ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନାରେ ନିଜ ଦେହରେ ପେଟ୍ରୋଲ ଢାଳି ଜଣେ ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ ଘଟଣା ଚର୍ଚ୍ଚାର ବିଷୟ ହୋଇଛିI ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଠିକା ଟଙ୍କାକୁ ନେଇ ଯୁବକଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଦୀର୍ଘ ଦଶବର୍ଷ ତଳେ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ ୫ ଲକ୍ଷଟଙ୍କାର ଡିପାର୍ଟମେଣ୍ଟାଲ କାମ ହୋଇଥିଲା। ହେଲେ ଦଶ ବର୍ଷ ତଳର ବକେୟା ୮୭ ହଜାର ଟଙ୍କା ଏଯାଏଁ ମିଳିନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ (୩୫) କହିଛନ୍ତି।

Advertisment

ଆଜି ନିଜ ଦେହରେ ପେଟ୍ରୋଲ ଢାଳି ଦେଇଥିବା ବେଳେ ତ୍ରିଲୋଚନଙ୍କୁ ଥାନାର କର୍ମଚାରୀମାନେ କାବୁ କରି ନେଇଥିଲେ। ଦଶବର୍ଷ ତଳେ ଉଲୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ ବିଜୟ ମୂର୍ତ୍ତି ଏଇ ଡିପାର୍ଟମେଣ୍ଟାଲ କାମର ଦାୟିତ୍ୱରେ ଥିଲେ। ସେ ଏବେ ବିନିକା ବ୍ଲକ କାର୍ଯ୍ୟାଳୟରେ ଅଛନ୍ତି। ଗତ ୧୮ ତାରିଖରେ କନିଷ୍ଠ ଯନ୍ତ୍ରୀ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଉଭୟଙ୍କୁ ବିନିକା ଥାନା ଅଧିକାରୀ ଡାକିଥିଲେ। ହେଲେ ଠିକାଦାର ତ୍ରିଲୋଚନ ପୁରୋହିତ ୮୭ହଜାର ଟଙ୍କା ମିଳିନଥିବାରୁ ଥାନା ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ।
ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଫଟୋଚିତ୍ର ଉତ୍ତୋଳନ କରୁଥିବାରୁ ବିନିକା ଆଇଆଇସି ନିରଞ୍ଜନ ନାୟକ ସେମାନଙ୍କୁ ନାଲିଆଖି ଦେଖାଇଥିଲେ।