ରାୟଗଡ଼ାରୁ ଉତ୍ତରପ୍ରଦେଶ ଯାଉଥିଲା କାଚ ଗୁଣ୍ଡ ବୋଝେଇ ଟ୍ରକ୍‌; ଅଢ଼େଇ କ୍ବିଣ୍ଟାଲ୍ ଗଂଜେଇ ଜବତ, ୩ ଗିରଫ  

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲାଣ ପାଇଁ ନୂଆ ତରିକା ଆପଣାଇଛନ୍ତି ମାଫିଆ। ପୁଲିସ୍ ଓ ଅବକାରୀ ବିଭାଗ ମାଲ ବୋଝେଇ ଟ୍ରକକୁ ଟାର୍ଗେଟ୍ କରିବା ପରେ ମାଫିଆ କାଚ ଗୁଣ୍ଡ ବୋଝେଇ ଟ୍ରକରେ ଗଞ୍ଜେଇ ଉତ୍ତରପ୍ରଦେଶକୁ ଚାଲାଣ କରୁଥିଲେ। ଯାହାକୁ ଚଢ଼ଉ କରି ଧରିଛି ଅବକାରୀ ବିଭାଗ। ରାମନାଗୁଡ଼ା ବ୍ଲକର ମୀନାଝୋଲା ନିକଟରୁ ଟ୍ରକ୍, ଅଢ଼େଇ କ୍ବିଣ୍ଟାଲ୍ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ୩ ଜଣ ହେଲେ ଟ୍ରକ୍ ମାଲିକ ଜଗଦୀଶ ନାରାୟଣ ଯାଦବ, ଡ୍ରାଇଭର ଅଜୟ ଯାଦବ, ହେଲପର୍ ସୁନୀଲ ତମାର। ସମସ୍ତଙ୍କ ଘର ଉତ୍ତରପ୍ରଦେଶର ଇଟାବା ଅଞ୍ଚଳରେ।

ଗୁମୁଡ଼ାରୁ ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଜିଲ୍ଲା ଅବକାରୀ ଅଧୀକ୍ଷକ ନେନା ବେଉରାଙ୍କ ନିର୍ଦେଶରେ ସଦର ଅବକାରୀ ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ରଥଙ୍କ ନେତୃତ୍ବରେ ଅବକାରୀ ଟିମ୍ ଗଞ୍ଜେଇ ଟ୍ରକକୁ କାବୁ କରିବାକୁ ରାମନାଗୁଡ଼ା ଅଭିମୁଖେ ଯାଇଥିଲା। ମୀନାଝୋଲା ନିକଟରେ ଅବକାରୀ ଟିମ୍ ଟ୍ରକ (ନଂ-ୟୁପି୭୫ଏମ୍-୨୨୭୨)କୁ ଦେଖିବା ପରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରକ୍ ଡାଲାରେ କାଚ ଗୁଣ୍ଡ ଥିବା ଦେଖି ଅବକାରୀ ଟିମର ସନ୍ଦେହ ବଢ଼ିଥିଲା। କାଚଗୁଣ୍ଡକୁ ବାହାର କରାଯିବା ପରେ ତଳେ  ୮ଟି ବସ୍ତାରେ ଗଞ୍ଜେଇ ପ୍ୟାକିଂ ହୋଇଥିବା ଜଣା ପଡିଥିଲା। ଟ୍ରକକୁ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ୮ଟି ବସ୍ତାରୁ ୨ କ୍ବିଣ୍ଟାଲ୍ ୪୦ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ବାହାରିଥିଲା। ଗଞ୍ଜେଇକୁ ଜବତ କରିବା ସହ ଗାଡି ମାଲିକ, ଡ୍ରାଇଭର ଓ ହେଲପରକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ନିର୍ଦେଶ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ପୁଲିସ୍ ଓ ଅବକାରୀ ବିଭାଗ। କୋରାପୁଟ, ମାଲକାନଗିରି ପରେ ରାୟଗଡ଼ାରୁ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବାରୁ ମାଫିଆଙ୍କୁ ଧରିବା ସହ ଗଞ୍ଜେଇ ଚାଷକୁ ନଷ୍ଟ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦେଶ ରହିଛି। ନିକଟରେ ପୁଲିସ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗଞ୍ଜେଇ ମାଫିଆଙ୍କ କିଙ୍ଗପିନ୍ ଆନନ୍ଦ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ସମ୍ପତ୍ତି ବ୍ୟାଜାପ୍ତି କରିବା ଦିଗରେ ପଦକ୍ଷେପ ନେଇଥିଲା ପୁଲିସ୍। ଆନନ୍ଦଙ୍କ ୩ଟି ଆକାଉଣ୍ଟରେ ଥିବା ୪୧ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ପୁଲିସ୍ ସ୍କାନରରେ ଆଉ କିଛି ଗଞ୍ଜେଇ ମାଫିଆଙ୍କ ନାଁ ରହିଛି। ରାୟଗଡ଼ା ଜିଲ୍ଲାର କିଛି ପ୍ରମୁଖ ଅଞ୍ଚଳରୁ ପ୍ରତିଦିନ ଗଞ୍ଜେଇ ଚାଲାଣ ହେଉଥିବାରୁ ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସ୍ ଓ ଅବକାରୀ ବିଭାଗ ଧରପଗଡ଼ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର