ଠିକା ନିଯୁକ୍ତି ଦେଇ ବାର୍ଷିକ ଦୁଇ ହଜାର କୋଟି ଚଳୁ: କଂଗ୍ରେସ

ଠିକା ନିଯୁକ୍ତିକୁ ବନ୍ଦ କରି ନିୟମିତ ନିଯୁକ୍ତି ଦିଆଯାଉ

ଭୁବନେଶ୍ବର : ରାଜ୍ୟରେ ସରକାରୀ ଚାକିରିରେ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା ଜରିଆରେ ଠିକା କର୍ମଚାରୀ ନିଯୁକ୍ତି ଦିଆଯାଉଛି। ଏ ବାବଦରେ ସରକାର ଅତି କମ୍‌ରେ ମାସକୁ ୧୬୬କୋଟି ହିସାବରେ ବାର୍ଷିକ ୨ହଜାର କୋଟି ହଡ଼ପ କରୁଛନ୍ତି। ବର୍ଷ ବର୍ଷ ଧରି ଏଭଳି କୋଟି କୋଟି ଟଙ୍କା ସରକାରୀ ଦପ୍ତରରେ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପେଟରୁ କାଟି ନିଆଯାଉଛି। ଏହି ଟଙ୍କାରେ ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ଶନିବାର ଦିନ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମର ଆବାହକ ସତ୍ୟପ୍ରକାଶ ନାୟକ କହିଛନ୍ତି, ଦୀର୍ଘ ବର୍ଷ ଧରି ରାଜ୍ୟରେ ଏକ ସ୍ଥିର ସରକାର ରହିଛି। ଏହା ସତ୍ତ୍ବେ ରାଜ୍ୟ ସରକାର ଅସାମ୍ବିଧାନିକ କଣ୍ଟ୍ରାକଚୁଆଲ ରୁଲ-୨୦୧୩ ଆଣିବା ସହ ସମସ୍ତ ଗ୍ରୁପ୍ ବି, ସି ଓ ଡି ନିଯୁକ୍ତିକୁ ଠିକା କରି ଦେଇଛନ୍ତି। ୨୦୧୬ ମସିହାରେ ସୁପ୍ରିମକୋର୍ଟ ସମାନ କାମକୁ ସମାନ ଦରମା ଦେବା ଲାଗି ରାୟ ଦେଇଥିଲେ। ହେଲେ ଓପିଏସ୍‌ସି, ଓଏସ୍‌ଏସ୍‌ସି ଓ ଅନ୍ୟାନ୍ୟ ସରକାରୀ ନିଯୁକ୍ତି ବୋର୍ଡ ଦ୍ବାରା ସିଧାସଳଖ ଉତ୍ତୀର୍ଣ୍ଣ ହେଲା ପରେ ବି ଯୁବ କର୍ମଚାରୀମାନଙ୍କୁ ୬ ବର୍ଷ ଯାଏ କମ୍ ପାରିଶ୍ରମିକରେ ସରକାର ଖଟାଉଛନ୍ତି। ୭ମ ବେତନ କମିସନଙ୍କ ସୁପାରିସ୍‌ ପରେ ଯେତେବେଳେ ସବୁ ପଦବିର ମୂଳ ଦରମା ବଢ଼ିଲା, ୨୦୧୭ ମସିହାରେ ରାଜ୍ୟ ସରକାର ଅନ୍ୟାୟ ଭାବେ ଏକ ସଂଶୋଧନ ପ୍ରସ୍ତାବ ଆଣି ସେମାନଙ୍କୁ ମୂଳ ଦରମାରୁ ବଞ୍ଚିତ କରୁଛନ୍ତି।

ଗ୍ରୁପ୍‌-ବି କର୍ମଚାରୀଙ୍କୁ ୪୨,୦୯୩ଟଙ୍କା ପରିବର୍ତ୍ତେ ୧୬ ହଜାର ୮୮୦‌ ଟଙ୍କା ଦେଇ ଦୁଇ ହଜାର କର୍ମଚାରୀଙ୍କଠାରୁ ସରକାର ଟଙ୍କା ଠକି ନେଉଛନ୍ତି। ସେହିପରି ଗ୍ରୁପ୍-ସି କର୍ମଚାରୀଙ୍କୁ ମାସିକ ୨୧,୪୧୦-୩୪,୫୬୪ ଟଙ୍କା ପରିବର୍ତ୍ତେ ୮୭୫୦-୧୦ହଜାର ଟଙ୍କା ଦେଇ କୋଟି କୋଟି ଟଙ୍କାର ଠକେଇ ଚାଲିଛି। ରାଜ୍ୟ ସରକାର ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ପୁନର୍ବାର ନିଯୁକ୍ତି ଦେଉଥିବା ବେଳେ ନୂତନ ନିଯୁକ୍ତି ଉପରେ ଅଂକୁଶ ଲଗାଇ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ/ଯୁବତୀଙ୍କ ଭବିଷ୍ୟତ ସହିତ ଖେଳି ଚାଲିଛନ୍ତି।

ତେଣୁ ରାଜ୍ୟ ସରକାର ଆଉଟସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତିକୁ ସଂପୂର୍ଣ୍ଣ ବନ୍ଦ କରିବା ସହ ସରକାରୀ ଚାକିରିରେ ସମସ୍ତ ଠିକା ନିଯୁକ୍ତିକୁ ବନ୍ଦ କରି ନିୟମିତ ନିଯୁକ୍ତି ଦିଅନ୍ତୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମାନ କାମକୁ ସମାନ ଦରମା ନୀତି ଆପଣାଇବା ସହିତ ଯେପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ଦେଇ ନାହାନ୍ତି, ସପ୍ତମ ବେତନ କମିସନଙ୍କ ସୁପାରିସ୍‌ ଆଧାରାରେ ଗ୍ରେଡ୍ ପେ’ ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ସମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ ଓ ପ୍ରଶାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର