ଚଣ୍ଡିଖୋଲ: ସେମାନଙ୍କୁ କୁହାଯାଉଥିଲା ‘ଜନତା ଡାକ୍ତର’। ଯେତେବେଳେ ହଇଜା, କ୍ୟାନସର ଭଳି ରୋଗୀଙ୍କୁ ଅଛୁଆଁ ଭାବେ ବିଚାର କରାଯାଉଥିଲା, ସେହି ସମୟରେ ସେମାନଙ୍କ ନିକଟରେ ସେବା ପହଞ୍ଚାଇବା ଏବଂ ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ସେମାନଙ୍କୁ ଜନତା-ଡାକ୍ତର ଭାବେ ନିଯୁକ୍ତି ଦିଆଯାଇଥିଲା। ଦେଶରେ ଜରୁରୀ ପରିସ୍ଥିତି ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ପରିବର୍ତ୍ତନ ହୋଇଥିଲା। ଜନତା ଦଳ ସରକାର ଗଠନ କରିବା ପରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ୧୯୭୭ରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ବଡ଼ଚଣା ବ୍ଲକ ଅଞ୍ଚଳରେ ସେତେବେଳେ ୧୨୬ ଜଣଙ୍କୁ ଏଥିରେ ନିଯୁକ୍ତି ଦିଆଯାଇଥିଲା। ୨୦ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇବେ ବୋଲି କୁହାଯାଇଥିଲା। ମାସିକ ପାରିଶ୍ରମିକ ଥିଲା ୫୦ ଟଙ୍କା। ଜଣେ ଡାକ୍ତର ୪-୫ଟି ଗାଁ ଦାୟିତ୍ବରେ ଥିଲେ। ମାତ୍ର ୫ ବର୍ଷ ପରେ ଏହି ଲୋକାଭିମୁଖୀ ଯୋଜନାକୁ ପରବର୍ତ୍ତୀ ସରକାର ହଠାତ ବନ୍ଦ କରିଦେଇଥିଲେ। ସେତେବେଳକୁ ଜନତା ଡାକ୍ତରମାନେ ପ୍ରାଥମିକ ତାଲିମ ପାଇ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିଲେ। ହଠାତ ଯୋଜନା ବନ୍ଦ ହେବାରୁ ସେମାନେ ଆର୍ଥିକ ସୁବିଧାରୁ ବଞ୍ଚିତ ହେଲେ। ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ବି ସରକାର ଆଉ କିଛି ଶୁଣି ନଥିଲେ। ପରିଣତ ବୟସରେ ପହଞ୍ଚିଥିବା ବହୁ ଜନତା ଡାକ୍ତର ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଅଧିକାଂଶଙ୍କ ପରଲୋକ ହୋଇଗଲାଣି।
ବଡ଼ଚଣା ବ୍ଲକ ବନ୍ଦାଳ ଗ୍ରାମର ଶତ୍ରୁଘ୍ନ ମହାନ୍ତି, ବିଲିକଣା ଗ୍ରାମର ଅନାଦି ସାମଲ, ଛତିଆ ଗ୍ରାମର ସନ୍ତୋଷ କୁମାର ପଣ୍ଡା, ବୈରୀ ଗ୍ରାମର ବାବୁଲି ନାୟକ ଜନତା ଡାକ୍ତର ଭାବେ ସେବେ କାମ କରିଥିଲେ। ଆଖପାଖ ଗ୍ରାମର ଭୀମସେନ ବେହେରା, ରାମଚନ୍ଦ୍ର ପରିଡ଼ା, ନଟବର ନାୟକ ଓ ମନ୍ଦରଧର ରାଉତ ପ୍ରମୁଖ ଆରପାରିକୁ ଚାଲିଗଲେଣି ବୋଲି ଓଲର ଗ୍ରାମର ୭୮ ବର୍ଷୀୟ ସୁଦର୍ଶନ ସ୍ୱାଇଁ ସୂଚନା ଦେଇଛନ୍ତି। ଗାଁ ଗାଁ ଓ ଘର ଘର ବୁଲି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇ ସେତେବେଳେ ଆମେ ଆନନ୍ଦ ପାଉଥିଲୁ। ସରକାରଙ୍କ ପରିବାର ନିୟନ୍ତ୍ରଣ ଯୋଜନାରେ ଆମେ ସାମିଲ ହେଉଥିଲୁ। ଆମ୍ଭମାନଙ୍କ ଦ୍ୱାରା ଏହି ଯୋଜନା ସେତେବେଳେ ବେଶ୍ ଫଳପ୍ରଦ ହେଉଥିଲା। ସେ ନିଜେ ୪୦୦ ରୁ ଅଧିକ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିବା ଶ୍ରୀ ସ୍ୱାଇଁ କହିଥିଲେ। ହଠାତ ଯୋଜନା ବନ୍ଦ ହେବା ପରେ ଆମେ ୫୬ ମାସର ଦରମା ପାଇନଥିଲୁ। ପରେ ବି ତାହା ଆଉ ମିଳିଲା ନାହିଁ। ଏବର ସରକାର ଯଦି ଆମ୍ଭମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ଉପକୃତ ହୁଅନ୍ତୁ ବୋଲି ସେ କହନ୍ତି।