ନାବାଳକଙ୍କୁ ଦାଦନ ଖଟାଇବା ଅଭିଯୋଗରେ ଠିକାଦାର ଗିରଫ

କାଳିଆପାଣି : ନଗଡ଼ାର ୭ ସ୍କୁଲଛାତ୍ର ଓ ୨ ଜଣ ନିରକ୍ଷର ନାବାଳକମାନଙ୍କୁ ପ୍ରଲୋଭିତ କରି ନିଜ ପାଖରେ ଖଟାଉଥିବା ଠିକାଦାରକୁ ପୁଲିସ ଗିରଫ କରିଛି। କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଗତକାଲି ରାତିରେ କମିସନରେଟ୍‌ ପୁଲିସ ସହାୟତାରେ ଭୁବନେଶ୍ୱର ଡମଣାସ୍ଥିତ ଏକ ଭଡ଼ାଘରେ ଚଢ଼ଉ କରି ଅଭିଯୁକ୍ତ ସଞ୍ଜୟ ବେହେରା(୪୨)କୁ ଉଠାଇ ଆଣିଥିଲେ। ଆଜି ଅଭିଯୁକ୍ତକୁ କେସ୍ ନଂ ୧୨୩/୨୧ ଓ ଆଇପିସି ଦଫା ୩୭୦ ଓ ଶିଶୁ ଶ୍ରମିକ ନିରୋଧ ଆଇନ(୧୪) ଆଧାରରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଥିବା ପୁଲିସ ଠାରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ନିରଞ୍ଜନ କର ଆଜି ଉତ୍କଳ ବାଳାଶ୍ରମ ପହଞ୍ଚି ସଂପୃକ୍ତ ନାବାଳକମାନଙ୍କୁ ଭେଟିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଏବଂ ସେମାନଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଥିବା ସେ କହିଥିଲେ। ପିଲାମାନେ ସ୍ୱାଭାବିକ ଭାବେ ଅନ୍ୟ ପିଲାମାନଙ୍କ ସହ ମିଳାମିଶା କରୁଥିବା ଜଣାପଡ଼ିଛି। ଏହି ପିଲାମାନଙ୍କୁ ଆଉ କିଛିଦିନ ଧରି ପରାମର୍ଶ ସେବା ଯୋଗାଇ ଦେବାର ଆବଶ୍ୟକତା ଅଛି ବୋଲି ଡିସିପିଓ ଶ୍ରୀ କର ମତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଧୁପୁର ଗାଁର ଗଣେଶ ବେହେରାଙ୍କ ପୁଅ ସଞ୍ଜୟ ଭୁବନେଶ୍ୱରରେ ରହି ଠିକାଦାରୀ କରେ। ଗତ କିଛିମାସ ତଳେ ତଳ ନଗଡ଼ାର ଜଣେ ନିରକ୍ଷର ନ‌ାବାଳକ ଅଭିଯୁକ୍ତ ସଞ୍ଜୟ ବେହେରା ପାଖରେ ରହି କାମ କରୁଥିଲେ। ସେହି ନାବାଳକକୁ ହାତକରି ସଞ୍ଜୟ ଦିନେ ନଗଡ଼ା ଆସି ପିଲାମାନଙ୍କ ସହ ବଣଭୋଜି କରିଥିଲା। ଭୋଜିରେ ସାମିଲ ଥିବା ପିଲାମାନଙ୍କୁ ଭୁବନେଶ୍ୱର ନେଇ ବିଦ୍ୟୁତ୍ କାମ କରାଉଥିଲା। ପିଲାମାନେ ଖୁଣ୍ଟପୋତା, ତାରଟଣା ଓ ଖୁଣ୍ଟମୂଳ କଂକ୍ରିଟ୍‌ କରାଇବା ସହ ସାମଗ୍ରୀ ବୁହା କାମରେ ନିୟୋଜିତ ଥିଲେ। ଗତ ୪ ତାରିଖ ‘ସମ୍ବାଦ’ରେ ନଗଡ଼ା ଶିଶୁ ଶ୍ରମିକ ଚାଲାଣ ସଂପର୍କିତ ଖବର ପ୍ରକାଶନ ପରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷ‌ା ସଂଧ୍ୟାବତୀ ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଥିଲେ। ଭୁବନେଶ୍ବର ଓ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି), ଶିଶୁ ସୁରକ୍ଷା ଅଧିକାର ୟୁନିଟ୍‌ ଓ କାଳିଆପାଣି ପୁଲିସ ପକ୍ଷରୁ ତନାଘନା କରାଯାଇଥିଲା। ସେଦିନ ଶିଶୁମାନଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଇବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଠିକାଦାର ସଞ୍ଜୟ ବେହେରାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ସଞ୍ଜୟ ପିଲାମାନଙ୍କୁ ବସ୍‌ ଯୋଗେ ନଗଡ଼ା ପଠାଇ ଦେଇଥିଲେ। ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ, ସିଡବ୍ଲ୍ୟୁସି ଓ ଡିସିପିଓ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ୫ ତାରିଖରେ ଡିସିପିଓ ଶ୍ରୀ କର କାଳିଆପାଣି ଥାନାରେ ଏଫ୍‌ଆଇଆର୍ କରିଥିଲେ।

ସମ୍ବନ୍ଧିତ ଖବର