ବିଳାସପୂର୍ଣ୍ଣ ବସ୍‌ରେ ଓଡ଼ିଶାରୁ କୋଲକାତା ଗଂଜେଇ ଚାଲାଣ କରୁଥିଲେ ୩ ମହିଳା

ବାରିପଦା: ଯାତ୍ରୀବାହୀ ବସରେ ପୁଳା ପୁଳା ଗଞ୍ଜେଇ ଚାଲାଣ ହେଉଛି। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ଯାତ୍ରୀବାହୀ ବସରୁ ପୁଲିସ ଗଂଜେଇ ଜବତ କରିଛି। ପୁଲିସ ଗଂଜେଇ ଚାଲାଣ କାରବାର ସହିତ ସଂପୃକ୍ତ ୩ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ଝାରପୋଖରିଆ ପୁଲିସ ଦେବଗଡ଼ରୁ କୋଲକାତା ଯାଉଥିବା ଯାତ୍ରୀବାହୀ ବସ୍‌ ‘ଆଗରୱାଲସ୍‌’ ଉପରେ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବସ୍‌ରେ ୩୨କିଲୋ ଗଞ୍ଜେଇ ମିଳିଥିଲା। ପୁଲିସ ୩ ଜଣ ମହିଳାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ଚାଲାଣକାରୀମାନେ ୫ଗୋଟି ବ୍ୟାଗରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିଲେ।

ଗିରଫ ୩ଜଣ ଅଭିଯୁକ୍ତ ହେଲେ ହୁଗୁଳି ଜିଲ୍ଲା ବଲାଗଡ଼ ଥାନା ଅନ୍ତର୍ଗତ ଖମାରକାଶି ଗ୍ରାମର ମୃଣାଳ ବିଶ୍ୱାସଙ୍କ ପତ୍ନୀ ଶର୍ମିଳା ବିଶ୍ୱାସ(୪୫), ଭଜନ ଗେନଙ୍କ ପତ୍ନୀ ଗଙ୍ଗା ଗେନ(୩୨) ଓ ହାୱଡା ଜିଲ୍ଲାର ଉଲବେରିଆ ଥାନା ଅନ୍ତର୍ଗତ ଅଜୟ ଦାସଙ୍କ ପତ୍ନୀ ବାସନ୍ତୀ ଦାସ ବୋଲି ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଏସଡିପିଓ କେକେ ହରିପ୍ରସାଦ ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ୫ଗୋଟି ମୋବାଇଲ ମଧ୍ୟ ଜବଡ଼ କରିଛି ପୁଲିସ। ତେବେ ଅଟକ ଥିବା ତିନି ଜଣ ମହିଳାଙ୍କୁ ଝାରପୋଖରିଆ ପୁଲିସ କୋର୍ଟ ଚାଲାଣ କରିଛି। ଏମାନଙ୍କ ସହ ଆଉ କେଉଁମାନେ ଜଡ଼ିତ ଅଛନ୍ତି ଓ କେବେଠୁଁ ଏଭଳି ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣ କରୁଛନ୍ତି ତା ଉପରେ ଏବେ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର