ସୁନ୍ଦରଗଡ଼: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ଼ ହୋଇଛି। ତେବେ ଶିକ୍ଷକ ନୁହନ୍ତି, ମାଡ଼ ଅଭିଯୋଗ ହୋଇଛି ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାମରେ ନିୟୋଜିତ ଠିକାଦାରଙ୍କ ନାମରେ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରଙ୍କୁ ମାଡ଼ ହୋଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ମାଡ଼ ମାରିଥିବା ଠିକାଦାରଙ୍କ ନାମରେ ଏତଲା ଦେବା ପରିବର୍ତ୍ତେ କର୍ତ୍ତୃପକ୍ଷ ଏକ ମିଛ ଅଭିଯୋଗ ଆଣି ଛାତ୍ରଙ୍କୁ ଟିସି ନେଇଯିବାକୁ ଧମକ ଦେଇ ଏକ ସ୍ବୀକାରୋକ୍ତି ଲେଖାଇ ନେଇଛନ୍ତି। ସମ୍ବେଦନଶୀଳ ଅଭିଯୋଗଟି ଆସିଛି ସୁନ୍ଦରଗଡ଼ ଶଙ୍କରାସ୍ଥିତ ଟାଉନ ଉଚ୍ଚବିଦ୍ୟାଳୟ ନାମରେ।
ନବମ ପଢ଼ୁଥିବା ପୀଡ଼ିତ ଛାତ୍ରଙ୍କ ଅଭିଭାବକ ଏ ନେଇ ଟାଉନଥାନାରେ ଏତଲା ଦେବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାମରେ ନିୟୋଜିତ ଛାୟା ଠିକାଦାର ସୁନୀଳ ସିଂ ନବମ ପଢୁଥିବା ଜଣେ ଛାତ୍ରଙ୍କୁ ବିଦ୍ୟାଳୟ ପରିସରରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏପରିକି ସେ ପିନ୍ଧିଥିବା ଚେନକୁ ମଧ୍ୟ ଛିଣ୍ଡାଇ ଦେଇଥିଲେ। ଠିକାଦାରଙ୍କ ଅଭିଯୋଗ ଥିଲା, ଜଣେ ଶିକ୍ଷୟିତ୍ରୀଙ୍କୁ ସମ୍ପୃକ୍ତ ଛାତ୍ର କମେଣ୍ଟ୍ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ପଟେଲ ଓ ସହକାରୀ ଶିକ୍ଷକ ଅଶ୍ବିନୀ ପଟେଲ ଠିକାଦାର ହାତରୁ ଛାତ୍ରଙ୍କୁ ଆଣି ବିଦ୍ୟାଳୟ ବିଶ୍ରାମକକ୍ଷରେ ଘଣ୍ଟାଏ ଅଟକ ରଖିଥିଲେ। ଛାତ୍ର ଜଣକ କୌଣସି ଖରାପ କମେଣ୍ଟ କରି ନଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀ କହୁଥିଲେ ମଧ୍ୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଟିସି ଦେଇ ବାହାର କରିବା ଧମକ ଦେଇ ଛାତ୍ରଙ୍କ ଠାରୁ ଅପ୍ରୀତିକର ଭାଷା କହିଥିବାର ଏକ ସ୍ବୀକାରୋକ୍ତି ଲେଖାଇ ନେଇଥିଲେ।
ତେବେ ଅପରାହ୍ନ ୪ଟାରେ ଛୁଟି ପରେ ବି ଛାତ୍ର ଜଣକ ଘରକୁ ନଆସିବାରୁ ତାଙ୍କ ବାପା ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଠିକାଦାର ଜଣକ ସେଠାରେ ଛାତ୍ରଙ୍କ ବାପା ଉପରେ ମଧ୍ୟ ଗର୍ଜିଥିବା ଅଭିଯୋଗ ହୋଇଛି। ତେବେ ଛାତ୍ର ଯଦି କୌଣସି ଭୁଲ କରେ, ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଅଭିଭାବକଙ୍କ ଦୃଷ୍ଟିକୁ ନେବା କଥା। ତାହା ନକରି ଏକ ମିଥ୍ୟା ଅଭିଯୋଗ ଉପରେ ଛାତ୍ରଙ୍କୁ ଟିସି ଦେବାର ଡରାଣ ଦେଖାଇବାକୁ ନେଇ ଅଭିଭାବକ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଠିକାଦାର ମାଡ଼ ମାରିଥିଲେ ମଧ୍ୟ ଥାନାରେ ଏତଲା ନଦେବା କି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ ନକରିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶନିବାର ସକାଳୁ ପୀଡ଼ିତ ଛାତ୍ରଙ୍କ ବାପାମା ଓ ଅନ୍ୟ ମହିଳାମାନେ ବିଦ୍ୟାଳୟକୁ ଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପଟେଲ ଓ ସହକାରୀ ଶିକ୍ଷକ ଶ୍ରୀ ପଟେଲଙ୍କୁ ପଚାରିବାରୁ ସେମାନେ ଅଭିଯୋଗକୁ ସ୍ବୀକାର କରି ବୈଠକ ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
ଅନ୍ୟପଟେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ର ଜଣକ କୌଣସି ଖରାପ କମେଣ୍ଟ କରି ନଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ୩୦ ଘଣ୍ଟା ବିତିଯିବା ପରେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ନିରବ ରହିବା ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ କହିଥିଲେ, ‘ବିଦ୍ୟାଳୟ କର୍ତ୍ତୃପକ୍ଷ ଠିକାଦାରଙ୍କ ନାମରେ ତୁରନ୍ତ ଏତଲା ଦେବା କଥା, ଯଦି କରି ନାହାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ’।