ନେସ୍କୋରେ ଠିକା କର୍ମଚାରୀ ଅଶାନ୍ତି, ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ବାରିପଦା : ଜିଲ୍ଲାରେ ନେସ୍କୋ ଅଧୀନରେ ଥିବା ୩୩/୧୧ କେଭି ସବଷ୍ଟେସନଗୁଡ଼ିକରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କୁ ୩ ମାସର ଦରମା ମିଳି ନାହିଁ। କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ଅବିଳମ୍ବେ ଦରମା ପ୍ରଦାନ କରିବା, କର୍ମଚାରୀମାନଙ୍କୁ ୨୦୧୯ ନଭେମ୍ବର ମାସରେ ଗୋଟାଏ ମାସର ବୋନସ ଦିଆ ନ ଯିବା, ସରକାରଙ୍କ ଦ୍ୱାରା ବର୍ଦ୍ଧିତ ମଜୁରୀର ବକେୟା ରାଶି ପ୍ରଦାନ କରା ନ ଯିବା, ବର୍ଦ୍ଧିତ ବିଶେଷ ଭତ୍ତା(ଭି.ଡ଼ି.ଏ) ଦରମା ସହିତ ଲାଗୁ କର ନ ଯିବା, ପୂର୍ବରୁ ଦାୟିତ୍ୱ ନେଇଥିବା ଆଦ୍ୟା ଉର୍ଜାସଲ୍ୟୁସନ ପ୍ରା. ଲିଃ ଏଜେନ୍ସୀ ୨ ମାସର ଇପିଏଫ ଓ ୬ ମାସର ଇଏସଆଇ ଜମା ନ କରିବା, ଶୀର୍ଷା ଷ୍ଟ୍ରକ୍ଚରରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କୁ କମ୍ ଦରମା ପ୍ରଦାନ କରାଯିବା ଏବଂ କର୍ମଚାରୀମାନଙ୍କୁ ଇଏସଆଇ କାର୍ଡ଼ ପ୍ରଦାନ କରା ନ ଯିବା ଆଦି ୯ ଦଫା ଦାବି ଉପରେ ନେସ୍କୋ ପାୱାର ଏମ୍ଲ୍ଇଜ ୟୁନିୟନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ସଂଘର ସହ- ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଶୁକ୍ଳା, ବାରିପଦା ଡ଼ିଭିଜନ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, , ଡ଼ିଭିଜନ ସଙ୍ଗଠକ ଦେବାଶିଷ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ବିଦ୍ୟୁତ୍ କର୍ମଚାରୀମାନଙ୍କ ମଧ୍ୟରେ ଦେଖା ଦେଇଥିବା ଅଶାନ୍ତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥି ସହିତ କାର୍ଯ୍ୟ କ୍ଷେତ୍ରରେ କର୍ମାଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ନିଷ୍ପତ୍ତି ଗୃହୀତ ହୋଇଥିଲା । ଏଥି ସହିତ ଠିକା କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ପୂର୍ବତନ ଉପବାଚସ୍ପତି ଗ୍ରହଣ କରିଥିବା ପଦକ୍ଷେପ ପାଇଁ ସେମାନଙ୍କୁ ସଂଘ ଓ ବିଦ୍ୟୁତ୍ କର୍ମଚାରୀମାନଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଜିତ କୁମାର ଲେଙ୍କା, ଶ୍ୟାମସୁନ୍ଦର ପାତ୍ର, ବିଶ୍ୱଜିତ୍ ବାରିକ, ଅଚ୍ୟୁତ କୁମାର ସାହୁ, ମାନସ ରଞ୍ଜନ ପାତ୍ର, ପ୍ରଦୀପ କୁମାର ମହାନ୍ତ, ସ୍ୱାଧୀନ କୁମାର ମହାନ୍ତ, ହରିହର ମଣ୍ଡଳ, ଚିନ୍ମୟ କୁମାର ବେହେରା ଓ ସୁଧୀର କୁମାର ପାଣି ପ୍ରମୁଖ ସଦସ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ତେବେ ନେସ୍କୋ ବାରିପଦାର ଅଧୀକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ଠିକା କର୍ମଚାରୀମାନଙ୍କର ନୂତନ ସଂସ୍ଥା ସହିତ ଚୁକ୍ତିନାମା ସରିଛି। ଖୁବଶୀଘ୍ର କର୍ମଚାରୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦରମା ପ୍ରଦାନ କରାଯିବବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର