ବୁର୍ଲା: ବୁର୍ଲା ଭିମ୍ସାରରେ ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ଭିମ୍ସାର୍ କର୍ତ୍ତୃପକ୍ଷ ଖୁବଶୀଘ୍ର ସାକ୍ଷାତକାର ଡାକି ଡାକ୍ତର ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ଆଜି ଆଜି ଭିମ୍ସାର୍ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଖାଲି ପଦରେ ନିଯୁକ୍ତିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଉଷାରାଣୀ ସାହୁ ଓ ଡିଏମ୍ଇଟି ରମାରମଣ ମହାନ୍ତି ଆଭାସି ମାଧ୍ୟମରେ ଯୋଗ ଦେଇଥିବା ବେଳେ ଭିମ୍ସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା, ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ, କୁଳସଚିବ ଭାବଗ୍ରାହୀ ରଥ ପ୍ରମୁଖ ସାମିଲ ହୋଇଥିଲେ।
ବୈଠକର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟତଃ ମାନସିକ ରୋଗ ବିଭାଗ, ରେଡ଼ିଓ ଡାଇଗ୍ନୋଷ୍ଟିକ ଓ ଏଫ୍ଏମ୍ଟି ବିଭାଗରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଏସବୁ ବିଭାଗ ପାଇଁ ଚୁକ୍ତିଭିତ୍ତିକ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶନ କରାଯିବ। ଆସନ୍ତା ୨୩ ତାରିଖରେ ଏହି ସବୁ ଖାଲି ପଦରେ ନିଯୁକ୍ତି ନିମେନ୍ତ ଭିମ୍ସାର୍ରେ ସାକ୍ଷାତକାର ଡକାଯିବ ବୋଲି ନିର୍ଦ୍ଦେଶକ ପ୍ରଫେସର ମେହେର ସୂଚନା ଦେଇଛନ୍ତି।