ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ୪ଟି ମଲ୍‌ଟି ସ୍ପେଶାଲିଟି ଓ ଗୋଟିଏ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ହେବ। ବେସରକାରୀ ସଂସ୍ଥାଙ୍କ ସହଭାଗିତାରେ ଏହା ଚୂଡ଼ାନ୍ତ ରୂପ ନେବ। ଅନୁଗୁଳ, ବଡ଼ବିଲ, ଭଦ୍ରକ, ଝାରସୁଗୁଡ଼ାରେ ଏହିସବୁ ହସ୍ପିଟାଲ ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଘରୋଇ ସଂସ୍ଥାମାନଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ‌ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମିର ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତନର ଯାତ୍ରା ଜାରି ରହିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ୧କୋଟି ପରିବାର ସ୍ବାସ୍ଥ୍ୟସେବା ପାଉଛନ୍ତି। ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପିପିପି ମୋଡ୍‌ରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ରକଳ୍ପରେ ଘରୋଇ ସଂସ୍ଥାଙ୍କ ସହଭାଗିତା ପ୍ରଶଂସନୀୟ। ଏହି ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Advertisment

୫ଶହ କୋଟିର ନିବେଶ, ସେବା ପାଇବେ ୬୦ଲକ୍ଷ
ଅନୁଗୁଳ, ବଡ଼ବିଲରେ ୨ଶହ ଶଯ୍ୟା ବିଶିଷ୍ଟ ମଲ୍‌ଟି ସ୍ପେଶାଲିଟି ପ୍ରକଳ୍ପ
ଭଦ୍ରକ, ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ
ଝାରସୁଗୁଡ଼ାରେ ୧୨୦ ଶଯ୍ୟା ବିଶିଷ୍ଟ କ୍ୟାନସର ସୁପର ସ୍ପେଶାଲିଟି

ଅନୁଗୁଳ ଓ ବଡ଼ବିଲରେ ୨ଶହ ଶଯ୍ୟା ବିଶିଷ୍ଟ ମଲ୍‌ଟି ସ୍ପେଶାଲିଟି ପ୍ରକଳ୍ପକୁ ଉତ୍କଳ ହେଲ୍‌ଥକେୟାର ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍‌ନୋଲୋଜି ବିକଶିତ କରିବେ। ଭଦ୍ରକ ଓ ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ପ୍ରକଳ୍ପକୁ ସାଇଗ୍ନସ ମେଡିକେୟାର ପ୍ରାଇଭେଟ ଲିମିଟେଡ ଓ ପ୍ରିଣ୍ଟଲିଙ୍କ କମ୍ପ୍ୟୁଟର ଓ କମ୍ୟୁନିକେସନ୍‌ ଓ ୧୨୦ଶଯ୍ୟା ବିଶିଷ୍ଟ କ୍ୟାନସର କେୟାର ସୁପର ସ୍ପେଶାଲିଟି ହସ୍ପିଟାଲକୁ ଭାଇଜାଗ୍ ହସ୍ପିଟାଲ ଓ କ୍ୟାନସର ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିକଶିତ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜମି, ଯୋଗାଯୋଗ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବେ। ଘରୋଇ ସଂସ୍ଥା ହସ୍ପିଟାଲ ନିର୍ମାଣ ସହିତ ମାନବ ସମ୍ବଳ ଓ ୩୦ବର୍ଷ ପାଇଁ ସ୍ବାସ୍ଥ୍ୟସେବା ପ୍ରଦାନ କରିବ। କ୍ୟାନସର କେୟାର ହସ୍ପିଟାଲ ପାଇଁ ସରକାର ଜମି, ହସ୍ପିଟାଲ ନିର୍ମାଣ ଓ ଯନ୍ତ୍ରପାତି ପ୍ରଦାନ କରିବା ସହିତ ଘରୋଇ ସଂସ୍ଥା ମାନବ ସମ୍ବଳ ଓ ୧୫ବର୍ଷ ପାଇଁ ହସ୍ପିଟାଲ ପରିଚାଳନା କରିବ।

ଏସବୁ ହସ୍ପିଟାଲରେ ୨୪ଘଣ୍ଟିଆ ଟ୍ରମା କେୟାର, ଓପିଡି, ଆଇପିଡି ସେବା ଓ ମଲ୍‌ଟି ଓ ସୁପର ସ୍ପେଶାଲିଟି ସ୍ବାସ୍ଥ୍ୟସେବା ମିଳିବ। ଏହି ୫ଟି ପ୍ରକଳ୍ପ ପାଇଁ ପ୍ରାୟ ୫ଶହ କୋଟିର ନିବେଶ ହେବା ସହିତ ୩୫ଶହରୁ ଅଧିକ ମେଡିକାଲ, ପାରା-ମେଡିକାଲ, ନର୍ସିଂ ଓ ପ୍ରଶାସନିକ ବୃତ୍ତିରେ ନିଯୁକ୍ତି ସୃଷ୍ଟି ହେବ। ରାଜ୍ୟ ସରକାରଙ୍କ ବିଏସ୍‌କେୱାଇ ଜରିଆରେ ରୋଗୀମାନେ ଏଠାରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ପାଇପାରିବେ। ଏସବୁ ହସ୍ପିଟାଲ ପ୍ରତିଷ୍ଠା ହେବା ପରେ ରୋଗୀମାନଙ୍କୁ ଆଉ ଭୁବନେଶ୍ବର ଓ କଟକକୁ ଦୌଡ଼ିବାକୁ ପଡ଼ିବ ନାହିଁ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ପି.କେ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।