କୋରାପୁଟ: ଗତ ୮ଦିନ ତଳେ କୋରାପୁଟଜିଲ୍ଲାର ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନା ପୁଲିସ ଅଧିକାରୀ ଓକର୍ମଚାର ମାନେ ମିଳିଭଗତ କରି ୪ରୁ ୫କୁଇଣ୍ଟାଲ ଗଞ୍ଜେଇ ଗାଡ଼ିକୁ ଧରି ଚାଳାଣକାରୀଙ୍କୁ ଛାଡ଼ି ଦେଇଥିଲେ। ଏଥିରେ ୫ରୁ ୧୦ଲକ୍ଷ ଟଙ୍କାର କାରବାର ହୋଇଥିବା ଚର୍ଚ୍ଚା ହୋଇଥିଲା। ଡିଆଇଜି ଓ ଏସ୍‌ପିଙ୍କ ଖବର ପହଞ୍ଚିବା ପରେ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରୀଙ୍କ ସମେତ ୭ ପୁଲିସ କର୍ମଚାରୀ। ଦୁଇ ହୋମଗାର୍ଡଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ତେବେ ଏହି ଘଟଣା ପରେ ଏସପି ଅଭିନବ ସୋନକର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଥିଲେ। ତେବେ ଏ ଯାଏଁ ମଧ୍ୟ ଏହି ନିଲମ୍ବିତ ପୁଲିସ ବାବୁଙ୍କୁ ପୁଲିସ ଗିରଫ କରିନି। ଅପରପକ୍ଷରେ ତଳ ତଳିଆ ୨ ହୋମଗାର୍ଡ଼ଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ବଡ ଭୁଲ କରିଲେ ମାଫ୍ ଛୋଟ ଭୂଲ କଲେ କ୍ଷମା କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।  ଗଞ୍ଜେଇ ଚାଳାଣ ପାଇଁ ବ୍ୟବହାର ହୋଇଥିବା ଟ୍ରକ ଏବେ କେଉଁଟି ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଅପରପକ୍ଷରେ ମାମଲାର ତଦନ୍ତ ଏବେ ବି ଜାରୀ ରହିଥିବା କହିଛନ୍ତି ଏସପି । ତଦନ୍ତରେ ଯିଏ ଦୋଷୀ ବୋଲି ପ୍ରମାଣିତ ହେବ  ନିଶ୍ଚିତ ରୁପେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାରିକୁ କ୍ଷମା କରାଯିବ ନାହିଁ ବୋଲି କହିଛନ୍ତି ଏସପି ।

Advertisment

ପ୍ରକାଶଯୋଗ୍ୟ, ଗତ  ୮ ଦିନ ତଳେ ଆନ୍ଧ୍ରରୁ ଗୋଟିଏ ଟ୍ରକରେ ୪ରୁ ୫ କୁଇଣ୍ଟାଲ ଗଞ୍ଜେଇ ନେଇ ଓଡ଼ିଶାରେ ପଶିଥିଲା। ଗଞ୍ଜେଇ ମାଫିଆଙ୍କୁ ୧୦ ଲକ୍ଷ ଟଙ୍କା ବଦଳରେ ଛାଡ଼ି ଦେବାକୁ ଡିଲ୍ କରିଥିଲା ମାଛକୁଣ୍ଡ ଥାନା ପୁଲିସ। ଡରରେ ଗଞ୍ଜେଇ ମାଫିଆ ୫ ଲକ୍ଷ ଗଣି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମାଫିଆଙ୍କୁ ଚାଳାଣକାରୀ ଭାବେ ଦର୍ଶାଇ ଗିରଫ ଭୟ ଦେଖାଇ ଘଟଣାସ୍ଥଳରୁ ତଡ଼ିବା ପରେ ଟ୍ରକ୍‌ରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଲୁଟି ନେଇଥିଲେ ପୁଲିସ କର୍ମଚାରୀ। ଥାନା ସୁରକ୍ଷା ଦାୟିତ୍ଵରେ ଥିବା ଓଏପିଏଫ୍ ଯବାନଙ୍କ ମଧ୍ୟରୁ କେହି ଜଣେ ଏ ସଂପର୍କରେ ଡିଆଇଜି ଓ ଏସ୍‌ପିଙ୍କୁ ସୂଚନା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା। ଗଞ୍ଜେଇ ଟ୍ରକ୍ ଲୁଟ୍‌ରେ ପୁଲିସ କର୍ମଚାରୀଙ୍କ ସଂପୃକ୍ତି ବରିଷ୍ଠ ଅଧିକାରୀଙ୍କୁ ବି ତାଟକା କରିଥିଲା। ପ୍ରଥମେ ଜିଲ୍ଲାପୁଲିସ ପକ୍ଷରୁ ଆଭ୍ୟନ୍ତରୀଣ ଅନୁସନ୍ଧାନ ଓ  ସୋମବାର ବିଳମ୍ବିତ ରାତିରେ ଏସପିଙ୍କ ନିର୍ଦ୍ଦେଶରେ କୋରାପୁଟରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଗୋଟିଏ ଟିମ୍ ମାଛକୁଣ୍ଡ ଥାନାରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲେ।

ଥାନାର ସମସ୍ତ କର୍ମଚାରୀଙ୍କୁ ଗୁଡ଼େଇ ତୁଡେଇ ଜେରା କରାଯାଇଥିଲା। ଗଞ୍ଜେଇ ମାଫିଆଙ୍କ ସହ ମାଛକୁଣ୍ଡ ପୁଲିସର ସିଧାସଳଖ ଲିଙ୍କ୍ ରହିଥିବା ପ୍ରମାଣ ମିଳିଥିଲେ ସୁଦ୍ଧା ଲୁଟ୍ ଗଞ୍ଜେଇ ଟ୍ରକ୍‌କୁ କେଉଁଠି ଲୁଚାଇ ରଖିଛନ୍ତି, ସେ ସଂକ୍ରାନ୍ତରେ କେହି ମୁହଁ ଖୋଲି ନଥିଲେ। ଏବେ ବି ଏହି ଟ୍ରକର ଖୋଜା ଚାଳିଛି। ଏହି ଘଟଣାରେ ମାଛକୁଣ୍ଡ ଥାନା ଅଧିକାରୀ କରୁଣାକର ଶବର, ଏସ୍ ଆଇ ସୁରେନ୍ଦ୍ର କୁମାର ସେଠୀ, ଲମତାପୁଟ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହାଜଦା, ଓଏପିଏଫ୍ ଯବାନ ବିଷ୍ଣୁ ଜାନି ଓ ବିଜୟ ପାଙ୍ଗିଙ୍କୁ ନିଲମ୍ବିତ କରିଥିଲେ। ସେହିପରି କିଛି ମାସ ତଳେ ତାଲିମ ନିମନ୍ତେ ମାଛକୁଣ୍ଡ ଥାନାରେ ଯୋଗ ଦେଇଥିବା ଦୁଇ ଏସ୍‌ଆଇଙ୍କୁ ମଧ୍ୟ ନିଲମ୍ବିତ କରିବା ସହ ଉଭୟଙ୍କୁ ପୁଲିସ ମୁଖ୍ୟାଳୟରେ ଅଟକ ରଖାଯାଇଛି। ୨ଜଣ ହୋମଗାର୍ଡ  ଚାକିରୀରୁ  ବ‌ହିଷ୍କୃତ କରିଛନ୍ତି।

ତେବେ ଘଟଣାର କିଛି ସତ୍ୟାସତ୍ୟ ବା ସୁରାକ୍ ପାଇବା ପରେ ଜିଲ୍ଲାପୁଲିସ ପକ୍ଷରୁ ପଦ‌କ୍ଷେପ ନିଆଯାଇଛି। ଯଦି ଅନ୍ୟ ଗଞ୍ଜେଇ ଚାଳାଣ ମାମଲା ଗୁଡିକରେ ଚାଳାଣକାରୀ, କ୍ରେତା, ବିକ୍ରେତା ଆଦିଙ୍କୁ ତୁରନ୍ତ ପୁଲିସ ଗିରଫ କରୁଥିବା ବେଳେ ଏହି ମାମଲା‌ରେ ପୁଲିସ କାହିଁକି ବିଭାଗୀୟ କର୍ମଚାରୀଙ୍କୁ ଗିରଫ କରିବା କ୍ଷେତ୍ରରେ ପଛଘୁଂଛା ଦେଉଛି  ତାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ। ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନ୍ୟାୟ, ପୁଲିସ ପାଇଁ ଅଲଗା କି ବୋଲି ଆଇନଜୀବୀମାନେ ପ୍ରଶ୍ନ କରିଛନ୍ତି। ଯଦି ଦୁଇ‌ ହୋମଗାର୍ଡ଼ଙ୍କୁ ଦୋଷୀ ଦର୍ଶାଇ ଚାକିରୀରୁ ବହିଷ୍କୃତ କରାଗଲା ,ତେବେ ଅନ୍ୟ ମାନଙ୍କୁ କାହିଁକି କିଛି ପଦକ୍ଷେପ ନିଆଯାଉନି ବୋଲି ବି ଆଇନଜୀବୀ ମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ  ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରୀ ରହିଛି। ପ୍ରମାଣ ମିଳିଲେ କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ଏସପି।