୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗୋଟିଏ ଟ୍ରକରେ ପଞ୍ଜାବ ଓ ନାଗାଲ୍ୟାଣ୍ଡର ଦୁଇଟି ନମ୍ବର

ଦ୍ବିତୀୟ ତେଲ ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରୁ ପଞ୍ଜାବକୁ ଚାଲାଣ ହେଉଥିବା ଏକ ଟ୍ରକ (ଏନଏଲ-୦୫-ଡି-୮୦୨୩, ପିବି-୧୩କ୍ୟୁ-୩୨୦୮)ସହ ଡ୍ରାଇଭରକୁ ଗିରଫ କରିଛି ସଦର ପୁଲିସ। ଟ୍ରକର ଦ୍ବିତୀୟ ତେଲ ଟାଙ୍କିରେ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ  ହାତରେ ଜଣେ ଅଭିଯୁକ୍ତ ଗିରଫ ହେଇଛି । ଅଭିଯୁକ୍ତ ଜଣକ ହେଲେ ପଞ୍ଜାବର ବରନାଲା ଜିଲ୍ଲା ଦର୍ଶନ ସିଂହଙ୍କ ପୁଅ ଅମନଦୀପ ସିଂ (୩୯)। ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ ୨୪୦/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଗତକାଲି ଜୟପୁର ସଦର ପୁଲିସକୁ ଏକ ସୁଚନା ମିଳିଥିଲା । ସଦର ଓଆଇସିଙ୍କ ସମେତ ଏସଆଇ ପି.କେ ମହାନ୍ତି ଓ ପୁଲିସ ଟିମ ବୌପାରିଗୁଡା–ଜୟପୁର ରାସ୍ତାର କୋଟା ଜଙ୍କସନ ନିକଟବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରିଥିଲେ । ପାତ୍ରପୁଟ ବ୍ରିଜି ନିକଟରେ ଟ୍ରକ ନଂ ଏନଏଲ-୦୫-ଡି-୮୦୨୩ ଗାଡିକୁ ଯାଞ୍ଚକଲା ବେଳେ ଗଞ୍ଜେଇ ଥିବାର ଜଣାପଡିଥିଲା । ଏହା ପରେ ଗାଡିକୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ପୋଲିସ ଡ୍ରାଇଭର ଠାରୁ ୧୦ ହଜାର ଶହେ ଟଙ୍କା ଜବତ କରିଥିବା ସୁଚନା ମିଳିଛି । ଟ୍ରକରୁ ପ୍ରାୟ ୧୧୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଚାଲାଣ ହେଇଥିବାର ଜଣାପଡିଛି । ତେବେ ଉକ୍ତ ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ସଦର ଓଆଇସି ଆଦିତ୍ୟ ମହାଙ୍କୁର ସୁଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଟ୍ରକ ଗୋଟିଏ କିନ୍ତୁ ନମ୍ବର ଦୁଇଟି। ଗୋଟିଏ ନମ୍ବର ନାଗାଲ୍ୟାଣ୍ଡ(ଏନଏଲ-୦୫-ଡି-୮୦୨୩)ରେ ପଞ୍ଜୀକୃତ ହୋଇଥିବାବେଳେ ଅନ୍ୟ ନମ୍ବରଟି (ପିବି-୧୩କ୍ୟୁ-୩୨୦୮)ରେ ପଞ୍ଜୀକୃତ ହୋଇଛି। ଏହି ଦୁଇଟି ନମ୍ବରକୁ ବ୍ୟବହାର କରି ସେ କୋରପୁଟରୁ ଗଞ୍ଜେଇ ଧରି ପଞ୍ଜାବକୁ ନେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର