ମୁକ୍ତା ଯୋଜନା ପାଣ୍ଠିରେ ଠିକାଦାର ପୋଷା!

ଏସ୍‌ଏଚ୍‌ଜିଙ୍କ ନାଁରେ କାମ ହାତଉଛନ୍ତି ଠିକାଦାର, ପ୍ରଥମ ପର୍ଯ୍ୟାୟରେ ମିଳିଛି ୧୩ କୋଟି

ରାଉରକେଲା: ମହିଳାଙ୍କ ସଶକ୍ତିକରଣକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ବିଭିନ୍ନ ଯୋଜନାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା। ଅନେକ ସମୟରେ ପାଣ୍ଠିର ସଦ୍‌ବିନିଯୋଗ ହେଉ ନଥିବା ନେଇ ପ୍ରଶ୍ନ ଉଠୁଛି। ଏଭଳି ବ୍ୟତିକ୍ରମ ଉପୁଜିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଆର୍‌ଏମ୍‌ସିକୁ ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଟଙ୍କା ମିଳିଛି। ଦ୍ବିତୀୟ ପର୍ଯ୍ୟାୟରେ ୧୨ କୋଟି ଟଙ୍କା ମିଳିବାକୁ ଯାଉଛି। ଏହି ପାଣ୍ଠିରେ ସହରର ଶିଶୁ ଉଦ୍ୟାନ, ଚଲାପଥ ନିର୍ମାଣ, ଓପନ୍‌ ଜିମ୍‌, ପୋଖରୀ ପୁନଃରୁଦ୍ଧାର, ପାର୍କର ବିକାଶ, ଶୌଚାଳୟ, କମ୍ୟୁନିଟି ସେଣ୍ଟର ଆଦି ବିକାଶମୂଳକ କାମ ହେବାକୁ ଯାଉଛି।

ଏସ୍‌ଏଚ୍‌ଜି ମହିଳାମାନେ ଏହିସବୁ କାମ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଆର୍‌ଏମ୍‌ସିରେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଫୁଃ କରି ଦିଆଯାଇଛି। ‘ମୁକ୍ତା’ ଯୋଜନାରେ କାମ ବଣ୍ଟନ ଓ ପରିଚାଳନା ସରକାରଙ୍କ ପକ୍ଷରୁ ତିନି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏମାନଙ୍କ କାମ ପରିଚାଳନା କରୁଛନ୍ତି ଜଣେ ଠିକା କର୍ମଚାରୀ। କେବଳ ଏତିକି ନୁହେଁ, କେଉଁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କେଉଁ କାମ ଦିଆଯିବ, ତାହା ଅଫିସର ନୁହେଁ, ଦୁଇଜଣ ରାଜେନୖତିକ ନେତା ନିର୍ଦ୍ଧାରଣ କରୁଛନ୍ତି। ଏହି ଦୁଇ ନେତା ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କାମ ବାଣ୍ଟିବା ପରେ  କର୍ତ୍ତୃପକ୍ଷଙ୍କ ନିକଟରେ ଫାଇଲ୍‌ ଆପ୍ରୁଫାଲ୍‌ କରୁଛନ୍ତି ସେହି ଠିକା ମହିଳା କର୍ମଚାରୀ। ଦୁଇ ନେତା ଓ ମହିଳା କର୍ମଚାରୀଙ୍କ ଏଭଳି ବେଆଇନ କାମକୁ ଅନେକ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ର ବିରୋଧ କରୁଛନ୍ତି।

ଏପରିକି କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌ ପାଇଥିବା ୱାର୍କ ଅର୍ଡରକୁ ଫେରାଇ ‌ଦେବାକୁ ବାଧ୍ୟ ହୋଇଛନ୍ତି। ତଥାପି କର୍ତ୍ତୃପକ୍ଷ ଏଭଳି ବେଆଇନ କାମକୁ ବନ୍ଦ କରିବାକୁ କୌଣସି ପଦକ୍ଷେପ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ମୁକ୍ତା ଯୋଜନାର କାର୍ଯ୍ୟରତ କର୍ମଚାରୀ ରାଜନୈତିକ ଚାପରେ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଅନ୍ୟପଟେ ଏସ୍‌ଏଚ୍‌ଜି ଗ୍ରୁପ୍‌ର ଏସବୁ କାମର ଅଭିଜ୍ଞତା ନଥିବାରୁ ସେମାନେ କିଛି ଠିକାସଂସ୍ଥା ସହ ହାତ ମିଳାଇଛନ୍ତି। ଠିକାସଂସ୍ଥା ଏଭଳି କାମ କରିବା ସମ୍ପୂର୍ଣ୍ଣ ବେଆଇନ ଥିବା ସତ୍ବେ ପ୍ରାୟ ଅଧିକାଂଶ କାମ ଏମାନେ କରିବାକୁ ଯାଉଛନ୍ତି। ଆର୍‌ଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧୫ ଏସ୍‌ଏଚ୍‌ଜି ଗ୍ରୁପକୁ କାମ ବଣ୍ଟନ ସରିଛି। ୱାର୍କ ଅର୍ଡର ବି ମିଳି ସାରିଛି। ଠିକାସଂସ୍ଥାଙ୍କ ଜରିଆରେ କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌  କାମ ଆରମ୍ଭ କରି ଦେଇଥିବାବେଳେ ଅନ୍ୟ କିଛି ଖୁବ୍‌ ଶୀଘ୍ର କରିବାକୁ ଯାଉଛନ୍ତି।

ଯେଉଁ  ଏସ୍‌ଏଚ୍‌ଜି ଗ୍ରୁପ୍‌ଗୁଡ଼ିକ କାମ ମିଳିଛି, ସେମାନେ ବାସ୍ତବରେ କରୁଛନ୍ତି କି ନାହିଁ, ତା’ର ସଠିକ୍‌ ତଦନ୍ତ ହେବାର ଆବଶ୍ୟକତା ରହିଛି। ନ ହେଲେ ମୁକ୍ତା ଯୋଜନା ପାଣ୍ଠି ହରିଲୁଟ୍‌ ହେବା ସହ କେବଳ ଠିକାଦାର ପୋଷାରେ ଚାଲିଯିବ, ଏଥିରେ ଦ୍ବିମତ ନାହିଁ। ଉଲ୍ଲେଖଯୋଗ୍ୟ, ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ଗ୍ରୁପକୁ ୨ ଲକ୍ଷରୁ ଆରମ୍ଭ କରି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ଦିଆଯାଉଛି। ଲକ୍ଷେ ଟଙ୍କା କାମରେ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୭.୫%, ଅର୍ଥାତ୍‌ ୭, ୫୦୦ ଟଙ୍କା ପାରିଶ୍ରମିକ ମିଳିବାର ନିୟମ ରହିଛି। ଏମିତି ଭାବେ ୨୦ ଲକ୍ଷ କାମ ପାଉଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୧ ଲକ୍ଷ ୫୦ ହଜାର ଟଙ୍କା ମିଳିବ। ଗତବର୍ଷ ମୁକ୍ତା ଯୋଜନାରେ ଆର୍‌ଏମ୍‌ସିକୁ ୧୦ କୋଟି ମିଳିଥିଲା। ଚଳିତ ଥର ଦୁଇଟି ପର୍ଯ୍ୟାୟରେ ୨୫ କୋଟି ଟଙ୍କା ମିଳିବ।

ସମ୍ବନ୍ଧିତ ଖବର