ସରକାର ମାଲ ଦରିଆ ମେ ଡାଲ : ବଲାଙ୍ଗୀରରେ ପୂର୍ତ୍ତ ବିଭାଗର ଠିକାଦାର ପୋଷା ନୀତି

ଠିକାଦାରଙ୍କୁ କିଏ ପ୍ରୋତ୍ସାହିତ କରୁଛନ୍ତି?

ବଲାଙ୍ଗୀର : ଟିଡିଆର ସ୍କାମରୁ ବାଉଁଶ ବାଡ଼। ସବୁଥିରେ ଚର୍ଚ୍ଚାରେ ପୂର୍ତ୍ତ ବିଭାଗ। ଏଠି ନୀତି କହିଲେ ଦୁର୍ନୀତି। ଗତ କିଛି ବର୍ଷ ଧରି ପୂର୍ତ୍ତ ବିଭାଗର ଅନେକ କାମ ହୋଇଛି। ଅନେକ ଶିକ୍ଷାନୁଷ୍ଠାନର ନୂଆ କୋଠା ତିଆରି ହୋଇଛି। ହେଲେ ଉଦ୍‌ଘାଟନ ପରେ ପରେ ଅଧିକାଂଶ ଜାଗାରେ ଫାଟ ଦେଖାଦେଲାଣି। ଏଠି ଅଧିକାଂଶ କାମ ଟେଣ୍ଡର ନକରି କେ୨ଏଫ୨ କରି ବାଟମାରଣା କରିବାରେ ଧୁରନ୍ଧର ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ। ଦିନ ଦ୍ୱିପହରରେ ଆଖିରେ ଆଙ୍ଗୁଠି ଗେଞ୍ଜି ମାରିନେବା ମନ୍ତ୍ର ଜାଣିଛନ୍ତି ପୂର୍ତ୍ତ ବିଭାଗର କରିତକର୍ମା ବାବୁ। ଏବେ କୋଭିଡ ସମୟରେ ବ୍ୟାରିକେଡ ଦୁର୍ନୀତିକୁ ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଛି। କିନ୍ତୁ ସାମ୍ନାକୁ ଆସିଛି ଆଉ ଏକ ଦୁର୍ନୀତିର ଝଲକ।

ଭାଗୀରଥି ଛକରୁ ଟିକ୍ରାପଡ଼ା ଛକ ରାସ୍ତା ପ୍ରଶସ୍ତିକରଣ ହୋଇଛି। ମଝିରେ ଲୁହାବାଡ଼ ବି ଲାଗିଛି। ସବୁ ଠିକଠାକ ଅଛି। କିନ୍ତୁ କଣ ହେଲା କେଜାଣି ପୁଣି ଲୁହାବାଡ଼ ଉପରେ ଆଉ ଏକ ଲୁହାବାଡ଼ ଦିଆଯାଉଛି। ସତେ ଯେମିତି ଡିଭାଇଡର ନୁହେଁ, ଜେଲର ବାଡ଼। ଏପଟର ଲୋକ ସେପଟକୁ ନଯିବେ ବୋଲି ଡିଭାଇଡର ଦିଆଯାଇଥାଏ। ଏମିତି ବି ପୂର୍ବରୁ ଲାଗିଥିବା ଡିଭାଇଡରକୁ ଡେଇଁ କେହି ଯାଇପାରିବେ ନାହିଁ। କିନ୍ତୁ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ମୁଣ୍ଡରେ କଣ ଜୁଟିଲା କେଜାଣି ପୁଣି ତା ଉପରେ ଫୁଟେ ଦେଢ଼ଫୁଟର ଲୁହାବାଡ଼ ଲଗାଯାଉଛି। ପୂର୍ବରୁ ଠିକଠାକ ଥିବା କାମ ଉପରେ ପୁଣି କାମ କରାଯାଉଛି। ତେଣୁ ଯେକେହି ବି ଦେଖିଲେ ଆପେ ଆପେ କହିବ ସରକାର ମାଲ ଦରିଆ ମେ ଡାଲ। କିନ୍ତୁ କଣ ପାଇଁ? କାହିଁକି ଏତେ ଉଚ୍ଚର ପାଚେରି ନିର୍ମାଣ ହେଉଛି? ଆଉ ଏ କାମକୁ କିଏ କରୁଛି? ଟେଣ୍ଡରରେ ହେଉଛି ନା ମୁହଁ ଦେଖିକି କାମ ଦିଆଯାଇଛି? ଏ ସଂପର୍କରେ ଜାଣିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ। କିନ୍ତୁ କିଛି ସ୍ପଷ୍ଟ ଉତ୍ତର ନରଖି ପ୍ରଶ୍ନ ଶୁଣି ଫୋନ କାଟିଦେଲେ ଯନ୍ତ୍ରୀ। ତେଣୁ ୫-ଟିରେ ଥିବା ସ୍ୱଚ୍ଛତାର ଇଏ କି ସ୍ୱଚ୍ଛତା? ତେଣୁ ସାଧାରଣରେ ଚର୍ଚ୍ଚା- ନେତାଙ୍କ ନିର୍ଦ୍ଦେଶ, ତାଙ୍କ ଲୋକଙ୍କୁ ଥଇଥାନ ନକରି ପୂର୍ତ୍ତ ବିଭାଗର ବାଟ ଅଛି କି?

ସମ୍ବନ୍ଧିତ ଖବର