ମାଲକାନଗିରିରୁ ବିହାର ଚୋରାଚାଲାଣ; ପୁଣି ରେଳ ଷ୍ଟେସନରୁ ଧରାପଡ଼ିଲା ୫୫କିଲୋ ଗଞ୍ଜେଇ

ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ

ରାଉରକେଲା: ରାଉରକେଲା ଦେଇ ନିୟମିତ ବ୍ୟବଧାନରେ ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା। ଏନେଇ ଆର୍‌ପିଏଫ୍‌ ପକ୍ଷରୁ ଯାଞ୍ଚ୍‌କୁ ବ୍ୟାପକ କରାଯିବା ସହ ବହୁ ଚାଲାଣକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏଣୁ ଭୟଭୀତ ଗଞ୍ଜେଇ ବେପାରି ଏବେ ପଥ ପରିବର୍ତ୍ତନ କରିଛନ୍ତି। ବେପାରି ପୂର୍ବଭଳି ଆଉ ରାଉରକେଲା ଦେଇ ଚାଲାଣ ନ କରି ସହର ଆଖପାଖରେ ଥିବା ରେଳ ଷ୍ଟେସନ ଦେଇ ଚୋରାଚାଲାଣ କରୁଛନ୍ତି। ନୂଆଗାଁ ରେଳ ଷ୍ଟେସନ ଦେଇ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବେପାରିକୁ ଅବକାରୀ ପୁଲିସ ଆଜି ଗିରଫକରି କୋର୍ଟଚାଲାଣ କରିଛି।
ଅଭିଯୁକ୍ତ ସନ୍ତୋଷ କୁମାର ପ୍ରସାଦ(୪୦) ହେଉଛି ବିହାର ରୋହତାସ ଜିଲ୍ଲା ନସାରିଗଞ୍ଜ ଥାନା ଅନ୍ତର୍ଗତ ବିସେନିଖୁର୍ଦ୍ଦ୍‌ ଗାଁର ମୂଳବାସିନ୍ଦା। ଅଭିଯୁକ୍ତ ଦୀର୍ଘ ଦିନ ହେଲା ରାଉରକେଲା ଦେଇ ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିଲା। ଗତ କିଛି ଦିନ ହେଲା ରାଉରକେଲା ରେଳ ଷ୍ଟେସନରେ ଜୋର୍‌ଦାର୍‌ ଛାନ୍‌ଭିନ କରାଯାଉଥିବାରୁ ଧରାପଡ଼ିଯିବା ଭୟରେ ଅଭିଯୁକ୍ତ ନୂଆଗାଁ ରେଳ ଷ୍ଟେସନକୁ ଯାଇଥିଲା। ବ୍ୟାଗ୍‌ରେ ଭର୍ତ୍ତି କରି ରଖିଥିଲା ୫୫.୬୮୦ କେଜି ଗଞ୍ଜେଇ। ସେଠାରୁ ଚାଲାଣ କରିବା ଉଦ୍ଦେଶ୍ୟରେ ଟ୍ରେନ୍‌କୁ ଜଗିରହିଥିବାବେଳେ ଅବକାରୀ ପୁଲିସ ଅତର୍କିତ ଚଢ଼ଉକରି କାବୁ କରିନେଇଥିଲା। ଅଭିଯୁକ୍ତ ମାଲକାନାଗିରି ଅଞ୍ଚଳରୁ ଟ୍ରେନ୍‌ରେ ଗଞ୍ଜେଇ ଆଣି ବିହାରକୁ ଚାଲାଣ କରିବାକୁ ଯୋଜନା କରିଥିବା ପୁଲିସ ସୂଚନାରୁ ପ୍ରକାଶ।
ସମ୍ବନ୍ଧିତ ଖବର