୫୨ ଲକ୍ଷର ଚୋରା ଗଂଜେଇ ଜବତ; ଖସିଗଲେ ମାଫିଆ, ଫସିଗଲେ ସ୍ଥାନୀୟ ଯୁବକ

କୋରାପୁଟ: ଅବକାରୀ ବିଭାଗର ଆଖିରେ ଧୂଳି ଦେଇ ଖସିଯାଇଛନ୍ତି ବଡ ବଡ ଗଞ୍ଜ‌େଇ ମାଫିଆ। ଆଉ ଫସିଯାଇଛନ୍ତି କୋରାପୁଟ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବଂଡାଗୁଡା ଗାଁର ସଞ୍ଜୟ ଖୋସଲା (୩୫)। ଓଲୁଅ ବୋଝେଇ ଟ୍ରକ୍‌ରୁ କୋରାପୁଟ ଅବକାରୀ ବିଭାଗ ୧୦୨୯ କେଜି ଗଞ୍ଜ‌େଇ ଜବତ କରିଥିବା ଜଣାପଡିଛି। ଏହାସହ ଏକ ୧୨ ଚକିଆ ଟ୍ରକ (ଏମଏଚ ୪୦ ସିଡି ୧୫୫୬)କୁ ଜବତ କରିବା ସହ ହଜାର କୁଇଣ୍ଟାଲ ଓଲୁଅକୁ ଜବତ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ତେବେ ଅବକାରୀ ବିଭାଗ କହିବା ମୁତାବକ ଟ୍ରକ୍‌ ଭର୍ତ୍ତି ଓଲୁଅ ବିଜୟନଗରରୁ ଏହି ଟ୍ରକରୁ ଜବତ ହେଲା। ଏହା ନାଗପୁର ଯିବାକୁ ରହିଥିଲାବେଳେ କୋରାପୁଟ ଜିଲ୍ଲାର ଡ୍ରାଇଭର ସଞ୍ଜୟ ଖୋସଲା ଡ୍ରାଇଭର ଭାବେ ଏହାକୁ ନେଉଥିବାବେଳେ ଧରା ପଡିଛନ୍ତି। ଘଟଣାସ୍ଥଳରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ କାହିଁକି ରହିଥିଲା ତାହା ସନ୍ଦେହ ଘେରରେ ରହିଛି।

ମିଳିଥିବା ସୂଚନା ମୁତାବକ ଗତକାଲି ମେଣ୍ଢାଗୁଡା ଗ୍ରାମ ଛକ ଦେଇ ଏକ ଓଲୁଅ ଭର୍ତ୍ତି ୧୨ଚକିଆରେ ଟ୍ରକରେ ଗଞ୍ଜ‌େଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲା ଅବକାରୀ ବିଭାଗ। ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଅଧିକ୍ଷକ ମନୋଜ କୁମାରୀ ସେଠୀ ଓ ତାଙ୍କ ଟିମ୍‌ ଇନିସପେକ୍ଟର ପ୍ରମୋଦ କୁମାର ବାଣୁଆ, ଏଏସଆଇ ଅରୋପଲକ ଦାସ, କନେଷ୍ଟବଳ ପ୍ରଶାସନ ନାୟକ, ତ୍ରିଲୋଚନ ରାଇଚେଟ୍ଟି ଓ ଆଲୋକ ଦାସ ଏହି ଟ୍ରକ୍‌କୁ ଧରିଥିଲେ। ଏକ୍‌ଜୁକୁଟିଭ୍‌ ମାଜିଷ୍ଟ୍ର‌େଟ ତପନ କୁମାର ନାୟକଙ୍କ ଉପସ୍ଥିତିରେ ଜରି ବ୍ୟାଗ୍‌ ଭର୍ତ୍ତି ଗଞ୍ଜ‌େଇ ଜବତ ହୋଇଥିଲା।

ଅବକାରୀ ବିଭାଗ କହିବା ମୁତାବକ ଡାଇଭର ସିଟରେ ସଞ୍ଜୟ ବସିଥିବାବେଳେ ତାକୁ ଧରାଯାଇଛି। କିନ୍ତୁ ସଞ୍ଜୟଙ୍କ ନିକଟରେ ଲାଇସେନ୍ସ କି ଆଧାରକାର୍ଡ କି ମୋବାଇଲ କିଛି ବି ଜବତ ହୋଇନାହିଁ। ଡ୍ରାଇଭରକୁ ଅବକାରୀ ବିଭାଗ ପଚରାଉଚୁରା କରିବାରୁ ଏହିଗାଡିକୁ କୋରାପୁଟ ପାର କରିଦେବାକୁ କେହି ଜଣେ ଫୋନ କରିଥିଲେ। ଏହାପରେ ସେ ଗାଡି ଧରି ଯାଉଥିବାବେଳେ ଅବକାରୀ ବିଭାଗ ଧରିଥିଲା ବୋଲି କାଳେ ଅବକାରୀ ବିଭାଗ ନିକଟରେ ମାନିଛି। ତେବେ ବିଜୟନଗରରୁ ଏହା କିପରି ମେଣ୍ଢାଗୁଡା ଦେଇ କୋରାପୁଟ ଆସୁଥିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହି ଟ୍ରକଟି ମହାରାଷ୍ଟରାଜ୍ୟ ନାଗପୁର ଗ୍ରାମଞ୍ଚଳ ଅଧୀନ ୱାଡିରେ ଆନିସ ମୋଟର୍ସ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ୍‌ ନାମରେ ପଞ୍ଜୀକୃତ ହୋଇଛି। ଗତବର୍ଷ ମେ ୧୫ ତାରିଖରୁ ଏହାର ଇନସୁରାନ୍ସ ହୋଇ ନ ଥିବାବେଳେ କିପରି ଏହା ମହାରାଷ୍ଟ୍ର, ଆନ୍ଧ୍ର ଓ ଓଡ଼ିଶାର କୋରାପୁଟ ଜିଲ୍ଲାକୁ ଆସିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ତେବେ ଗିରଫ ହୋଇଥିବା ଯୁବକ ଜଣକ ଟଙ୍କା ଲୋଭରେ ପଡି ଗାଡି ଚଲାଉଥିବାବେଳେ ଏଥିରେ ରହିଥିବା ମାଫିଆ ଖସି ପଳାଇଥିବା ଜଣାପଡିଛି। ଅବକାରୀ ବିଭାଗ ସେମାନଙ୍କୁ ଖସାଇ ଦେଇ ଏହି ଯୁବକକୁ ଗିରଫ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର