ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଶବ ଉଠାଇଲେନି ପରିବାର

ରାଉରକେଲା: ଟାଟା ପାୱାର ଅଧିକାରୀଙ୍କ ଅବହେଳାରୁ ବିଦ୍ୟୁତ୍‌ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜବାପାନପୋଷର ମନୋଜ ତିର୍କୀ (୨୧)। ଏମିତି ଅଭିଯୋଗ ଆଣିଛନ୍ତି ପରିବାର ଲୋକ ଓ ପଡୋଶୀ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଟାଟା ପାୱାରରେ ନିଯୁକ୍ତି ଦାବି କରିଛନ୍ତି ପରିବାର ଲୋକ। ଯେ ପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ ଓ ଚାକିରି ପ୍ରତିଶ୍ରୁତି ନ ମିଳିଛି ହସ୍ପିଟାଲରୁ ଶବ ଉଠାଇବେ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସଂଧ୍ୟାରେ ରଘୁନାଥପାଲୀ ଥାନରେ ଉଭୟ ଟାଟା ପାୱାର ଅଧିକାରୀ ଓ ମୃତକଙ୍କ ପରିବାର ମଧ୍ୟରେ କ୍ଷତିପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲେ ହେଁ କିଛି ସୁଫଳ ମିଳି ନଥିଲା।

ଖବର ଲେଖାହେବା ପର୍ଯ୍ୟନ୍ତ ସମସ୍ୟାର କୌଣସି ସମାଧାନ ହୋଇ ନଥିବା ଜଣାପଡିଛି। ସେପଟେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତବାକ ମନୋଜ ଗତ ପ୍ରାୟ ଦେଢ଼ ବର୍ଷ ଧରି ଟାଟା ପାୱାରରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ପ୍ରତିଦିନ ପରି ଆଜି ଅପରାହ୍ନ ପ୍ରାୟ ୩ଟାରେ ସରକାରୀ ଆଇଟିଆଇ ନିକଟରେ ବିଦ୍ୟୁତ୍‌ ଖୁଣ୍ଟିରେ ଚଢ଼ି କାମ କରୁଥିଲେ। ମନୋଜ ବିଦ୍ୟୁତ୍‌ ଖୁଣ୍ଟିକୁ ଚଢ଼ିବା ପୂର୍ବରୁ ବିଦ୍ୟୁତ୍‌ ସଂଯୋଗ କଟାଯାଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶ ଆସିବାରୁ ପ୍ରାୟ ୨୦ ଫୁଟ୍‌ ତଳକୁ ପଡିଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର