ମାଲକାନଗିରି: ଜିଲ୍ଲାରେ ପ୍ରତିଦିନ ଗଂଜେଇ ଚାଲାଣ ହେଉଥିବା ଖବର ପ୍ରାୟତଃ ସମସ୍ତଙ୍କ ପାଖରେ ରହିଛି। ମାଫିଆମାନେ ବିଭିନ୍ନ ଉପାୟରେ ଗଂଜେଇକୁ ଚୋରାଚାଲାଣ କରୁଛନ୍ତି। ବହୁ ମାତ୍ରାରେ ସଫଳ ହେଉଥିବା ବେଳେ କାଁ ଭାଁ ହିଁ ପୁଲିସ ହାତରେ ଲାଗୁଛି। ତେବେ ଆଜି ଏଭଳି ଏକ ଅଜବ ଘଟଣା ଘଟିଛି। କାର ଭର୍ତ୍ତି ଗଂଜେଇ ନେଇ ମାଫିଆମାନେ ଯାଉଥିବା ବେଳେ ହଠାତ କାରରେ ନିଆଁ ଲାଗିଯିବା ଫଳରେ କାର ସହ ଗଂଜେଇ ପୋଡି ପାଉଁଶ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ମାଫିଆମାନେ ଚିତ୍ରକୋଣ୍ଡା ଅଂଚଳରୁ ଗଂଜେଇ ବୋଝେଇ ହୋଇ ଏକ କାର ପଡୋଶୀ ଛତିଶଗଡ କିମ୍ବା ଆନ୍ଧ୍ର ପ୍ରଦେଶକୁ ଗଂଜେଇ ଚାଲାଣ କରୁଥିଲେ। ତେବେ ଗଂଜେଇକୁ ଇଂଜିନ ପାଖରେ ରଖିବା ସହ କାରର ସମସ୍ତ ଗୁପ୍ତ ସ୍ଥାନରେ ଗଂଜେଇକୁ ରଖାଯାଇଥିଲା। ତେବେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି୧୭ ଏବଂ ଏମଭି-୧୬ ଗ୍ରାମ ମଧ୍ୟରେ ଜାତୀୟ ରାଜପଥ ୩୨୬ କଡରେ କାରରେ ଅଚାନକ ନିଆଁ ଲାଗିଥିବା ମାଫିଆମାନେ ଜାଣିପାରିଥିଲେ।
ତେବେ ନିଆଁ ଏତେ କ୍ଷୀପ୍ର ଗତିରେ ଲାଗିଥିଲା ଯେ ମାଫିଆମାନେ ନିଆଁକୁ ଲିଭାଇବା କଷ୍ଟକର ହୋପଡିଥିଲା। ତୁରନ୍ତ କାରରୁ ଓହ୍ଲାଇ ମାଫିଆମାନେ ସେଠାରେ ଖସି ପଳାଇଥିଲେ। କାରଟି ହୁ ହୁ ହୋଇ ଜଳି ଚାଲିଥିଲା। ସ୍ଥାନୀୟ ଲୋକେ ବାହାରି ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମର କର୍ମଚାରିମାନେ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କାରଟି ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା। ପରେ ଆଇଆଇସି ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗଂଜେଇ ବୋଝେଇ କରି ମାଫିଆମାନେ ସହଜରେ ପାର ହୋଇଯିବେ ବୋଲି ଭାବିଥିବା ବେଳେ ସବୁ ଓଲଟା ହୋଇଯାଇଥିଲା। ସେଠାରେ ମାଫିଆ ଖସି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ପୁଲିସ ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Mkg-Ganjei-Car-brunt-3.jpg)