଥିବାରୁ ଏଥର ମଧ୍ୟ ଟାର୍ଗେଟ ନେଇ ଗଂଜେଇ ଗଛକୁ ନଷ୍ଟ କରାଯିବ। ଯଦି ଦେଖିବା ଗତ ୨୦୨୦-୨୧ ବର୍ଷରେ ଅବକାରୀ ବିଭାଗ ୨୫୩୭ ଏକରରେ ଲଗାଯାଇଥିବା ମୋଟ ୩୯ ଲକ୍ଷ ୧୧ ହଜାର ୪୦୦ ଗଂଜେଇ ଗଛକୁ ନଷ୍ଟ କରିଥିଲା, ଯାହାର ମୂଲ୍ୟ ଥିଲା ୩୯୧ କୋଟି ୧୪ ଲକ୍ଷ ଟଂକାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା।
ସେହିପରି ପୁଲିସ ୧୩୧୮ ଏକର ଜମିରେ ଲଗାଯାଇଥିବା ୧୯ ଲକ୍ଷ ୧୭ ହଜାର ୩୮୭ ଟି ଗଂଜେଇ ଗଛକୁ ନଷ୍ଟ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୧୯୧ କୋଟି ୧୭ ଲକ୍ଷ ୨୮୭ ହଜାର ଟଂକା ବୋଲି ଜଣାପଡିଛି। ୨୦୨୧-୨୨ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ଚାଢଉ କରାଯାଇ ୨୫୨୮ ଏକରର ଜମିରେ ଲଗାଯାଇଥିବା ୩୮ ଲକ୍ଷ ୬୦ ହଜାର ୭୦୦ ଟି ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୮୬ କୋଟି ୭ ଲକ୍ଷ ଟଂକା।
ସେହିପରି ପୁଲିସ ତରଫରୁ ଚଢଉ କରାଯାଇ ୪୪୨୪ ଏକର ଜମିରେ ଚାଷ କରାଯାଇଥିବା ୪୬ ଲକ୍ଷ ୬ ହଜାର ୩୦୦ ଗଛକୁ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୪୦ କୋଟି ୬୩ ଲକ୍ଷ ଟଂକା ହେବ ବୋଲି କୁହାଯାଇଛି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ପ୍ରତି ବର୍ଷ ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଂକାର ଗଂଜେଇ ଚାଲାଣ ଜିଲ୍ଲାରୁ ବାହାର ରାଜ୍ୟକୁ ହେଉଛି। ପ୍ରଶାଶନ ଗଂଜେଇ ଚାଷର ମୂଳୋତ୍ପାଟନ କରିପାରୁଛି କି ନାହିଁ ଦେଖିବାକୁ ବାକି ରହିଲା।