ମଦ ଧରିବାକୁ ଯାଉଥିଲେ; ଧରାପଡ଼ିଗଲା ୪୫୭୨ କିଲୋ ଗଞ୍ଜେଇ, ବିଶାଖାପାଟଣାରୁ ଦିଲ୍ଲୀ ଚାଲାଣ କରୁଥିଲେ ୨ ଅଭିଯୁକ୍ତ

ଦୀର୍ଘ ଦିନ ପରେ ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା

ରାୟଗଡ଼ା: ଗୁଇନ୍ଦା ସୂଚନାକୁ ନେଇ ୨/୩ ଦିନ ଧରି ଚାଲିଥିଲା ପାଟ୍ରୋଲିଂ। ମିଳୁନଥିଲା ସଫଳତା। ଆଜି ସକାଳେ ମଦ ଚଢ଼ାଉ ପାଇଁ ଯାଉଥିଲେ। ସୌଭାଗ୍ୟବଶତଃ ଅବକାରୀ ବିଭାଗ ହାବୁଡ଼ରେ ପଡିଥିଲା ଗଞ୍ଜେଇ ଭର୍ତ୍ତି ଟ୍ରକ୍। ଅଟକ ଟ୍ରକ୍ ଯାଞ୍ଚ ସମୟରେ ୫୦ କି ୧୦୦ ନୁହେଁ ମିଳିଥିଲା ୪୫୭୨ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ। ଯାହାର ଆନୁମାନିକ ବଜାର ମୂଲ୍ୟ ଅଢ଼େଇ କୋଟି ଟଙ୍କା। ଚୋରା ଗଞ୍ଜେଇ ଚାଲାଣ ମାମଲାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଚୋରା ଚାଲାଣରେ ବ୍ୟବହୃତ ଟ୍ରକକୁ ସିଜ୍ କରିଛି।

ବିଶାଖାପାଟଣାରୁ ରାୟଗଡ଼ା ଦେଇ ଦିଲ୍ଲୀକୁ ବିପୁଳ ପରିମାଣର ଗ‌ଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇଥିଲେ ଅବକାରୀ କମିସନର୍ ତଥା ଆଇଜି ଆଶିଷ ସିଂହ। ସୂଚନା ପରେ ସନ୍ଧିଗ୍ଧ ଟ୍ରକ୍ ଉପରେ ନଜର ରଖିବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କୁ ନିର୍ଦେଶ ଦେଇଥିଲେ କମିସନର। କମିସନରଙ୍କ ନିର୍ଦେଶରେ ରାୟଗଡ଼ା, ଗୁଣପୁର, କଲ୍ୟାଣସିଂହପୁର ଅବକାରୀ ଅଧିକାରୀଙ୍କୁ ନେଇ ଗଠିତ ହୋଇଥିଲା ଟିମ୍। ତିନୋଟି ଟିମ୍ ଗତ ୩ ଦିନ ଧରି ଛାନଭିନ୍ ଜାରି ରଖିଥିଲେ। ଦିନ, ରାତି ପାଟ୍ରୋଲିଂ ଜାରି ରଖିଥିଲେ। ହେଲେ ଟ୍ରକର  କୌଣସି ପତ୍ତା ନ ପାଇବା ପରେ ଚିନ୍ତାରେ ପଡିଥିଲେ ଅବକାରୀ କର୍ତ୍ତୃପକ୍ଷ।

ଆଜି ସକାଳେ ଅବକାରୀ ଟିମ୍ ରାୟଗଡ଼ା ବାଇପାସରେ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ନଂ-(ସିଜି୧୩ୱାଇ-୫୨୬୩)କୁ ଠାବ କରିଥିଲେ। ଅବକାରୀ ଟିମକୁ ଦେଖି ଟ୍ରକ୍ ଫେରାର୍ ହୋଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ କୋରାପୁଟ ଛକରେ କାବୁ ହୋଇଥିଲା। ଟ୍ରକରେ ଥିବା ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳର ଦିନେଶ କୁମାର, ଚନ୍ଦନ କୁମାରକୁ ଅବକାରୀ ଅଧିକାରୀ ପଚରାଉଚରା କରିବା ପରେ ଗାଈ ଖାଇବା ପାଇଁ କୁଣ୍ଡା ଚାଲାଣ ହେଉଥିବା ଉଭୟେ କହୁଥିଲେ। ସନ୍ଦେ‌ହରେ ଟ୍ରକକୁ ଅଟକ ରଖି ଅବକାରୀ କାର୍ଯ୍ୟାଳୟକୁ ନିଆଯାଇ ଯାଞ୍ଚ କରାଯାଇଥିଲା। ଜିଲ୍ଲା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ଉପସ୍ଥିତିରେ ଯାଞ୍ଚ ଆରମ୍ଭ ହେବା ପରେ କୁଣ୍ଡା ଥିବା ୧୫୦ଟି ବସ୍ତାରୁ ୧୩୬ଟି ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା। ଓଜନ ପରେ ଏହି ସମସ୍ତ ପ୍ୟାକେଟରେ ୪ ହଜାର ୫୭୨ କେଜି ଗଞ୍ଜେଇ ଥିବା ଜଣା ପଡିଥିଲା। ଟ୍ରକ୍ ଜବତ ସହ ଦୁଇ ଗଞ୍ଜେଇ ଚାଲାଣକାରୀକୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି। ଚଢ଼ାଉରେ ଅବକାରୀ ମୋବାଇଲ୍ ଟିମ୍ ଇନସପେକ୍ଟର୍ ପ୍ରୀତିଧାରା ନାୟକ, ଗୁଣପୁର ଇନସପେକ୍ଟର୍ ହିତାଂଶୁ ଶେଖର ମଲ୍ଲିକ୍, ରାୟଗଡ଼ା ଓଆଇସି ସୂର୍ଯ୍ୟ ନାରାୟଣ ରଥ, ଏସଆଇ ଆର୍ଶୀବାଦ ବେହେରା, କଲ୍ୟାଣସିଂହପୁର ଓଆଇସି ଭୈରବ ପ୍ରସାଦ ଗନ୍ତାୟତ ପ୍ରମୁଖ ସାମିଲ୍ ହୋଇଥିଲେ।

୮୦ କିଲୋ ଗଂଜେଇ ସହ କାର୍ ଜବତ, ଡ୍ରାଇଭର ଫେରାର 

ବୈପାରିଗୁଡା:କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ଆଜି ୮୦ କିଲୋ ଗଂଜେଇ ଜବତ କରିଛି। ସୂଚନା ଅନୁଯାୟୀ ବୈପାରିଗୁଡା ପୋଲିସ ଆଜି ପେଟ୍ରୋଲିଂ କରୁଥିବା ବେଳେ ବୈପାରିଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡା ପଞ୍ଚାୟତର ଦୋରାଗୁଡା ନିକଟରେ ଏକ ଧଳା ରଙ୍ଗର କାର୍ ଦ୍ରୁତ ଗତିରେ ଜୟପୁର ଆଡ଼କୁ ଯାଉଥିଲା। ସନ୍ଦେହ କରି ସେହି କାରଟିକୁ ଅଟକେଇବା ବେଳେ ଡ୍ରାଇଭର ପୋଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ପୁଲିସ ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ଏବଂ ଷ୍ଟାଫ୍ କାର୍ (ଏପି ୯ ବିଚ୍ ୦୦୬୬) କୁ ଯାଞ୍ଚ କରିବାରୁ ସେହି କାରରେ ଗଂଜେଇ ଥିବା ଜାଣିପାରି କାରଟିକୁ ଜବତ କରିଥିଲେ। ଶ୍ରୀ ପଟ୍ଟନାୟକ ଏହି ଗଂଜେଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ କରାଯାଉଥିବା ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର