ଫୁଲବାଣୀ: ଗଞ୍ଜେଇ ଚାଷ ଓ ମାଓ କାର୍ଯ୍ୟକଳାପ ପରସ୍ପର ସହ ଜଡ଼ିତ ଥିବାରୁ ଏହା ଏବେ କନ୍ଧମାଳ ଜିଲ୍ଲା ପୁଲିସ ପାଇଁ ବଡ଼ ଆହ୍ବାନ ପାଲଟିଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲମାନଙ୍କରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଷ କରୁଥିଲେ ମଧ୍ୟ ଫିରିଙ୍ଗିଆ ବ୍ଲକ୍ ସେମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଫିରିଙ୍ଗିଆ ବ୍ଲକ୍‌ର ଗୋଛାପଡ଼ା ଜଙ୍ଗଲରେ ଯେମିତି ଆଖିବୁଜା ଗଞ୍ଜେଇ ଚାଷ ହେଉଛି ଅନୁରୂପ ଭାବେ ଏ ଅଞ୍ଚଳରେ ମାଓ ପ୍ରଭାବ ମଧ୍ୟ ବୃଦ୍ଧି ପାଉଛି। ମାଓବାଦୀମାନେ ପରୋକ୍ଷରେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ପୁଲିସ ଜାଣିବା ପରେ ଏହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଉଛି, ଗଞ୍ଜେଇ ମାଫିଆମାନେ ଏଠାକାର ନିରୀହ ଆଦିବାସୀଙ୍କୁ ବ୍ୟବହାର କରି ହଜାର ହଜାର ହେକ୍ଟର ପରିମାଣର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରୁଛନ୍ତି।

Advertisment

ଏହି ଗଞ୍ଜେଇ ଚାଷଠାରୁ ଆରମ୍ଭ କରି ଅମଳ ଏବଂ ବାହାରକୁ ଚାଲାଣ କରିବା ପର୍ଯ୍ୟନ୍ତ ସବୁକାମ ପାଇଁ ଏକ ବଡ଼ ର‍୍ୟାକେଟ୍‌ କାମ କରୁଛି। ବିଶେଷକରି ବନ ବିଭାଗ ଓ ପୁଲିସ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଏସବୁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଛି। ଫିରିଙ୍ଗିଆ ବନାଞ୍ଚଳ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲମାନଙ୍କରେ ଅତି ଶୃଙ୍ଖଳିତ ଭାବରେ ଗଞ୍ଜେଇ ଚାଷ ହେଉଥିବାବେଳେ ବନ ବିଭାଗ ସବୁ ଜାଣି ଚୁପ୍‌ ବସିଛି। ବନ ବିଭାଗ ଓ ପୁଲିସ ବିଭାଗର କିଛି ଅସାଧୁ ଅଧିକାରୀ ଗଞ୍ଜେଇ ମାଫିଆଙ୍କ ସହ ଅସାଧୁ ମେଣ୍ଟ କରି କନ୍ଧମାଳ ଜିଲ୍ଲାରେ ବିଷ ଗଛକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ବିଭିନ୍ନ ସମୟରେ ପୁଲିସ ରେଡ୍‌ କରି ଚୋରା ଗଞ୍ଜେଇ ଚାଲାଣକୁ ଧରୁଛି, ମାତ୍ର ତାହା ଧର୍ମକୁ ଆଖିଠାର ଭଳି। ଏହି ଗଞ୍ଜେଇ ଚାଷରେ କେଉଁ ବଡ଼ ମୁଣ୍ଡମାନେ ସମ୍ପୃକ୍ତ ଅଛନ୍ତି, ସେ ଖବର ବନ ବିଭାଗ ଓ ପୁଲିସ ନିକଟରେ ରହିଛି। ମାତ୍ର ଅର୍ଥ ଲୋଭରେ ହେଉ କି ଭୟରେ ସେମାନେ ଏସବୁ ଜାଣି ମଧ୍ୟ ଚୁପ୍‌ ରହୁଛନ୍ତି।

publive-image Ganja, Sambad.in

ଗଞ୍ଜେଇ ମାଫିଆମାନେ ଫିରିଙ୍ଗିଆ, କଟ୍ରିଙ୍ଗିଆ, ଓ ଗୋଛାପଡ଼ା, ବାଲନ୍ଦାପଡ଼ା ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଆକାଶଛୁଆଁ ଅଟ୍ଟାଳିକାସବୁ ନିର୍ମାଣ କରିଛନ୍ତି। ଏସବୁ ନଭଶ୍ଚୁମ୍ବି ଅଟ୍ଟାଳିକା ଦେଖିଲେ କନ୍ଧମାଳ ଯେ, ଗରିବ ଓ ପଛୁଆ ଜିଲ୍ଲା ତାହା କେହି ବିଶ୍ବାସ କରିପାରିବେ ନାହିଁ। ଗତ କିଛି ବର୍ଷ ତଳେ ଜଣେ ସଚ୍ଚୋଟ ପୁଲିସ ଅଧିକାରୀ ଚୋରା ଗଞ୍ଜେଇ ଚାଷ ଉପରେ ପ୍ରବଳ ମାତ୍ରାରେ ଚଢ଼ାଉ କରି ଗଞ୍ଜେଇ ଚାଷକୁ ନଷ୍ଟ କରି ଦେଇଥିଲେ। ମାତ୍ର, ମାଫିଆମାନେ ତାଙ୍କୁ ଫୁଲବାଣୀ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୋଡେଇ ଗୋଡ଼େଇ ମାଡ଼ ମାରି ତାଙ୍କୁ ଗୁରୁତର କରି ପକାଇଥିଲେ ଏବଂ ଆଗକୁ ଆଉ ଏଭଳି କଲେ ଜୀବନରେ ମାରି ଦେବାକୁ ଗଞ୍ଜେଇ ମାଫିଆମାନେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଧମକ ଦେଇଥ‌ିଲେ।

ଫୁଲବାଣୀ ଭଳି ଏକ ଜନଗହଳିପୂର୍ଣ୍ଣ ସହରରେ ଗଞ୍ଜେଇ ମାଫିଆମାନେ ଏଭଳି ଘଟଣା ଘଟାଇଲେ ମଧ୍ୟ ପୁଲିସ ସବୁ ଜାଣି ନିରବ ରହିଗଲା। ସମ୍ପୃକ୍ତ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରି ନଥିଲା କି ସମ୍ପୃକ୍ତ ସଚ୍ଚୋଟ ପୁଲିସ ଅଧିକାରୀଙ୍କୁ ନ୍ୟାୟ ଦେଇ ପାରି ନଥିଲା। କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କୁ ପୁଲିସ କେତେ ମାତ୍ରାରେ ଭୟ କରେ ଏହି ଘଟଣାରୁ ସ୍ପଷ୍ଟ ହୋଇଥିଲା। ଏଣୁ ଗଞ୍ଜେଇ ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିକଟରେ ପୁଲିସ ଡିଜି ଅଭୟ ଯେଉଁ ଅଭୟବାଣୀ ଶୁଣାଇଥିଲେ, ତାହା ପ୍ରକୃତରେ କେତେ ମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ତାହା ସମୟ କହିବ। ମାତ୍ର କନ୍ଧମାଳ ଜିଲ୍ଲା ଯେ, ଗଞ୍ଜେଇ ମାଫିଆଙ୍କ ସ୍ବର୍ଗ ପାଲଟିଛି ଏହାକୁ ସ୍ବୀକାର କରିବାକୁ ହେବ।