ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର

ଲୋୟର ପିଏମ୍‌ଜିରେ ୩୦ ହଜାର କର୍ମଚାରୀଙ୍କ ସମାବେଶ

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ରବିବାର ଦିନ ରାଜ୍ୟର ପ୍ରାୟ ୩୦ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ, ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଏକାଠି ହୋଇ ରଣହୁଙ୍କାର ଦେଇଛନ୍ତି। ଆଜି ଦିନତମାମ୍‌ ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଥିଲେ ବି କର୍ମଚାରୀମାନେ ଏହାକୁ ଭ୍ରୂକ୍ଷେପ କରିନଥିଲେ। ନିଜର ହକ୍‌ ପାଇଁ ବର୍ଷାରେ ଭିଜିଭିଜି ସରକାରଙ୍କୁ ଖୋଲା ଚେତାବନୀ ଦେଇଥିଲେ।

‘ସମାନ କାମକୁ ସମାନ ଦରମା’, ‘ସରକାର କର୍ମଚାରୀ ମାରଣ ନୀତି ବନ୍ଦ କର’ ନାରାରେ ରବିବାର ଦିନ ଲୋୟର ପିଏମ୍‌ଜି କମ୍ପି ଉଠିଥିଲା। ରବିବାର ପାଇଁ ଆଜି ରାଜଧାନୀ ଗହଳି ଚହଳି ନଥିଲେ ବି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିକ୍ଷୋଭ ଯୋଗୁଁ ଜନପଥ ଏକପ୍ରକାର ଜାମ୍‌ ହୋଇଯାଇଥିଲା। ହଜାର ହଜାର ସରକାରୀ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଥିଲେ ହେଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ସମାଧାନ ନେଇ ବିଶେଷ କିଛି ପଦକ୍ଷେପ ନିଆଯାଇନଥିଲା। ଆନ୍ଦୋଳନରେ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆଲୋଚନା ପାଇଁ ଡାକରା ଆସିଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଓଏସ୍‌ଡି ମହାସଂଘର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ନିଷ୍କର୍ଷ ବାହାରିନଥିଲା। ଏହାପରେ ନିଷ୍ପତ୍ତି ହୋଇଛି ଯେ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ବସି ଆଲୋଚନା ହେବ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି)ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏନେଇ ଆଲୋଚନା ହେବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ କହିଛନ୍ତି ଯେ ସୋମବାର ଆଲୋଚନାରେ ଯଦି ଦାବି ପୂରଣ କରାନଯାଏ ତେବେ ସାରା ରାଜ୍ୟରେ ଜୋରଦାର୍‌ ଆନ୍ଦୋଳନ ହେବ। ସବୁ ଅଫିସରେ ତାଲା ପଡ଼ିବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ବିଫଳ, ଆଜି ଉଚ୍ଚସ୍ତରୀୟ ବୈଠକ
ବିଧାୟକଙ୍କୁ ଦରମା ନିଅଣ୍ଟ ହେଉଛି, ଆମର କ’ଣ ବଳୁଛି?
ଦାବି ପୂରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ଚେତାବନୀ

ମହାସଂଘର କହିବାନୁଯାୟୀ, ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ଥିବା ସମୟରେ ଅର୍ଥାତ୍ ୨୦୧୩ରେ ରାଜ୍ୟ ସରକାର ନୂଆ ଠିକା ନିଯୁକ୍ତି ଆଇନ ପ୍ରଚଳନ କରିଥିଲେ। ଏହି ଆଇନରେ ବ୍ୟବସ୍ଥା ଥିଲା ଯେ ନିୟମିତ କର୍ମଚାରୀଙ୍କ ଭଳି ଚାକିରୀ ଆଶାୟୀ ଓପିଏସ୍‌ସି ପରୀକ୍ଷା ଦେବେ, ସାକ୍ଷାତକାର ଦେବେ। ଏଥିରେ ଉପକୃତ ହେଲେ ପ୍ରଥମେ ୬ ବର୍ଷ ଠିକାରେ ନିଯୁକ୍ତି ପାଇବେ। ଏହାପରେ ସେମାନଙ୍କୁ ନିୟମିତ କରାଯିବ। ହେଲେ ଯେଉଁ ୬ବର୍ଷ ଠିକାରେ କାମ‌ କଲେ ‌ତାହାକୁ ଚାକିରି ଅବଧିରେ ମିଶାଗଲାନି। ଫଳରେ ଏବେ ଏହି କର୍ମଚାରୀମାନେ ପଦୋନ୍ନତି ପାଇଲା ବେଳକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବାରୁ ଅବସରକାଳୀନ ସୁବିଧା, ମହଙ୍ଗା ଭତ୍ତା, ଘରଭଡ଼ା ଆଦି ବି ମିଳୁନି। ତେଣୁ ଏହାକୁ ବିରୋଧ କରି ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସରକାରଙ୍କ ପାତରଅନ୍ତର ନେଇ ମହାସଂଘ କହିଛି ‌ଯେ ମାସକୁ ପ୍ରାୟ ଲକ୍ଷେ ଟଙ୍କା ଦରମା ଏବଂ ହଜାର ହଜାର ଟଙ୍କା ଆନୁଷଙ୍ଗିକ ଭତ୍ତା ପାଉଥିବା ବିଧାୟକମାନେ ତାଙ୍କୁ ମିଳୁଥିବା ଦରମା ନିଅଣ୍ଟ ହେଉଛି ବୋଲି କହୁଥିବା ବେଳେ ଆମେ କିପରି ୮ରୁ ୧୩ହଜାର ଟଙ୍କା ଦରମା ପାଇ ଚଳୁଛୁ ତାହା ସରକାର କେମିତି ବୁଝିପାରୁନାହାନ୍ତି? ଆମର କ’ଣ ଏତିକି ଦରମା ବି ଘର ଚଳିବା ପରେ ବଳୁଛି?

ସେହିପରି ରାଜ୍ୟ ସରକାର କିପରି ନିଯୁକ୍ତିରେ ତାରତମ୍ୟ ସୃଷ୍ଟି କରୁଛନ୍ତି ତା’ର ଉଦାହରଣ ଦେଇ ମହାସଂଘ କହିଛି ଯେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାରୁ ସଚିବାଳୟ ଓ ବିଧାନସଭା‌ ଏଏସ୍‌ଓଙ୍କୁ ପୂରା ବାଦ୍‌ ଦିଆଯାଇଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କିଛି କର୍ମଚାରୀଙ୍କୁ ଏଥିରୁ ସଂପୂର୍ଣ୍ଣ ବାଦ୍‌ ଦେଇ ଆଉ କିଛି କର୍ମଚାରୀଙ୍କ ପାଇଁ ୩ବର୍ଷର ଚୁକ୍ତିଭିତ୍ତିକ ଅବଧି ଲଦି ଦିଆଯାଇଛି। ପୁଲିସ ସବ୍‌ଇନ୍ସପେକ୍ଟରଙ୍କ ଠାରୁ କନେଷ୍ଟବଳ, ଆଗ୍ନିକ, ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷକ ଓ ମାଧ୍ୟମିକ ଶିକ୍ଷକଙ୍କ ପର୍ଯ୍ୟନ୍ତ ୬ବର୍ଷିଆ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ନିଯୁକ୍ତି ଦେଇ ଅନାବଶ୍ୟକ ତାରତମ୍ୟ ସୃଷ୍ଟି କରାଯାଇଛି। ଯଦି ଆର୍ଥିକ ଦୁରାବସ୍ଥା ଆଳରେ ଏହି ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା ତେବେ ସେତେବେଳେ ଏହା ଆଇଏଏସ୍‌, ଓଏଏସ୍‌ ଏବଂ ଓଏଫ୍‌ଏସ୍‌ଙ୍କ କ୍ଷେତ୍ରରେ କାହିଁକି ଲାଗୁ କରାଗଲାନି ବୋଲି ମହାସଂଘ ପ୍ରଶ୍ନ କରିଛି।

ଅଲ ଓଡ଼ିଶା ଇନସିଆଲ ଆପଏଣ୍ଟି ଟିଚର୍ସ ଆସୋସିଏସନ୍‌ର ରାଜ୍ୟ ଆବାହକ ପ୍ରଭାକର ଜୟସିଂହ କହିଛନ୍ତି ଯେ ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଆଧୁନିକ଼ୀକରଣର ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ଶୈକ୍ଷିକ ପରିବେଶରେ ବ୍ୟାପକ ପରିବର୍ତ୍ତନ ହୋଇଛି। ସେହି ଆନୁଯାୟୀ ଶିକ୍ଷକଙ୍କ ବୃତ୍ତିଗତ ନୀତିରେ ପରିବର୍ତ୍ତନ ଜରୁରୀ I ଆଜିର କାର୍ଯ୍ୟକ୍ରମରେ ମହାସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସମ୍ପାଦକ କ୍ଷୀତିଶ ପଣ୍ଡା, ସଂଗଠନ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶିକ୍ଷକ ନେତା ଶୁଭ୍ରଜିତ ପ୍ରତିହାରୀ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର