ନିଜ ମୁଣ୍ଡକୁ ଗୁଳି କରି ଠିକାଦାରଙ୍କ ଆତ୍ମହତ୍ୟା

କଟକ : କଟକ ମଧୁପାଟଣା ଥାନା ପୋଷ୍ଟାଲ କଲୋନୀ ଅଞ୍ଚଳର ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏ’ କ୍ଲାସ୍‌ ଠିକାଦାର ସ୍ୱର୍ଗତ ଲାଲ୍‌ମୋହନ ସିଂହଙ୍କ ବଡ଼ ପୁଅ ବିଶ୍ୱଭୂଷଣ ସିଂହ (୪୦) ନିଜ ଘରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଋଣ ବୋଝ ସହି ନ ପାରି ସେ ଏହିଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମୃତ ବିଶ୍ୱଭୂଷଣ ଠିକାଦାରୀ କରିବା ସହିତ କ୍ରସର୍‌ ବ୍ୟବସାୟ ବି କରୁଥିଲେ। ବିଭିନ୍ନ ସ୍ଥାନରେ ବାକି ପଡ଼ିଥିବା ଟଙ୍କା ଆଦାୟରେ ସମସ୍ୟା, ଋଣ ବୋଝ ଏବଂ ଅନ୍ୟ କେତେକ ସମସ୍ୟା ମଧ୍ୟରେ ସେ ଛନ୍ଦି ହୋଇଯାଇଥିଲେ। ଏପରିକି, ବ୍ୟାଙ୍କ ଋଣ ପରିଶୋଧ କରିିନପାରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଦୁଇ ଦିନ ପୂର୍ବରୁ ତାଙ୍କର ଦୁଇଟି ଜେସିବି ମେସିନ୍‌ ଜବତ କରିଥିଲେ।

ଗତକାଲିଠାରୁ ବିଶ୍ୱ ଭୂଷଣ ଏକପ୍ରକାର ଅବସାଦଗ୍ରସ୍ତ ରହୁଥିଲେ। ଆଜି ସକାଳେ ବଡ଼ ଝିଅ ବିଶ୍ୱରୂପା ସ୍କୁଲ ଗଲା ପରେ ଘରେ ବିଶ୍ୱ ଭୂଷଣଙ୍କ ସମେତ ସ୍ତ୍ରୀ ପ୍ରିୟଙ୍କା ଏବଂ ୪ ବର୍ଷର ପୁଅ ବିଶ୍ୱଜିତ୍‌ ଥିଲେ। ସକାଳ ପ୍ରାୟ ୯ଟା ବେଳେ ପ୍ରିୟଙ୍କା ଠାକୁର ପୂଜା କରୁଥିବାବେଳେ ଘର ବାହାର ପୋର୍ଟିକୋରେ ପଡ଼ିଥିବା ସୋଫାରେ ବସି ବିଶ୍ୱ ଭୂଷଣ ନିଜ ବନ୍ଧୁକକୁ ମୁଣ୍ଡର ଡାହାଣ ପଟେ ରଖି ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ସ୍ତ୍ରୀ ବାହାରକୁ ଦୌଡ଼ି ଆସି ଦେଖିଲା ବେଳକୁ ରକ୍ତ ଜୁଡ଼ବୁଡ଼ୁ ଅବସ୍ଥାରେ ବିଶ୍ୱଭୂଷଣ ସୋଫାରେ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା। ମାତ୍ର, ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଦୁଇ ମହଲା କୋଠାକୁ ନେଇ କିଛିଟା ପାରିବାରିକ ମତ ପାର୍ଥକ୍ୟ ରହିଥିଲା ଏହା ବି ମୃତ୍ୟୁର କାରଣ ହୋଇ ପାରେ ବୋଲି ବିଶ୍ୱଭୂଷଣଙ୍କ ଶାଳକ ରଂଜନ ସିଂହ କହିଛନ୍ତି। ପୁଲିସ୍‌ ତଦନ୍ତ ପରେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର