ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ୧୫ରେ ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ରାଜ୍ୟ ସରକାର ସକରାତ୍ମକ ମନୋଭାବ ଦେଖାଇଛନ୍ତି। ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ଥିବା ନିୟମାବଳୀ, ବିଭିନ୍ନ ଦାବି, ସରକାରଙ୍କ ଯୋଜନା ଉପରେ ଆଲୋଚନା କରିବା ପାଇଁ ଆସନ୍ତା ୧୫ତାରିଖରେ ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନ୍‌କାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଠିକା କର୍ମଚାରୀଙ୍କୁ ନିୟମିତ କରିବାରେ ଥିବା ସମସ୍ୟା ଓ ସମାଧାନ ବିଷୟରେ ବି ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଅର୍ଥ ବିଭାଗର ଏହି ପଦକ୍ଷେପକୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ ସ୍ୱାଗତ କରିଛନ୍ତି। ଶ୍ରୀ ନନ୍ଦ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ସମନ୍ଵୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମଟି ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରି ବର୍ତ୍ତମାନ ପରିସ୍ଥିତିରେ ଆଉ ଅଧିକ ସମୟ ଠିକା ପ୍ରଥା ବଳବତ୍ତର ରଖିବା ଆବଶ୍ୟକ କି ନାହିଁ ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରିବା ଏବଂ ଦ୍ୱିତୀୟଟି ଥିଲା ଯେଉଁମାନେ ଅଦ୍ୟାବଧି ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ନିମନ୍ତେ ନିୟମିତ କର୍ମଚାରୀ ପାଉଥିବା ସୁବିଧା ସୁଯୋଗର ବ୍ୟବସ୍ଥା ନିର୍ଦ୍ଧାରଣ କରିବା। ଆସନ୍ତା ୧୫ତାରିଖରେ ବସିବାକୁ ଥିବା ବୈଠକ ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବ ବୋଲି ସମନ୍ଵୟ ସମିତି ଆଶା ରଖିଥିବା ଶ୍ରୀ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର