ଭୁବନେଶ୍ୱର : ରାଜ୍ୟରେ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଓଡିଆ ଠିକାଦାରଙ୍କୁ ଅଣଦେଖା କରାଯାଉଛି। ଅଧିକାଂଶ ନିର୍ମାଣ କାମକୁ ପିସି କାରବାର କରି ଅଣଓଡ଼ିଆ ଠିକାଦାର ହାତକୁ ଟେକି ଦିଆଯାଉଛି। ଓଡ଼ିଆ ଠିକାଦାରଙ୍କୁ କାମ ନଦେଇ ପରୋକ୍ଷରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବିକା ମାରିଦିଆ ଯାଉଛି। ଓଡ଼ିଆ ଠିକାଦାରଙ୍କ ସାମାନ୍ୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯାହାକୁ ନେଇ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।
ପ୍ରତିବାଦରେ ଆଜି ମହାସଂଘ ପକ୍ଷରୁ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବାସଭବନକୁ ଘେରାଉ କରାଯାଇଛି । ସଂଘର ସଭାପତି ପ୍ରଭାତଙ୍କ ନେତୃତ୍ୱରେ ସଂଘର ବହୁ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚି ଥିଲେ। ସେଠାରେ ଆନ୍ଦୋନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାସ ଭବନ ଘେରାଉ କରିଥିଲେ। ମହାସଂଘ ପକ୍ଷରୁ ଦାବି କରାଯାଇଥିଲା ଯେ, ଓଡ଼ିଶାର ସମସ୍ତ ନିର୍ମାଣ କାମକୁ ଓଡ଼ିଆ ଠିକାଦାରଙ୍କୁ ଦିଆଯାଉ, ସରକାର ଯେଉଁ ଟେଣ୍ଡର କରୁଛନ୍ତି ତାହା ଗୋଟିଏ ଷ୍ଟାଣ୍ଡାଡ ବିଡିଂ କରାଯାଉ, ଟେଣ୍ଡର ପ୍ରକ୍ରିୟାର ସର୍ତ୍ତାବଳି ଉତ୍ସେଦ କରାଯାଉ, ୨ଶହ କୋଟି ମଧ୍ୟରେ ଥିବା ଟେଣ୍ଡରକୁ କୌଣସି ବାହାର କଣ୍ଟ୍ରାକ୍ଟରଙ୍କୁ ଦିଆ ନ ଯାଉ ଆଦି ୨୭ ଦଫା ଦାବି ନେଇ ମହାସଂଘ ମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲା। ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଘେରାଉ କରିବା ପରେ ମନ୍ତ୍ରୀଙ୍କ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ହୋଇଥିଲା । ଦାବି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଖୁବ୍ଶୀଘ୍ର ଦାବି ପୂରଣ କରା ନ ଗଲେ ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଅଲ ଓଡ଼ିଶା ପିଏଚ୍ଡି କଣ୍ଟ୍ରାକ୍ଟର ଆସୋସିଏସନ୍ର ଅଭିଯୋଗ : ଓଡ଼ିଆ ଓ ଅଣଓଡ଼ିଶା କଣ୍ଟ୍ରାକ୍ଟର୍ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି
ଭୁବନେଶ୍ୱର : ଓଡ଼ିଆ ଓ ଅଣଓଡ଼ିଆ କଣ୍ଟ୍ରାକ୍ଟରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ୍ର ସଭାପତି ବୋଲି କହୁଥିବା ପ୍ରଭାତ ଦାସ ନାମକ ବ୍ୟକ୍ତ ଗତ ୯ତାରିଖରେ ସାମ୍ବାଦିକ ସମ୍ମିଳନୀ ଡାକି ଏଭଳି ହୀନ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ କରିଛି ଅଲ ଓଡ଼ିଶା ପିଏଚ୍ଡି କଣ୍ଟ୍ରାକ୍ଟର ଆସୋସିଏସନ୍। ଆଜି ଆସୋସିଏସନ୍ ପକ୍ଷରୁ ପାନ୍ଥ ନିବାସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଜଗଦୀଶ ପାତ୍ର କହିଲେ, ଇ-ଟେଣ୍ଡର ଜରିଆରେ ଯେ କୌଣସି ବ୍ୟକ୍ତି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ। ଏଥିରେ ସରକାରଙ୍କ କୌଣସି ହାତ ନ ଥାଏ। ଅନ୍ୟ ରାଜ୍ୟର କଣ୍ଟ୍ରାକ୍ଟର୍ ଓଡ଼ିଶାରେ କାମ କରୁଥିବା ବେଳେ ଓଡ଼ିଶାର କଣ୍ଟ୍ରାକ୍ଟର ମଧ୍ୟ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ତେଣୁ ଏଥିରେ ବିଭେଦ ସୃଷ୍ଟି କରିବା ଠିକ୍ ନୁହେଁ।
ସେହିପରି କଣ୍ଟ୍ରାକ୍ଟର ଆସୋସିଏସନ୍ର ସାଧାରଣ ପରିଷଦ ବୈଠକ କେବେ ଅନୁଷ୍ଠିତ ହୋଇନାହିଁ। ୯ତାରିଖ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଣ୍ଟ୍ରାକ୍ଟର୍ଙ୍କୁ ସରକାର ବିରୋଧୀଭାବେ ଚିତ୍ରଣ କରାଯାଇଥିଲା। ଏହାକୁ ସଂଘ ପକ୍ଷରୁ ନିନ୍ଦା କରାଯାଉଛି। କଣ୍ଟ୍ରାକ୍ଟର ଆସୋସିଏସନ୍ କୌଣସି ରାଜନୈତିକ ସଂଗଠନ ହୋଇ ନ ଥିଲେ ହେଁ ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ସେହି ବ୍ୟକ୍ତି ଜଣକ ତୃତୀୟ ମହଲା ନାମ ଉଲ୍ଲେଖ କରିବାକୁ ପଛାଇ ନ ଥିଲେ। କୌଣସି କଣ୍ଟ୍ରାକ୍ଟର୍ କାର୍ଯ୍ୟ କରିବା ସମୟରେ କୌଣସି ଘଟଣା ଘଟିଲେ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ କରିଥାନ୍ତି। ମାତ୍ର ଏଥିରେ କଣ୍ଟ୍ରାକ୍ଟର ଆସୋସିଏସନ୍ର ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ଶ୍ରୀ ପାତ୍ର କହିଛନ୍ତି। ଆଗାମୀ ଦିନରେ ଅଲ ଓଡ଼ିଶା ପିଏଚ୍ଡି, ଆରଡବ୍ଲୁଏସ୍ଏସ୍, ଜିପିଏଚ୍, କଣ୍ଟ୍ରାକ୍ଟର ଆସୋସିଏସନ୍ ଓ ଅନ୍ୟ ସଂଗଠନମାନଙ୍କୁ ନେଇ ଏକ କଣ୍ଟ୍ରାକ୍ଟର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କଣ୍ଟ୍ରାକ୍ଟର୍ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭୂତି ଭୂଷଣ ଜେନା, ଚିନ୍ମୟ ସ୍ୱାଇଁ, ସଂଜୟ ସାହୁ ଓ ରୁପେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ପ୍ରଭାତ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।